Home ଜିଲ୍ଲା ପରିକ୍ରମା ୯ମ ପଂଚାୟତ ସମିତି ବୈଠକ,ବିଧାୟକଙ୍କ ପ୍ରତିନିଧିଙ୍କୁ ନେଇ ବିଜେପିର ଦୁଇଗୋଷ୍ଠୀଙ୍କ ମଧ୍ୟରେ ତୁ ତୁ ମେଁ...

୯ମ ପଂଚାୟତ ସମିତି ବୈଠକ,ବିଧାୟକଙ୍କ ପ୍ରତିନିଧିଙ୍କୁ ନେଇ ବିଜେପିର ଦୁଇଗୋଷ୍ଠୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ

1

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପଂଚାୟତ ସମିତି ବୈଠକରେ ବିଜେପିର ନୂଆ ଓ ପୁରୁଣା ଗୋଷ୍ଠୀ ମଧ୍ୟରେ ତୁ ତୁ ମେଁ ମେଁ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ ୯ ତାରିଖରେ ଭଦ୍ରକ ବ୍ଲକର ୯ମ ବୈଠକରେ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ପରିବର୍ତେ ତାଙ୍କ ଦାଦା ଶେଖର ମହାପାତ୍ର ଯୋଗ ଦେଇଥିଲେ। ବିଧାୟକଙ୍କ ପ୍ରତିନିଧି ଭାବେ ଶ୍ରୀ ମହାପାତ୍ରଙ୍କ ବୈଠକରେ ଉପସ୍ଥିତିକୁ ନେଇ ବିଧାୟକଙ୍କର କେତେଜଣ ପ୍ରତିନିଧି ଅଛନ୍ତି ବୋଲି ପ୍ରଶ୍ନ କରି ବ୍ଲକ୍ ଅଧ୍ୟକ୍ଷା ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ପ୍ରତିନିଧି ଭାବେ ଯୋଗ ଦେଇଥିବା ଶ୍ରୀ ମହାପାତ୍ର ପରିସ୍ଥିତିକୁ ଏଡାଇବା ପାଇଁ ଭାସ୍କର ସାହୁ ବିଧାୟକଙ୍କ ପ୍ରତିନିଧି ବୋଲି ବୈଠକରେ ସୂଚନା ଦେଇଥିଲେ। ତାତ୍ପର୍ଯ୍ୟର ବିଷୟ ଏହିଁଯେ ଅଧ୍ୟକ୍ଷା ଶ୍ରୀମତୀ ନାୟକ ଗତ କିଛିମାସ ତଳେ ବିଜେଡି ଛାଡ଼ି ନିଜ ସହ କର୍ମୀଙ୍କୁ ନେଇ ବିଜେପିରେ ସାମିଲ ହୋଇଥିଲେ। ବିଜେପିରେ ମିଶିବାପରେ ଅଧ୍ୟକ୍ଷାଙ୍କ ଏଭଳି ମନ୍ତବ୍ୟକୁ ନେଇ ବୈଠକରେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଶେଷକରି ବୈଠକରେ ଉପସ୍ଥିତ ବିରୋଧୀ ବିଜେଡି ସରପଂଚ ଓ ସମିତି ସଭ୍ୟ ମହଲରେ ଗୁଞ୍ଜରଣ ସୃଷ୍ଟି ହେବାର ଦେଖିବାକୁ ମିଳିଥିଲା। ଏପରିକି ବୈଠକରେ ଉପସ୍ଥିତ ଥିବା କେତେକ ସୋସିଆଲ ମିଡିଆର ପ୍ରତିନିଧିଙ୍କୁ ବାହାରକୁ ଯିବାକୁ କୁହାଯାଇଥିଲା। ବିଜେପିର ଜଣେ ପ୍ରମୁଖ ନେତା ଅଧକ୍ଷାଙ୍କ ବକ୍ତବ୍ୟକୁ ନେଇ ଉପୁଜିଥିବା ଅପ୍ରୀତିକର ପରିସ୍ଥିତିକୁ ଅନ୍ୟ ଏକ ପ୍ରସଙ୍ଗ ଉଠାଇ ଏଡାଇ ଦେଇଥିଲେ। ବିଶେଷକରି ଭତା ବଂଟନକୁ ନେଇ ବୈଠକରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପ୍ରକାଶଯୋଗ୍ୟ ଅଧ୍ୟକ୍ଷା ଶ୍ରୀମତୀ ନାୟକ ଏକ ନିର୍ଦ୍ଦିଷ୍ଟ ତାରିଖାରେ ଭତା ବଂଟନ କରିବା ପାଇଁ ବିଡିଓଙ୍କୁ କହିଥିଲେ। ମାତ୍ର ସେହି ତାରିଖରେ ଭତା ବଂଟନ ନହେବା ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଭତା ବଂଟନରେ ବ୍ୟାପକ ଅନିୟମିତତା ହୋଇଥିବାର ବ୍ଲକ୍ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ଗୁଜିଦରଡା ସରପଂଚ ମହମ୍ମଦ ଫରହାତ ଆଲାମ (ଲୋକା) ଓ ଓଲଙ୍ଗ ସରପଂଚ ଅକ୍ଷୟ କୁମାର ମହାନ୍ତି ଅଭିଯୋଗ ଆଣିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ନିୟୋଜିତ ହୋଇଥିବା ପି.ଓ, ଏଡିଓ ଓ ଜେଇ ୩ ଜଣିଆ ଟିମ୍ ତଦନ୍ତ ସମୟରେ ପାତର ଅନ୍ତର ନୀତି ଅବଲମ୍ବନ କରୁଥିବା ନେଇ ଅଭିଯୋଗ ହୋଇଥିଲା। ପୂର୍ବରୁ ପାଇଥିବା ହିତାଧିକାରୀଙ୍କୁ ଘର ମିଳିବା, ଅବିବାହିତା କନ୍ୟାଙ୍କୁ, ଚାକିରୀ କରିଥିବା, ଦୋମହଲା କୋଠା ଥିବା ବ୍ୟକ୍ତିବିଶେଷଙ୍କୁ ଆବାସ ଯୋଜନାରେ ସାମିଲ କରିଥିବା ନେଇ ବୈଠକରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେହିପରି ରାସନ କାର୍ଡ ବଂଟନରେ ସ୍ୱଚ୍ଛତା ଆଣିବା, ଆନୁପାତିକ ହାରରେ ଶିକ୍ଷକ ନିଯୁକ୍ତି କରିବା, ବିକଶିତ ଗାଁ ଓ ବିକଶିତ ଓଡ଼ିଶା ଯୋଜନାରେ ପଂଚାୟତ ସମିତିର ସରପଂଚ ଓ ସମିତି ସଭ୍ୟଙ୍କୁ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ କରାଯାଇଥିଲା। ଏହି ବୈଠକରେ ବିଡିଓ ରଶ୍ମିରଞ୍ଜନ ମଲ୍ଲିକ, ବିଜେପି ନେତା ମଳୟ ଜେନା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.