ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ଆଇନଜୀବୀ ତଥା ସମାଜସେବୀ ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ୭ତମ ଶ୍ରାଦ୍ଧବାର୍ଷିକୀ ସ୍ମୃତିରେ ଭଦ୍ରକ ଓକିଲ ସଂଘ ଓ ଯତୀନ୍ଦ୍ର ମୋହନ ସ୍ମୃତି ସଂସଦ ମିଳିତ ସହଯୋଗରେ “ଆଇନ ଆଲୋଚନାଚକ୍ର ଓ ଯୁବ ଆଇନଜୀବୀ ସମ୍ମାନ ପ୍ରଦାନ’ କାର୍ଯ୍ୟକ୍ରମ ଭଦ୍ରକ ଓକିଲ ସଂଘ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଓକିଲ ସଂଘର ସଭାପତି ଆଇନଜୀବୀ ଅରୁଣ କୁମାର ଚାନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ନିତ୍ୟାନନ୍ଦ ଦାସ, ସ୍ୱର୍ଗତ ମହାନ୍ତି ଆଇନ ବୃତିରେ ଥାଇ ମଧ୍ୟ ଜଣେ ସାହିତ୍ୟାନୁରାଗୀ ବ୍ୟକ୍ତି ଥିଲେ ବୋଲି ମତ ପ୍ରକାଶ କରିଥିଲେ । ବରିଷ୍ଠ ଆଇନଜୀବୀ ଦିବ୍ୟ ସିଂହ ନାୟକ ସ୍ୱର୍ଗତ ମହାନ୍ତିଙ୍କ ଗୁଣଗାନ କରିବାସହ ସାଇବର ଅପରାଧକୁ ପ୍ରତିହତ କରିବା ପାଇଁ ସଚେତନତାର ବାର୍ତା ଦେଇଥିଲେ । ଅନ୍ୟତମ ଆଲୋଚକ ଭାବରେ ପ୍ରାକ୍ତନ ଅଧ୍ୟକ୍ଷ ତଥା ଆଇନଜୀବୀ ସୌରେଶ ମହାନ୍ତି ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ର ବିଭିନ୍ନ ଅନୁଛେଦକୁ ପ୍ରାଞ୍ଜଳ ଭାବରେ ଆଲୋଚନା କରିବା ସହ କିଭଳି ଅଧିକ ଅର୍ଥ ଲୋଭରେ ସାଧାରଣ ସରଳ ଲୋକମାନେ ସାଇବର ଅପରାଧର ଶିକାର ହେଉଛନ୍ତି ଓ ସେଥିରୁ କିପରି ମୁକୁଳି ପାରିବେ ସେ ବାବଦରେ ସମସ୍ତଙ୍କୁ ଆଲୋଚନା ମାଧ୍ୟମରେ ସଚେତନ କରାଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ପବନ ଶର୍ମା, ଆଦିତ୍ୟ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ସଂଘର ସମ୍ପାଦକ ପୂର୍ଣ ଚନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଯୁବ ଆଇନଜୀବୀ ମୋଜାହିଦ୍ ଅକତର ଖାନଙ୍କୁ ଯତୀନ୍ଦ୍ର ମୋହନ ଯୁବ ଆଇନଜୀବୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉତ୍ସ୍ୱର ସଂଯୋଜନା କରିଥିଲେ ଆଇନଜୀବୀ ଜିତେନ୍ଦ୍ର ପଣ୍ଡା, ଗଣେଶ ଦାସ, ରଞ୍ଜନ ଲେଙ୍କା, ଅଶୋକ ପାଲ ଓ ସମାୟୁଲୁନ ନବୀ । ପରିଶେଷରେ ସଂଘର ଉପ ସଭାପତି ବୁଦ୍ଧିରାମ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।








