Home ଜିଲ୍ଲା ପରିକ୍ରମା ଉପେକ୍ଷିତ ଧାମନଗରର ପବିତ୍ର ଉତରବାହିନୀ ଘାଟ, କାଦୁଅ-ଖସଡ଼ାରେ ଚାଲିଛି ପିଣ୍ଡଦାନ ଓ ଶବଦାହ, ମନ୍ତ୍ରୀଙ୍କ ପ୍ରତିଶ୍ରୁତି...

ଉପେକ୍ଷିତ ଧାମନଗରର ପବିତ୍ର ଉତରବାହିନୀ ଘାଟ, କାଦୁଅ-ଖସଡ଼ାରେ ଚାଲିଛି ପିଣ୍ଡଦାନ ଓ ଶବଦାହ, ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର ଗାର

1

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ବୈତରଣୀ ନଦୀ କୂଳରେ ଅବସ୍ଥିତ ଧାମନଗର ବ୍ଲକର ଆନନ୍ଦପୁର ଉତରବାହିନୀ ଘାଟ ଏବେ ଚରମ ଅବହେଳାର ଶିକାର ହୋଇଛି। ପ୍ରାଚୀନ କାଳରୁ ଏହି ଘାଟରେ ପିଣ୍ଡଦାନ, ଅସ୍ଥି ବିସର୍ଜନ ଓ ଶବଦାହ କଲେ ପୂଣ୍ୟ ମିଳେ ବୋଲି ପ୍ରଗାଢ଼ ବିଶ୍ୱାସ ରହିଛି। ପାଖରେ ଥିବା ଐତିହାସିକ ଜଗନ୍ନାଥ ମଠ ମନ୍ଦିର ଏବଂ କାର୍ତିକ ପୂର୍ଣ୍ଣିମାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବା ଏହି ସ୍ଥାନର ଆଧ୍ୟାତ୍ମିକ ମହତ୍ୱକୁ ଦର୍ଶାଉଛି। ଭଦ୍ରକ ତଥା ଆଖପାଖ ଅଂଚଳରୁ ଦୈନିକ ଶହ ଶହ ଲୋକ ଏଠାକୁ ଆସୁଥିବା ବେଳେ ପ୍ରଶାସନିକ ଉଦାସୀନତା ଯୋଗୁଁ ଘାଟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ନଦୀବନ୍ଧରୁ ଘାଟ ପର୍ଯ୍ୟନ୍ତ ନା ଅଛି ପକ୍କା ରାସ୍ତା, ନା ରହିଛି ନଦୀକୁ ଓହ୍ଲାଇବା ପାଇଁ ପାହାଚ। କାଦୁଅ ଓ ଖସଡ଼ା ରାସ୍ତାରେ ଲୋକେ ଜୀବନକୁ ବାଜି ଲଗାଇ ପିଣ୍ଡଦାନ ଓ ଶବସତ୍କାର କରୁଛନ୍ତି। ଫଳସ୍ୱରୂପ ଅନେକ ସମୟରେ ଲୋକେ ଖସିପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। କ୍ଷୋଭର ବିଷୟ, ପୂର୍ବତନ ବିରୋଧୀ ଦଳ ଉପନେତା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଅସ୍ଥି ଏହି ଘାଟରେ ତାଙ୍କ ପୁଅ ତଥା ବର୍ତମାନର ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିସର୍ଜନ କରିଥିଲେ। ସେହି ସମୟରେ ସେ ଏହି ପବିତ୍ର ସ୍ଥଳର ଉନ୍ନତୀକରଣ ତଥା ଅତ୍ୟାଧୁନିକ ବିକାଶ ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବିଧାୟକରୁ ମନ୍ତ୍ରୀ ହେବା ପରେ ମଧ୍ୟ ଘାଟକୁ ଏକ ଭଲ ରାସ୍ତା ଖଣ୍ଡେ ହୋଇପାରିଲା ନାହିଁ କି ଘାଟର ବିକାଶ ହେଲାନାହିଁ। ଏହି ଉପେକ୍ଷାକୁ ନେଇ ସ୍ଥାନୀୟ ଜନସାଧାରଣ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏଠାରେ ପକ୍କା ରାସ୍ତା ଓ ସୁରକ୍ଷିତ ଘାଟ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.