Home ଜିଲ୍ଲା ପରିକ୍ରମା ବିପଦ ଡାକୁଛିି ରାନ୍ଦିଆ ରେଳ ଉଡନ୍ତା ପୋଲ,ଏକାଧିକ ସ୍ଥାନରେ ଗର୍ତ ଓ ରଡ ମୁଣ୍ଡ ଟେକିଛି,...

ବିପଦ ଡାକୁଛିି ରାନ୍ଦିଆ ରେଳ ଉଡନ୍ତା ପୋଲ,ଏକାଧିକ ସ୍ଥାନରେ ଗର୍ତ ଓ ରଡ ମୁଣ୍ଡ ଟେକିଛି, ଦୁର୍ଘଟଣା ବୃଦ୍ଧି, ରାସ୍ତା ରୋକ ଚେତାବନୀ

2

ଭଦ୍ରକ, ୬ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକରୁ ଆନନ୍ଦପୁର ଯାଇଥିବା ୫୩ ନଂ ରାଜ୍ୟ ରାଜପଥର ରାନ୍ଦିଆ ଠାରେ ଥିବା ରେଳ ଉଡନ୍ତା ପୋଲଟି ଏବେ ଦୈନିକ ଦୁର୍ଘଟଣାର କାରଣ ପାଲଟିଛି । ଦୀର୍ଘ ବର୍ଷ ହେଲାଣି ପୋଲର ସ୍ଥାୟୀ ମରାମତି ନହେବାରୁ ବିଭିନ୍ନ ସ୍ଥାନରେ ବଡ ବଡ ଗର୍ତ ସାଙ୍ଗକୁ ଭଙ୍ଗା ଲୁହା ରଡ ମୁଣ୍ଡ ଟେକି ଥିବାରୁ ପ୍ରତିଦିନ ଏକାଧିକ ଦୁର୍ଘଟଣା ମାନ ଘଟୁଛି । ପ୍ରକାଶଯେ ରାନ୍ଦିଆ ଠାରେ ରେଳ ଫାଟକ ଥିବାରୁ ପୂର୍ବରୁ ଘଂଟା ଘଂଟା ଧରି ଯାତ୍ରୀ ମାନେ ଅପେକ୍ଷା କରି ରହୁଥିଲେ । ଗେଟ ପଡିବା ଯୋଗୁ ବିଶେଷକରି ଜରୁରୀ କାଳିନ ସେବା ଆମ୍ବୁଲାନ୍ସ ଓ ଦମକଳ ଗାଡି ଦୀର୍ଘ ସମୟ ଅଟକି ରହୁଥିବା ବେଳେ ବହୁ ଲୋକେ ମୃତ୍ୟୁ ମୁଖରେ ପଡିବା ସହ ଅନେକ ଧନ ଜୀବନ ନଷ୍ଟ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ଗତ ୨୦୦୩ ମସିହାରେ ତତ୍‌କାଳୀନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅର୍ଜୁନ ଚରଣ ସେଠୀ ସେତେବେଳର କେନ୍ଦ୍ର ରେଳ ମନ୍ତ୍ରୀ ନୀତିଶ କୁମାରଙ୍କ ଠାରେ ଦୃଢ ଦାବୀ ଉପସ୍ଥାପନ ପୂର୍ବକ ଉଡନ୍ତା ପୋଲ ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର କରାଇଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଅନୁଦାନରେ ପାଖାପାଖି ୫୦ କୋଟି ଟଙ୍କା ବ୍ୟୟରେ ପୋଲ ନିର୍ମାଣ କାର୍ଯ୍ୟ ୨୦୦୮ ମସିହାରେ ଶେଷ ହୋଇଥିଲା । ଏହା ନିର୍ମାଣ ପରେ ଭଦ୍ରକ , ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ପରି ୪ ଗୋଟି ଜିଲ୍ଲାର ଜନସାଧାରଣ ସୁବିଧାରେ ଯାତାୟତ କରି ଆସୁଛନ୍ତି । ଦୈନିକ ଶତାଧିକ ଯାତ୍ରୀବାହୀ ବସ, କେନ୍ଦୁଝରରୁ ଆଇରନ ଟ୍ରକ ସମେତ ଶହ ଶହ ସଂଖ୍ୟାରେ ମାଲ ବୋଝେଇ ଭାରି ଯାନ ବିଶେଷକରି ନିକଟସ୍ଥ ବେଦାନ୍ତ ଫେକର ପ୍ଲାଟଂକୁ ଯାଆ ଆସ କରି ଆସୁଛି । ହେଲେ ଏହି ପୋଲ ନିର୍ମାଣର ଇତିମଧ୍ୟରେ ୧୮ ବର୍ଷ ବିତି ଯାଇଥିଲେ ମଧ୍ୟ ସ୍ଥାୟୀ ମରାମତି କରାନଯାଇ ଖାଲ ଗୁଡିକରେ ପ୍ୟାଚ୍ ପକା କାମରେ ସୀମିତ ରଖାଯାଉଛି । ଏବେ ଉକ୍ତ ସୁଦୀର୍ଘ ପୋଲର ଉଭୟ ପାଶ୍ୱର୍ରେ କଂକ୍ରିଟ ଭାଙ୍ଗିଯାଇ ବଡ ବଡ ଗର୍ତ ସାଙ୍ଗକୁ ବିଭିନ୍ନ ସ୍ଥାନରେ ବ୍ୟବହୃତ ଲୁହା ରଡ ଭଗ୍ନ ଓ ବିପଦପୂର୍ଣ୍ଣ ଭାବେ ଟେକି ହୋଇ ରହିଛି । ଫଳରେ ପ୍ରତ୍ୟେକ ଦିନ ଦୁଇ ଚକିଆ ଯାନରେ ଯିବା ଆସିବା କରୁଥିବା ଲୋକେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହେଉଛନ୍ତି । ଅନ୍ୟପକ୍ଷରେ ରାନ୍ଦିଆ ସିନେମା ହଲ୍ ପାଶ୍ୱର୍ରୁ ଯାଉଥୁବା ଗାଡି ଗୁଡିକ ଭଗ୍ନ ସ୍ଥାନକୁ ଅତିକ୍ରମ ବେଳେ ଗୁରୁତର ଟ୍ରାଫିକ ସମସ୍ୟା ଦେଖା ଦେଉଛି । ଆଗାମୀ ପାର୍ବଣଋତୁ ଏବଂ ଭଦ୍ରକର ଐତିହାସିକ କାଳୀ ପୂଜା ପୂର୍ବରୁ ତୁରନ୍ତ ରେଳ ଉଡନ୍ତା ପୋଲର ନିର୍ମାଣ ପାଇଁ ଅଚଂଳବାସୀ ଦୃଢ ଦାବୀ କରିଛନ୍ତି । ଉପରୋକ୍ତ ସମସ୍ୟା ନେଇ ପୂର୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଦେବୀ ପ୍ରସନ୍ନ ଘୋଷ କହନ୍ତି ପୋଲ ମରାମତି ପାଇଁ ଟେଣ୍ଡର ହୋଇଥିଲା, କୌଣସି କାରଣ ବଶତଃ କାର୍ଯ୍ୟ ହୋଇ ପାରିନାହିଁ , ତୁରନ୍ତ ଦୃଷ୍ଟି ଦିଆଯିବ । ଏନେଇ ଭଦ୍ରକ ଦିଶା କମିଟିର ସଭ୍ୟ ଭରତ ଚନ୍ଦ୍ର ରାଉତ କହନ୍ତି, ଏକାଧିକବାର ବୈଠକରେ ଏହି ଉଡନ୍ତା ପୋଲର ତୁରନ୍ତ ମରାମତି ଦାବୀ ଉପସ୍ଥାପନ କରିଆସୁଥିବା ବେଳେ କୌଣସି କିଛି ସମାଧାନ ନହେବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରତ୍ୟେହ ଗାଡି ମୋଟର ସହ ହଜାର ହଜାର ଯାତ୍ରୀ, ନିକଟରେ ଥିବା ଓଲଙ୍ଗ ଆଦର୍ଶ ବିଦ୍ୟାଳୟ, ରାନ୍ଦିଆ ଡିଏଭି ସ୍କୁଲ୍‌, ହାଇସ୍କୁଲ୍‌, କଲେଜ ଏବଂ ବେଦାନ୍ତ ଫେକରର ଶହ ଶହ ସଂଖ୍ୟାରେ କର୍ମଚାରୀ ରେଳ ପୋଲର ଜରାଜୀର୍ଣ୍ଣ ଅବସ୍ଥା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି । ବିଭାଗ ପକ୍ଷରୁ ତୁରନ୍ତ ମରାମତି କରା ନଗଲେ ରାନ୍ଦିଆ ପଂଚାୟତବାସୀଙ୍କ ପକ୍ଷରୁ ରାସ୍ତାରୋକ କରାଯିବ ବୋଲି ସମାଜସେବୀ ସିକନ୍ଦର ଜେନା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.