Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକ ଅଫିସ ଆଗରେ କୃତ୍ରିମ ବନ୍ୟା, ସାମାନ୍ୟ ବର୍ଷାରେ ଲହଡ଼ି ମାରୁଛି ପାଣି, ଦୁର୍ଦ୍ଦଶାରେ...

ଧାମନଗର ବ୍ଲକ ଅଫିସ ଆଗରେ କୃତ୍ରିମ ବନ୍ୟା, ସାମାନ୍ୟ ବର୍ଷାରେ ଲହଡ଼ି ମାରୁଛି ପାଣି, ଦୁର୍ଦ୍ଦଶାରେ ଜନସାଧାରଣ, ଦୀପତଳ ଅନ୍ଧାର

0

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟା ସମସ୍ୟା ଏବେ ସାଧାରଣରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି। ସାମାନ୍ୟ ବର୍ଷା ହେଲେ ମଧ୍ୟ ବ୍ଲକ କାର୍ଯ୍ୟାଳୟ ଆଗରେ ବର୍ଷା ଜଳ ଜମିରହି ଲହଡ଼ି ମାରୁଥିବା ଦେଖିବାକୁ ମିଳୁଛି, ଦୀପତଳ ଅନ୍ଧାର ଭଳି ଯାହାକି ପ୍ରଶାସନିକ କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛ। ପୂର୍ବ ସରକାର ଅମଳରେ ବ୍ଲକ କାର୍ଯ୍ୟାଳୟ ପରିସର କଂକ୍ରିଟ କରାଯାଇଥିଲା। ମାତ୍ର ଚାରିପାଖ ଅପେକ୍ଷା କାର୍ଯ୍ୟାଳୟ ସମ୍ମୁଖ ଅଂଚଳ ଉଚ୍ଚା ହୋଇଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ। ପରିସରରେ ଜଳ ଜମିରହି ନେଳି ଲାଗିଯିବା ଯୋଗୁଁ ସ୍ଥାନଟି ଅତ୍ୟନ୍ତ ଖସଡ଼ା ହୋଇଯାଉଛି। ଫଳରେ ବିଭିନ୍ନ କାମରେ ଆସୁଥିବା ସାଧାରଣ ଲୋକ ଓ ବୃଦ୍ଧ ବୃଦ୍ଧାମାନେ ପଡ଼ି ଆହତ ହେଉଛନ୍ତି। ଧାମନଗର ବ୍ଲକର ୩୦ ଟି ପଂଚାୟତରୁ ଶହ ଶହ ଲୋକ ନିଜର ବିଭିନ୍ନ କାର୍ଯ୍ୟ ପାଇଁ ପ୍ରତିଦିନ ଏଠାକୁ ଆସୁଥାନ୍ତି। କିନ୍ତୁ ବର୍ଷା ସମୟରେ ଏହି ବର୍ଷା ଜଳ ପରିସ୍ଥିତି ଯୋଗୁଁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଦୀର୍ଘ ୪ ବର୍ଷ ହେବ ବିଡ଼ିଓ ଭାବେ ଦାୟିତ୍ୱରେ ଥିବା ବନବିହାରୀ ଦିନ୍ଦା ସରକାର ପରିବର୍ତନ ସତ୍ୱେ ନିଜସ୍ୱ ରହସ୍ୟଜନକ ଶୈଳୀରେ କାର୍ଯ୍ୟ ଚଳାଇ ସମତଙ୍କୁ ସନ୍ତୁଷ୍ଟ କରାଇ ସୁଚାରୁ ରୂପେ କାର୍ଯ୍ୟ ଚଳାଇ ଆସୁଥିବା ବେଳେ ନିଜ ଅଫିସ ଆଗର ଏପରି ବିପର୍ଯ୍ୟସ୍ତ ଅବସ୍ଥା ପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି। ବିଡ଼ିଓ ଏବଂ ଚେୟାରମେନ ଙ୍କ କାର୍ଯ୍ୟାଳୟକୁ ଆଧୁନିକୀକରଣ (ମଡେଲିଂ) କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ, ଯେଉଁଠି ସାଧାରଣ ଲୋକଙ୍କ ଭିଡ଼ ଜମେ ସେହି ମୁଖ୍ୟ ପ୍ରବେଶ ପଥ ପ୍ରତି କାହାରି ନଜର ନାହିଁ। କାର୍ଯ୍ୟାଳୟ ସମ୍ମୁଖରେ ଆଉ ପ୍ରାୟ ଏକ ଫୁଟ୍ ଉଚ୍ଚ କରି କଂକ୍ରିଟ୍ ଢ଼ାଳିଲେ କିମ୍ବା ଉଚ୍ଚ ମାନର ଜଳ ନିଷ୍କାସନ ବ୍ୟବସ୍ଥା କରାଗଲେ ଏହି ସମସ୍ୟାର ସମାଧାନ ହୋଇପାରନ୍ତା। ତେବେ ପ୍ରଶାସନ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ପ୍ରତି କେବେ ଦୃଷ୍ଟି ଦେବ ଏବଂ ଜନସାଧାରଣଙ୍କ ଦୁର୍ଦ୍ଦଶା ଦୂର ହେବ, ତାହାହିଁ ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.