ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଙ୍ଗନୱାଡ଼ି କର୍ମଚାରୀଙ୍କ ବିଭିନ୍ନ ସମସ୍ୟା, ଦରମା ବୃଦ୍ଧି, ଅବସର ବୟସ ସୀମା ବୃଦ୍ଧି, ଅବସରକାଳୀନ ସହାୟତା ଏବଂ ବିଭାଗୀୟ ଚିଠିକୁ ନେଇ ଭଦ୍ରକରେ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଏହି ସଂଗଠନ ପକ୍ଷରୁ ଶନିବାର ଭଦ୍ରକ ସହରସ୍ଥିତ ଯଶୋଦା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇ ଅଙ୍ଗନୱାଡ଼ି କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।। ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମଜଦୁର ସଂଘର ଉପାଧ୍ୟକ୍ଷା ତଥା ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ର ରାଜ୍ୟ ସଭାନେତ୍ରୀ ସୁମିତା ମହାପାତ୍ର ଉପସ୍ଥିତ ରହି ଅଙ୍ଗନୱାଡ଼ି କର୍ମଚାରୀଙ୍କ ବିଭିନ୍ନ ଦାବି ଓ ସମସ୍ୟା ଉପରେ ମତ ରଖିଥିଲେ। ସଂଘର ଅଭିଯୋଗ ଅନୁସାରେ, ମହିଳା ଓ ଶିଶୁ ବିକାଶ ଓ ମିଶନ୍ ଶକ୍ତି ବିଭାଗର ଅତିରିକ୍ତ ସଚିବ ଏନ୍.ସି. ଜ୍ୟୋତିରଞ୍ଜନ ନାୟକଙ୍କ ଦ୍ୱାରା ୩୧ ଅଗଷ୍ଟ ୨୦୨୬ରେ ଜାରି ହୋଇଥିବା ପତ୍ରରେ ୫୫ ବର୍ଷ ବୟସରେ ଅଙ୍ଗନୱାଡ଼ି କର୍ମଚାରୀଙ୍କ ଶାରୀରିକ ପରୀକ୍ଷା କରିବା ସମ୍ପର୍କରେ ଉଲ୍ଲେଖ ରହିଛି। ଏହି ବ୍ୟବସ୍ଥାକୁ ସଂଘ ବିରୋଧ କରିବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ଅଙ୍ଗନୱାଡ଼ି କର୍ମଚାରୀମାନେ ଦୀର୍ଘବର୍ଷ ଧରି ଗ୍ରାମାଂଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ମହିଳା ଓ ଶିଶୁଙ୍କ ସେବା ସହିତ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନରେ ଭୂମିକା ନିଭାଇ ଆସୁଛନ୍ତି। ଏପରି ସ୍ଥିତିରେ ୫୫ ବର୍ଷ ବୟସକୁ ନେଇ ଶାରୀରିକ ପରୀକ୍ଷା ଏବଂ ଚାକିରିରୁ ବାଦ ଦେବା ସମ୍ପର୍କିତ ପ୍ରସଙ୍ଗ କର୍ମଚାରୀଙ୍କ ମଧ୍ୟରେ ଉଦ୍ବେଗ ସୃଷ୍ଟି କରିଛି ବୋଲି ସଂଘ କହିଛି। ଏହି ପ୍ରସଙ୍ଗରେ ଗତ ୨୮ ସେପ୍େଟମ୍ବରରେ ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିବା ସୂଚନା ଦିଆଯାଇଛି। ସଂଘର ଦାବି ଅନୁଯାୟୀ, ଆଲୋଚନା ସମୟରେ ମନ୍ତ୍ରୀ ଏହି ଚିଠି ସମ୍ପର୍କରେ ଅବଗତ ନଥିବା କଥା କହିଥିଲେ। ସଂଘ ଆହୁରି କହିଛି ଯେ, ପୂର୍ବରୁ ଅଙ୍ଗନୱାଡ଼ି କର୍ମଚାରୀଙ୍କ ଅବସର ବୟସ ସୀମା ୬୨ ବର୍ଷ କରାଯାଇଥିଲା। ଏଥିସହ ଅଙ୍ଗନୱାଡ଼ି କର୍ମଚାରୀଙ୍କ ଅବସର ବୟସକୁ ୬୫ ବର୍ଷକୁ ବୃଦ୍ଧି କରିବା ଏବଂ ମାନଦେୟ ବୃଦ୍ଧି କରିବା ସମ୍ପର୍କରେ ପ୍ରତିଶ୍ରୁତି ଦିଆଯାଇଥିବା ସଂଘ ଦାବି କରିଛି। କିନ୍ତୁ ସଂଘର ଅଭିଯୋଗ ଅନୁସାରେ, ସେହି ଦାବିଗୁଡ଼ିକ ଏପର୍ଯ୍ୟନ୍ତ ପୂରଣ ହୋଇନଥିବା ବେଳେ କର୍ମଚାରୀଙ୍କ ଉପରେ ଅଧିକ କାର୍ଯ୍ୟଭାର ଦିଆଯାଉଛି। ସଂଘର ଅନ୍ୟତମ ଅଭିଯୋଗ ହେଉଛି, ୨୦୧୮ ମସିହାରୁ କେନ୍ଦ୍ରୀୟ ସ୍ତରରେ ଅଙ୍ଗନୱାଡ଼ି କର୍ମଚାରୀଙ୍କ ମାନଦେୟରେ ବୃଦ୍ଧି ହୋଇନାହିଁ। ଏହା ସହିତ ପୋଷଣ କାର୍ଯ୍ୟ ପାଇଁ ଘୋଷିତ ପାରିଶ୍ରମିକ ଦୀର୍ଘଦିନ ଧରି ମିଳୁନଥିବା ଏବଂ ମୋବାଇଲ୍ ରିଚାର୍ଜ ପାଇଁ ଦିଆଯାଉଥିବା ଅର୍ଥ ମଧ୍ୟ ନିୟମିତ ଭାବେ ମିଳୁନଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ ଅଙ୍ଗନୱାଡ଼ି କର୍ମଚାରୀଙ୍କ ସମସ୍ୟା ଓ ଦାବି ଉପରେ ସରକାର ତୁରନ୍ତ ବିଚାର କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ବିଶେଷକରି ୫୫ ବର୍ଷ ବୟସରେ ଶାରୀରିକ ପରୀକ୍ଷା ସମ୍ପର୍କିତ ଚିଠିକୁ ପ୍ରତ୍ୟାହାର କରାଯିବା ସହିତ ଅବସର ବୟସ ୬୫ ବର୍ଷ କରିବା, ମାନଦେୟ ବୃଦ୍ଧି, ଅବସରକାଳୀନ ସହାୟତା ବୃଦ୍ଧି, ପୋଷଣ କାର୍ଯ୍ୟର ପାରିଶ୍ରମିକ ଓ ମୋବାଇଲ୍ ରିଚାର୍ଜ ଅର୍ଥ ନିୟମିତ ପ୍ରଦାନ କରିବା ଆଦି ଦାବି ରହିଛି। ସଂଘ କହିଛି ଯେ, ଦାବିଗୁଡ଼ିକ ଉପରେ ସରକାର ଉଚିତ ପଦକ୍ଷେପ ନନେଲେ ଆସନ୍ତା ୧୨ ଅକ୍ଟୋବର ୨୦୨୬ରୁ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରାଯିବ। ଏହା ସହିତ ବ୍ଲକ ଓ ରାଜ୍ୟସ୍ତରରେ ମଧ୍ୟ ପର୍ଯ୍ୟାୟକ୍ରମେ ଆନ୍ଦୋଳନ ଜାରି ରଖାଯିବ ବୋଲି ସଂଘ ଚେତାବନୀ ଦେଇଛି। ଚିଠି ପ୍ରତ୍ୟାହାର ନହେଲେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟକାଳୀନ ଆନ୍ଦୋଳନର ପଥ ଅବଲମ୍ବନ କରାଯିବ ବୋଲି ମଧ୍ୟ ସଂଘ ପକ୍ଷରୁ କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ କୁହାଯାଇଥିଲା ଯେ, ଅଙ୍ଗନୱାଡ଼ି କର୍ମଚାରୀମାନେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବାରେ ନିୟୋଜିତ ଅଛନ୍ତି। ତେଣୁ ସେମାନଙ୍କ ଦାବି ଓ ସମସ୍ୟା ପ୍ରତି ସରକାର ଗୁରୁତ୍ୱ ଦେଇ ସମାଧାନର ପଥ ବାହାର କରିବା ଆବଶ୍ୟକ ବୋଲି ସଂଘ ମତ ପ୍ରକାଶ କରିଛି। ବହୁ କର୍ମକର୍ତା ଉପସ୍ଥିତ ଏହି ସାମ୍ବାଦିକ ସମ୍ମିଳନୀରେ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍?ର ଭଦ୍ରକ ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ଜେନା, ସମ୍ପାଦିକା ଅନୁପୂର୍ଣ୍ଣା ବିଶ୍ୱାଳ, କୋଷାଧ୍ୟକ୍ଷା ସୁଜାତା ଜେନାଙ୍କ ସମେତ ବିଭିନ୍ନ ବ୍ଲକରୁ ଆସିଥିବା ସଭାନେତ୍ରୀ, ସମ୍ପାଦିକା ଓ କାର୍ଯ୍ୟକର୍ତାମାନେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ରଞ୍ଜିତା ମହାନ୍ତି, ସୋଫିକା ସେରାଷ୍ଟ୍ରତ ନାଳ, ମମତା ପତି, ମଧୁଖ ବାସ, ମମତାରାଣୀ ସାହୁ, ସବିତାବାଳା ମହାନ୍ତି, ପୁଷ୍ପା ଲେଙ୍କା, ରେବତୀ ନାଥ, ପ୍ରତିମା ରାଉତ, ମିନତୀ ଓ ହେମାଙ୍ଗିନୀ ପ୍ରମୁଖ ଉପସ୍ଥିତ ଥିଲେ। ସଂଘ ପକ୍ଷରୁ ଉଠାଯାଇଥିବା ଦାବିଗୁଡ଼ିକ ଉପରେ ସରକାରଙ୍କ ପରବର୍ତୀ ପଦକ୍ଷେପ କ’ଣ ହେବ ଏବଂ ଅକ୍ଟୋବର ୧୨ରେ ଘୋଷିତ ଆନ୍ଦୋଳନ କେଉଁ ରୂପ ନେବ, ତାହା ଉପରେ ଏବେ ଅଙ୍ଗନୱାଡ଼ି କର୍ମଚାରୀ ଓ ସାଧାରଣ ଲୋକଙ୍କ ନଜର ରହିଛି।
Home ଜିଲ୍ଲା ପରିକ୍ରମା ୫୫ ବର୍ଷରେ ଅଙ୍ଗନୱାଡ଼ି କର୍ମଚାରୀଙ୍କ ଶାରୀରିକ ପରୀକ୍ଷା ଓ ଅବସର ପ୍ରସଙ୍ଗକୁ ନେଇ ତେଜିଲା ଅସନ୍ତୋଷ,...








