ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୋଟ ଚୋରି ମାମଲାରେ ଫସି ଶେଷରେ ନିଲମ୍ବିତ ହୋଇଥିବା ଧାମନଗର ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ସନ୍ତୋଷ ନାୟକଙ୍କ କାର୍ଯ୍ୟକାଳକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ଶ୍ରୀ ନାୟକଙ୍କ ନିଲମ୍ବନ ପରେ ଏନ୍ଏସି ପ୍ରଶାସନର ମୁଖା ଖୋଲିବାରେ ଲାଗିଛି ଏବଂ ତାଙ୍କ ସମୟରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପେଡ଼ି ଖୋଲିବାରେ ଲାଗିଛି। ପୂର୍ବତନ ଇଓ ଶ୍ରୀ ନାୟକଙ୍କ କାର୍ଯ୍ୟକାଳ ମଧ୍ୟରେ ସହରର ବିକାଶ ନାଁରେ କେବଳ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ସହରରେ ମଶା ଧୂଆଁ (ଫଗିଂ) ଛାଡ଼ିବାଠାରୁ ଆରମ୍ଭ କରି ବିଭିନ୍ନ ୱାର୍ଡରେ ରାସ୍ତା ନିର୍ମାଣ, ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଏବଂ ଡ୍ରେନ୍ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ଥାନୀୟ ଲୋକେ ଓ ସଚେତନ ନାଗରିକମାନେ ଅଭିଯୋଗ ଆଣିଛନ୍ତି। କାଗଜପତ୍ରରେ କାମ ସବୁ ସଂପୂର୍ଣ୍ଣ ଦର୍ଶାଯାଇ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ନେଇ ମଧ୍ୟ ଆଲୋଚନା ହେଉଛି।ଅନ୍ୟପକ୍ଷରେ, ଶ୍ରୀ ନାୟକ ନିଲମ୍ବିତ ହେବାକୁ ପାଖାପାଖି ୫ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତାଙ୍କ ସ୍ଥାନରେ କୌଣସି ନୂତନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଏହାର ସୁଯୋଗ ନେଇ ଏକ ରହସ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ରାତିର ନିଲମ୍ବିତ ଇଓ ଶ୍ରୀ ନାୟକ ଧାମନଗର ଏନ୍ଏସି ଅଫିସକୁ ଆସି କିଛି ପୁରୁଣା କାମର ବିଲ୍ କରୁଥିବା ନେଇ ସହରରେ ବେଶ୍ ଚର୍ଚ୍ଚା ଜାଗ୍ରତ ହୋଇଛି।ଯଦି ଜଣେ ଅଧିକାରୀ ନିଲମ୍ବିତ ଅଛନ୍ତି, ତେବେ ସେ କିପରି ରାତିରେ ଅଫିସକୁ ଆସି ଏଭଳି କାର୍ଯ୍ୟ କରୁଛନ୍ତି, ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ପ୍ରଶାସନିକ ସ୍ୱଚ୍ଛତା ଉପରେ ଏକ ବଡ଼ କଳାଦାଗ ସୃଷ୍ଟି କରିଛି। ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଜଣେ ଦକ୍ଷ ଅଧିକାରୀଙ୍କୁ ନିଯୁକ୍ତି ଦେବା ସହିତ ପୂର୍ବତନ ଇଓଙ୍କ ସମୟର ସମସ୍ତ ଦୁର୍ନୀତି ଓ ଅନିୟମିତତା ବିରୋଧରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ବୁଦ୍ଧିଜୀବୀ ଓ ସାଧାରଣରେ ଦାବି ହେଉଛି।
Home ଜିଲ୍ଲା ପରିକ୍ରମା ଧାମନଗର ଏନଏସିରେ ଖୋଲୁଛି ଗୁମର,ନିଲମ୍ବନର ୫ ଦିନ ବିତି ଯାଇଥିଲେ ବି ନୂତନ ଅଧିକାରୀ ନିଯୁକ୍ତି...








