Home ଜିଲ୍ଲା ପରିକ୍ରମା ୨୫୨ ଜଣ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ପଦୋନ୍ନତି

୨୫୨ ଜଣ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ପଦୋନ୍ନତି

3

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ଚାରିବର୍ଷ ପରେ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ମିଳିଲା। ଓଡ଼ିଶା ସରକାରଙ୍କ ଗଣଶିକ୍ଷା ସଚିବଙ୍କ ଚିଠି ନଂ ୧୨୨୭୦/୧୩.୫.୨୬ ଅନୁସାରେ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୫୨ ଶିକ୍ଷକଙ୍କୁ ପଦୋନ୍ନତି ମିଳିଛି। ଏହାମଧ୍ୟରୁ ଲେବୁଲ-ଆଇଭି ରେ ଥିବା କଳା ଓ ବିଜ୍ଞାନ ସ୍ନାତକ ଶିକ୍ଷକ ୨୩୭ ଜଣଙ୍କୁ ଜିଲାର ୭ଟି ବ୍ଲକ୍‌ର ବିଭିନ୍ନ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପଦୋନ୍ନତି ଦିଆଯାଇ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ପ୍ରାଥମିକ ବିଦ୍ୟାଳୟରେ ୧୫ ଜଣ ବରିଷ୍ଠ ପ୍ରଧାନ ଶିକ୍ଷକ ଭାବରେ ପଦୋନ୍ନତି ପାଇଛନ୍ତି। ପଦୋନ୍ନତି ମିଳିବା ପରେ ଏହି ଶିକ୍ଷକମାନେ ୪୬୦୦ ଗ୍ରେଡ୍ ପେ ହାରରେ ଦରମା ପାଇବେ। ପ୍ରକାଶ ଥାଉକି ଏହି ଶିକ୍ଷକମାନେ ପଦୋନ୍ନତି ନିମନ୍ତେ ରାଜରାସ୍ତାରେ ଲଢେଇ ଜାରି ରଖିଥିଲେ। ଭଦ୍ରକ ଜିଲାରେ ଶିକ୍ଷକମାନଙ୍କର ପଦୋନ୍ନତି ନିମନ୍ତେ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଗାଇଡ୍ ଲାଇନ୍ ଅନୁସାରେ ଭଦ୍ରକ ଜିଲାର ଜିଲାସ୍ତରୀୟ ପଦୋନ୍ନତି କମିଟି ଦ୍ୱାରା ସ୍ୱୀକୃତି ପାଇ ଶିକ୍ଷକମାନେ ପଦୋନ୍ନତି ପାଇଛନ୍ତି। ଶିକ୍ଷକମାନଙ୍କ ପଦୋନ୍ନତିକୁ ରାଜ୍ୟ ଶିକ୍ଷା ନିର୍ଦ୍ଦେଶାଳୟ ସେପ୍ଟେମ୍ବର ୩ ତାରିଖ ଦିନ ସ୍ୱୀକୃତି ପ୍ରଦାନ କରିଥିଲେ। ନିର୍ଦ୍ଦେଶକ ଏହି ସ୍ୱୀକୃତି ପ୍ରଦାନ ପରେ ଜିଲା ହାଇସ୍କୁଲରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ କାଉନସିଲିଂ ଜରିଆରେ କେବଳ ଲେବୁଲ-୩ ପ୍ରଧାନ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି। ବକେୟା ୧୨ ଶହ ଶିକ୍ଷକଙ୍କ ପଦୋନ୍ନତି ପ୍ରକ୍ରିୟା ଶୀଘ୍ର ସାରିବାକୁ ଶିକ୍ଷକମାନେ ଦାବି କରିଛନ୍ତି। ଭଦ୍ରକ ଜିଲାରେ ପଦୋନ୍ନତି ପାଇବାକୁ ଆହୁରି ଶିକ୍ଷକ ବାକି ଅଛନ୍ତି। ତାହା ଏ ରୁ ବି ଓ ବି ରୁ ଆଇଭି। ଲେବୁଲ-ଭି ରେ ଥିବା ଶିକ୍ଷକମାନଙ୍କ ମଧ୍ୟରୁ କଳା ଓ ବିଜ୍ଞାନରେ ପାଖାପାଖି ୩୫୦ ଓ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ୧୫୦ ଜଣ ପଦୋନ୍ନତି ପାଇବାର ହକଦାର ଅଛନ୍ତି। ଠିକ୍ ସେହିପରି ଲେବୁଲ-ଭି-ଏ ରୁ ଲେବୁଲ -ଭି-ବି କୁ ପଦୋନ୍ନତି ପାଇବା ନିମନ୍ତେ ୮୫୦ ଜଣ ଶିକ୍ଷକ ଅପେକ୍ଷାରେ ଅଛନ୍ତି। ଏହିସବୁ ଶିକ୍ଷକ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ମିଳିଳେ ପାଠପଢା ସୁରୁଖୁରୁରେ ଚାଲିବ ବୋଲି ଶିକ୍ଷାବିତ୍ ମହଲରେ ମତପ୍ରକାଶ ପାଇଛି। ବିଭାଗୀୟ ତଥ୍ୟ ଅନୁଯାୟୀ ଭଦ୍ରକ ବ୍ଲକ୍‌ରେ ୭୪ ଜଣ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ପାଇଥିବାବେଳେ ୫୪ ଟି ଫାଙ୍କା ପଡିଅଛି। ସେହିପରି ବାସୁଦେବପୁର ବ୍ଲକ୍‌ରେ ୬୨ ଜଣ ପଦୋନ୍ନତି ପାଇଥିବାବେଳେ ୪୩ ଟି ଫାଙ୍କା ଅଛି, ବନ୍ତରେ ୨୮ ଜଣ ନିଯୁକ୍ତି ପାଇଲାବେଳେ ୩୬ ଟି ଫାଙ୍କା ପଡିଛି, ଭଣ୍ଡାରିପୋଖରୀରେ ୩୫ ଟି ଶୂନ୍ୟ ଥିବା ପଦବୀରୁ ୧୭ ଜଣଙ୍କୁ ପ୍ରଧାନ ଶିକ୍ଷକ ନିଯୁକ୍ତି ମିଳିଛି। ଚାନ୍ଦବାଲିରେ ୩୨ଟି ଶୂନ୍ୟ ପଦବୀ ପଡିଥିବାବେଳେ ୧୮ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଧାମନଗରରେ ୩୭ ଟି ଫାଙ୍କା ପଡିଥିବାବେଳେ ୨୦ ଜଣଙ୍କୁ ଓ ତିହିଡିରେ ୨୫ ପ୍ରଧାନ ଶିକ୍ଷକ ପଦବୀ ଫାଙ୍କା ପଡିଥିବାବେଳେ ୧୮ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.