Home ଜିଲ୍ଲା ପରିକ୍ରମା କାର୍ମେଲ ସ୍କୁଲ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ, ଗାନ୍ଧୀଙ୍କ ଅହିଂସା ଓ ଶାନ୍ତିର ବାର୍ତାକୁ ମନେ...

କାର୍ମେଲ ସ୍କୁଲ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ, ଗାନ୍ଧୀଙ୍କ ଅହିଂସା ଓ ଶାନ୍ତିର ବାର୍ତାକୁ ମନେ ପକାଇଲେ ଗାନ୍ଧୀପ୍ରେମୀ

15

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକସ୍ଥିତ କାର୍ମେଲ ସ୍କୁଲ ପରିସରରେ ଆଜି ଗାନ୍ଧୀ ପିସ୍ ଫାଉଣ୍ଡେଶନ, ଭଦ୍ରକ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହିତ ପାଳିତ ହୋଇଯାଇଛି। ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା, ଶାନ୍ତି ଓ ମାନବିକତାର ଆଦର୍ଶକୁ ସ୍ମରଣ କରିବା ସହ ତାଙ୍କ ଦର୍ଶନକୁ ସମାଜରେ ଆହୁରି ବ୍ୟାପକ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗାନ୍ଧୀ ପିସ୍ ଫାଉଣ୍ଡେଶନ, ଭଦ୍ରକର ସଭାପତି ଅଖିଳ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଗାନ୍ଧୀ ଜୟନ୍ତୀ ସମାରୋହକୁ ଫାଉଣ୍ଡେଶନର ସମ୍ପାଦକ ପବନ କୁମାର ଶର୍ମା ପରିଚାଳନା କରିଥିବାବେଳେ କାର୍ମେଲ ସ୍କୁଲର ଅଧ୍ୟକ୍ଷା ସିଷ୍ଟର ଜସ୍ମିନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶେଷକରି ଯୁବପିଢ଼ି ଓ ଛାତ୍ରଛାତ୍ରୀମାନେ ଗାନ୍ଧୀଙ୍କ ସତ୍ୟ ଓ ଅହିଂସାର ମାର୍ଗକୁ ଅନୁସରଣ କରି ସମାଜରେ ଶାନ୍ତି, ସହନଶୀଳତା ଓ ଭାଇଚାରାର ବାତାବରଣ ସୃଷ୍ଟି କରିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ବରିଷ୍ଠ ଆଇନ୍‌ଜୀବୀ ଦିବ୍ୟସିଂହ ନାୟକ, ସମାଜସେବୀ ଲଲାଟେନ୍ଦୁ ମହାନ୍ତି ପ୍ରମୁଖ ଅନୁଷ୍ଠାନର ବହୁ ବରିଷ୍ଠ ସଦସ୍ୟ ଅଂଶଗ୍ରହଣ କରି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ରାଜ୍ୟର ବରିଷ୍ଠ ସମାଜସେବୀ ଏସଏମ ଫାରୁକଙ୍କୁ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭଦ୍ରକର ବହୁ ଗାନ୍ଧୀପ୍ରେମୀ ଓ ବରିଷ୍ଠ ବ୍ୟକ୍ତିବିଶେଷ ମଧ୍ୟ ଉପସ୍ଥିତ ରହି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ବରିଷ୍ଠ ସଦସ୍ୟ ଓ ଗାନ୍ଧୀପ୍ରେମୀମାନେ ମହାତ୍ମା ଗାନ୍ଧୀଙ୍କ ଦେଶପ୍ରେମ, ସତ୍ୟନିଷ୍ଠା, ଅହିଂସା ଏବଂ ସରଳ ଜୀବନଶୈଳୀ ସମ୍ପର୍କରେ ଆଲୋଚନା କରିଥିଲେ। ଆଜିର ସମାଜରେ ଗାନ୍ଧୀଙ୍କ ଚିନ୍ତାଧାରାର ପ୍ରାସଙ୍ଗିକତା ରହିଥିବା ବେଳେ ତାଙ୍କ ଆଦର୍ଶକୁ ନୂତନ ପିଢ଼ି ମଧ୍ୟରେ ପହଂଚାଇବା ଦିଗରେ ଏଭଳି କାର୍ଯ୍ୟକ୍ରମର ଗୁରୁତ୍ୱ ରହିଛି ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ବିଚାରକ ଭାବେ ଯୋଗଦେଇଥିବା ଆଇନ୍‌ଜୀବୀ ସରୋଜ କୁମାର ଦାସ ଓ ହରିହର ଧଳ ଚୟନ କରିବା ପରେ ପୁରସ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.