
ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ରେ ବନ୍ୟା ପରେ ବିପନ୍ନଙ୍କ ପାଇଁ ଆସିଥିବା ରିଲିଫ ଚାଉଳ ବଂଟନ ତାଲିକାକୁ ନେଇ ଭଗବାନପୁର ପଂଚାୟତର ଅନହରପୁର ରାଜସ୍ୱ ଗ୍ରାମରେ ଅସନ୍ତୋଷ ତୀବ୍ର ହୋଇଛି। ପ୍ରକୃତ ବନ୍ୟା ପ୍ରଭାବିତ ପରିବାରଙ୍କ ନାମ ତାଲିକାରୁ ବାଦ ପଡ଼ିଥିବା ଏବଂ ହିତାଧିକାରୀ ଚୟନରେ ପକ୍ଷପାତ ହୋଇଥିବା ଅଭିଯୋଗ ଉଠିବା ପରେ ଏହାକୁ ନେଇ ବିଡ଼ିଓ ନିକଟରେ ଲିଖିତ ଅଭିଯୋଗ ହୋଇଛି।ଭଗବାନପୁର ପଂଚାୟତର ସମିତିସଭ୍ୟ ସୁଦୀପ୍ତ ଖଟୁଆ, ଅନହରପୁର ଗ୍ରାମ ର ଜଗବନ୍ଧୁ ଜେନା, ଚକ୍ରଧର ରାଉତ, ରାମଚନ୍ଦ୍ର ସେଠୀ, ଖଗେଶ୍ୱର ଜେନା, ଶଶୀରେଖା ଜେନା, କବିତା ରାଉତ, ରତିକାନ୍ତ ରାଉତ, ବୁଦ୍ଧିରାମ ଜେନା, କନକଲତା ଦେହୁରୀ, କାଳନ୍ଦୀ ବେହେରା, ଚକ୍ରଧର ଦେହୁରୀ, ପର୍ଶୁରାମ ସାମଲ, ନାରାୟଣ ଦେହୁରୀ, ଶିବାନନ୍ଦ ବିଶ୍ୱାଳ, ମୋହନ ବେହେରା ଓ ଅଶୋକ ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି।ସୂଚନା ଥାଉକି ରିଲିଫ ପାଇବାକୁ ଯୋଗ୍ୟ ଅନେକ ପରିବାରଙ୍କ ନାମ ତାଲିକାରୁ କଟିଯାଇଛି। ଏଥିରେ ରାଜନୈତିକ ଆକ୍ରୋଶର ପ୍ରଭାବ ରହିଥିବା ମଧ୍ୟ ଅଭିଯୋଗ ହୋଇଛି। ଏପରିକି ମୂଳ ତାଲିକା ପ୍ରସ୍ତୁତ ହେବା ପରେ ତାହାରେ କାହା ହସ୍ତକ୍ଷେପରେ ପରିବର୍ତନ ହେଲା, ତାହାର ତଦନ୍ତ ଦାବି କରାଯାଇଛି। ଅନ୍ୟପକ୍ଷରେ, ଅଙ୍ଗନବାଡ଼ି କେନ୍ଦ୍ର ଅଂଚଳର ମୁଖିଆ ଓ ତାଙ୍କ ପରିବାର ସମ୍ପର୍କିତ ତାଲିକା ଦେବାକୁ ବ୍ଲକ ପ୍ରଶାସନ ପକ୍ଷରୁ ଅତି ସ୍ୱଳ୍ପ ସମୟ ଦିଆଯାଇଥିଲେ ମଧ୍ୟ ସେମାନଙ୍କ ପକ୍ଷରୁ ପ୍ରାୟ ସଠିକ ତାଲିକା ଦିଆଯାଇଥିବା କୁହାଯାଇଛି। ଏହି ପରିପ୍ରେକ୍ଷୀରେ ମୂଳ ତାଲିକା ଓ ପରବର୍ତୀ ତାଲିକା ମଧ୍ୟରେ ଯଦି ପାର୍ଥକ୍ୟ ରହିଛି, ତେବେ ତାହା କିପରି ଓ କାହା ଦ୍ୱାରା ହେଲା ଏହା ଏବେ ମୁଖ୍ୟ ପ୍ରଶ୍ନ ପାଲଟିଛି। ଧାମନଗର ବିଡିଓ ବନ ବିହାରୀ ଦିଣ୍ଡା ଅଭିଯୋଗର ତଦନ୍ତ କରିବା ପରେ ରିଲିଫ ବଂଟନ କରାଯିବ ବୋଲି କହିଛନ୍ତି।







