Home ଜିଲ୍ଲା ପରିକ୍ରମା ପିଲା ଗଣେଶ ଭସାଣି ଉତ୍ସବ, ଆଧୁନିକ-ପାରମ୍ପରିକ ବାଦ୍ୟଯନ୍ତ୍ର ଓ ନୃତ୍ୟ ଶୋଭାଯାତ୍ରାରେ କମ୍ପିଲା ଭଦ୍ରକ ସହର

ପିଲା ଗଣେଶ ଭସାଣି ଉତ୍ସବ, ଆଧୁନିକ-ପାରମ୍ପରିକ ବାଦ୍ୟଯନ୍ତ୍ର ଓ ନୃତ୍ୟ ଶୋଭାଯାତ୍ରାରେ କମ୍ପିଲା ଭଦ୍ରକ ସହର

9

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର କୁଆଁସସ୍ଥିତ ବାବା ପିଲା ଗଣେଶ ମାସାଧିକ କାଳ ପୂଜା ପାଇଆସୁଥିବାବେଳେ ଆଜି ତାଙ୍କର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଭସାଣି ଉତ୍ସବ ଦିବା ୩ ଘଟିକାରୁ ଆରମ୍ଭ ହୋଇ ରାତ୍ର ୧୦ ଘଟିକାରେ ସଂପନ୍ନ ହୋଇଛି। ଏହା କୁଆଁସ ଗ୍ରାମରୁ ବାହାରି ବାଇପାସ୍ ଦେଇ ପରେ ରାଜଘଟ ଛକ, ଟାଉନ୍ ହଲ ଛକ, କଜେରୀ ବଜାର ଓ ଅପର୍ତିବିନ୍ଧା ଛକ ପରିଭ୍ରମଣ କରିସାରିବା ପରେ ସାଳନ୍ଦୀ ନଦୀରେ ବିସର୍ଜନ କରାଯାଇଥିଲା। ଏହି ପିଲା ଗଣେଶ ଭସାଣି ଉତ୍ସବରେ ସବୁଠାରୁ ମନୋରମ ଦୃଶ୍ୟ ଥିଲା ଏହାର ଶୋଭାଯାତ୍ରା। ଗୋଟେ କିଲୋମିଟର ଲମ୍ବର ଏହି ଶୋଭାଯାତ୍ରାକୁ ଦେଖିବାକୁ ସହରର ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ସମସ୍ତେ ଏହି ଭସାଣି ଶୋଭାଯାତ୍ରାକୁ ଆନନ୍ଦ ଉଲ୍ଲାସର ସହ ଉପଭୋଗ କରିଛନ୍ତି। ଏହି ଭସାଣି ଉତ୍ସବରେ ଝାଡଖଣ୍ଡରୁ ପଙ୍କଜ ଡିଜେ, ଯାଜପୁର ଟାଉନ୍‌ରୁ ଅଜୟ ମ୍ୟୁଜିକ୍‌, କେନ୍ଦ୍ରାପଡାରୁ ଜୁମା ଡିଜେ, କନ୍ଧମାଳରୁ ଦିଲଖୁସ ମେଲୋଡି, ଢେଙ୍କାନାଳର ମାଦଳ ବାଜା, ମହାରାଷ୍ଟ୍ରର ଢୋଲ, ଶିବ ତାଣ୍ଡବ ନୃତ୍ୟ ଗ୍ରୁପ୍‌, ଅନ୍ୟ ଜିଲାମାନଙ୍କରୁ ଆସିଥିବା ପାରମ୍ପରିକ ବାଦ୍ୟ ଓ ନୃତ୍ୟ ଯଥା ଆଦିବାସୀ ନୃତ୍ୟ, ଶଙ୍ଖୁଆ ଦଳ, ଘୋଡାଦଳ, ନିଆଁଖେଳ, ଘଂଟଦଳ, ମାଦଳ ଦଳ, ଗୋଟିପୁଅ ଦଶ ଅବତାର ଓ ଘଂଟୁଆଳଙ୍କ ମନଛୁଆଁ ବାଦନ ଲୋକମାନଙ୍କୁ ବେଶ୍ ବିମୋହିତ କରିଥିଲା। ଏବଂ ବର୍ତମାନ ସମାଜରୁ ହଜିଯାଉଥିବା ଢିଙ୍କି ଶାଳ, ଭାଗବତ ଟୁଙ୍ଗୀ ଭଳି ସଂସ୍କୃତିର ଏକ ଝଲକ ଦେଖିବାକୁ ମିଳିଥିଲା। ଏକ କିଲୋମିଟର ଲମ୍ବର ଏହି ଭସାଣି ଶୋଭାଯାତ୍ରାକୁ ଦେଖିବା ପାଇଁ ସହର ସାରା ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଏହି ପିଲା ଗଣେଶ ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.