ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରବଳ ଲଗାଣ ବର୍ଷା ଏବଂ ବୈତରଣୀ ନଦୀର ବନ୍ୟା ଯୋଗୁଁ ଧାମନଗର ଅଂଚଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ କିଛିଦିନ ହେବ ଲାଗିରହିଥିବା ଅବିଶ୍ରାନ୍ତ ବର୍ଷା ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ସହ ପୁଣିଥରେ ବନ୍ୟା ଆଶଙ୍କା ଦେଖାଦେଇଛି।ବର୍ଷା ଓ ବନ୍ୟା ପାଣି ମାଡ଼ି ଆସିବାରୁ ଧାମନଗର-ଫଳପୁର ମୁଖ୍ୟ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଧାମନଗର ମୁଖ୍ୟ ସଡ଼କ ସହିତ ଧାମନଗର ବ୍ଲକ ରୋଡ ଉପରେ ପ୍ରାୟ ଦୁଇ ଫୁଟ୍ଏ ପର୍ଯ୍ୟନ୍ତ ବନ୍ୟା ଓ ବର୍ଷା ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟାତ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ବାତ୍ୟା ପ୍ରଭାବିତ ଏହି ଲଗାଣ ବର୍ଷା କାରଣରୁ ଧାମନଗର ବ୍ଲକର ବିଭିନ୍ନ ଅଂଚଳରେ ଚାଷ ଜମି ଗୁଡ଼ିକ ଜଳମଗ୍ନ ହୋଇଯାଇଛି। ମାତ୍ର ମାସେ ତଳେ ଲଗାତାର ଆଠ ଥର ବନ୍ୟା ଆସି ଅଂଚଳରେ ବ୍ୟାପକ କ୍ଷତି ଘଟାଇଥିବା ବେଳେ, ବର୍ତମାନର ଏହି ନବମ ବନ୍ୟା ଚାଷୀଙ୍କ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ପାଣିରେ ଧାନ ଫସଲ ନଷ୍ଟ ହେବାକୁ ବସିଥିବାରୁ ଚାଷୀ ନିରାଶ ହୋଇପଡ଼ିଛନ୍ତି। ଏହି ଲଗାଣ ବର୍ଷା ମଧ୍ୟରେ ଦଳାଙ୍ଗ ପଂଚାୟତର ଜାହାଙ୍ଗୀର ରାଉତ ସାହି ନିକଟରେ ଗେଙ୍ଗୁଟି ନଦୀର ବାମ ପଟର ପ୍ରାୟ ୮୦ ଫୁଟ୍ ଅଂଚଳରେ ନଦୀବନ୍ଧ ଧସି ଯାଇଥିବା ଦେଖିବାକୁ ମିଳିଛି। ତେବେ ଖବର ପାଇବା କ୍ଷଣି ଜଳସେଚନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ଏବଂ ତୁରନ୍ତ ସେଠାରେ ପହଂଚି ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାମନଗର ବିଧାୟକ ତଥା ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଭାସି ମାଧ୍ୟମରେ ସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟା ଓ ବର୍ଷା ମୁକାବିଲା ପାଇଁ ବ୍ଲକର ସମସ୍ତ ଅଧିକାରୀଙ୍କୁ ସର୍ବଦା ପ୍ରସ୍ତୁତ ରହିବାକୁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।
Home ଜିଲ୍ଲା ପରିକ୍ରମା ଧାମନଗରରେ ଲଗାଣ ବର୍ଷା ଓ ବୈତରଣୀ ବନ୍ୟା,ଜନଜୀବନ ଅସ୍ତବ୍ୟସ୍ତ, ଭାଙ୍ଗିଗଲା ଚାଷୀଙ୍କ ମେରୁଦଣ୍ଡ,ଗେଙ୍ଗୁଟି ନଦୀରେ ୮୦...








