ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ‘ବନ୍ଦେ ଉତ୍କଳ ଜନନୀ’ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏକ ପ୍ରତିମୂର୍ତି ସ୍ଥାପନ ପାଇଁ ରାଜ୍ୟ ସରକାର ଅର୍ଥରାଶି ମଞ୍ଜୁର କରିବା ଓ ତିହିଡ଼ି ଏନ୍ଏସି ବଜାରରେ କାନ୍ତକବିଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତି ସ୍ଥାପନ କରାଯିବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।ତେବେ ଏହି ପ୍ରତିଶ୍ରୁତି ମିଳିବା ପରେ ମନ୍ତ୍ରୀ ସୁରଜଙ୍କୁ ସାଧାରଣରେ ପ୍ରସଂଶା କରାଯାଇଛି। ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଶିକ୍ଷା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ଫକୀରମୋହନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପଛରେ ଭଦ୍ରକବାସୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଓ ଆତ୍ମିକ ସମ୍ପର୍କ ରହିଆସିଛି । ଆଧୁନିକ ଓଡ଼ିଆ ସାହିତ୍ୟର କର୍ଣ୍ଣଧାର ବ୍ୟାସକବି ଫକୀରମୋହନଙ୍କ ସ୍ମୃତିବହନ କରୁଥିବା ଏହି ଶିକ୍ଷାନୁଷ୍ଠାନରେ ଭଦ୍ରକ ମାଟିର ଯଶସ୍ୱୀ ସନ୍ତାନ କାନ୍ତକବିଙ୍କ ସ୍ମୃତିରକ୍ଷା ଓ ଗବେଷଣା ନିମନ୍ତେ ଏକ ସ୍ୱତନ୍ତ୍ର ଚେୟାର ପ୍ରତିଷ୍ଠା ସହ ପ୍ରତିମୂର୍ତି ସ୍ଥାପନ ପାଇଁ ୨୦୨୧ ମସିହାରୁ ‘ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ’ ପକ୍ଷରୁ କୁଳପତିଙ୍କୁ ଦାବି ଜଣାଯାଇଥିଲା । ବିଶେଷ କରି ‘ବନ୍ଦେ ଉତ୍କଳ ଜନନୀ’ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇବା ପରେ ଏହି ଦାବି ଆହୁରି ଜୋର୍ ଧରିଥିଲା । ଗତକାଲି, ଶନିବାର ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଭୁବନେଶ୍ୱର ଆବାସିକ କାର୍ଯ୍ୟାଳୟ ପରିସରରେ ‘ତ୍ୟାଗଭୂମି’ର ସଭାପତି ଅଜୟ ନାୟକଙ୍କ ସମେତ କର୍ମକର୍ତାମାନେ ଏହି ପ୍ରସଙ୍ଗରେ ପୂର୍ବରୁ ଦିଆଯାଇଥିବା ଲିଖିତ ଦାବିପତ୍ର ଉପରେ ବିସ୍ତୃତ ଆଲୋଚନା କରିଥିଲେ । ମନ୍ତ୍ରୀ ଏହି ପ୍ରସ୍ତାବକୁ ଉଲ୍ଲାସ ପୂର୍ବକ ସ୍ୱୀକାର କରି ଫକୀରମୋହନ ବିଶ୍ୱବିଦ୍ୟାଳୟରେ କାନ୍ତକବିଙ୍କ ପ୍ରତିମୂର୍ତି ସ୍ଥାପନ ପାଇଁ ଅର୍ଥମଞ୍ଜୁର କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ତିହିଡ଼ି ଏନ୍ଏସି ବଜାରରେ ମଧ୍ୟ କାନ୍ତକବିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତି ସ୍ଥାପନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସରକାରଙ୍କ ଏହି ନିଷ୍ପତିକୁ ଭଦ୍ରକ ତଥା ସମଗ୍ର ରାଜ୍ୟର ସାହିତ୍ୟପ୍ରେମୀ ସ୍ୱାଗତ କରିଛନ୍ତି । ବିଶେଷତଃ କାନ୍ତକବିଙ୍କ ଜନ୍ମମାଟିରେ ପୂର୍ଣ୍ଣାବୟବ ପ୍ରତିମୂର୍ତି ନିର୍ମାଣ ନିଷ୍ପତି ହେବା ପରେ ତିହିଡ଼ି ଅଞ୍ଚଳରେ ଦୀର୍ଘଦିନରୁ ଅପେକ୍ଷାରତ ସାରସ୍ୱତ ସାଧକ ଓ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି । ଏହା କେବଳ କାନ୍ତକବିଙ୍କ ପ୍ରତି ଆନୁଷ୍ଠାନିକ ଶ୍ରଦ୍ଧାଞ୍ଜଳି ହେବନାହିଁ, ବରଂ ଓଡ଼ିଆ ଭାଷା, ସାହିତ୍ୟ ଓ ଗବେଷଣାର ପରମ୍ପରାକୁ ଆଗାମୀ ପିଢ଼ି ପାଇଁ ଅଧିକ ସମୃଦ୍ଧ କରିବ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି ।
Home ଜିଲ୍ଲା ପରିକ୍ରମା ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ତିହିଡିରେ ସ୍ଥାପିତ ହେବ କାନ୍ତକବିଙ୍କ ପ୍ରତିମୂର୍ତି, ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ସାଧାରଣରେ ପ୍ରଶଂସା







