ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ପୁଣିଥରେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବଢ଼ିଥିବା ନେଇ ଅଭିଯୋଗ ହୋଇଛି। ଦୀର୍ଘଦିନ ଧରି ନିଶା କାରବାର ଉପରେ ରୋକ୍ ଲାଗିଥିବା ବେଳେ ଏବେ ବିଭିନ୍ନ ଅଂଚଳରେ ଖୁଲମଖୁଲା ଭାବେ ଚୋରା ମଦ ବିକ୍ରି ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ବାହାର ଜିଲ୍ଲାରୁ ଦେଶୀ ଓ ବିଦେଶୀ ମଦ ଭଦ୍ରକକୁ ଆସୁଛି। ଏହା ପରେ ବିଭିନ୍ନ ଗଳିକନ୍ଦିରେ ଚୋରା ଭାବେ ମଦ ବିକ୍ରି ହେଉଥିବା କୁହାଯାଉଛି। ନଛିପୁର, ନାଥସାହି, ବେହେରା ସାହି, ମିରିଜାପୁର, ମନ୍ଦିର ସାହି, ହାତୀସାହି, ଇଚ୍ଛାପୁର ଓ ବଙ୍କସ୍କୁଲ ଆଦି ଅଞ୍ଚଳରେ ଚୋରା ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ଆସିଛି। ସବୁ ଜାଣି ମଧ୍ୟ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ହେଉନଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହି ଚୋରା ମଦ କାରବାରରେ କିଛି ବ୍ୟକ୍ତି ସମ୍ପୃକ୍ତ ଥିବା ନେଇ ସ୍ଥାନୀୟ ମହଲରେ ଅଭିଯୋଗ ରହିଛି। ବାଲେଶ୍ୱର ଜିଲ୍ଲାରୁ ଦେଶୀ ମଦ ଆସୁଥିବା ଏବଂ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯୋଗାଣ ହେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗଗୁଡ଼ିକର ସ୍ୱାଧୀନ ଭାବେ ସତ୍ୟତା ଯାଂଚ ହୋଇନାହିଁ। ଅନ୍ୟପକ୍ଷରେ, ଭଦ୍ରକ ସଦର ଥାନାର କିଛି ଅଧିକାରୀଙ୍କ ନାମ ନେଇ ମଧ୍ୟ ଗୁରୁତର ଅଭିଯୋଗ ଉଠିଛି। ଚୋରା ମଦ ବ୍ୟବସାୟୀଙ୍କ ସହ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଥିବା ଏବଂ ମଦ ବ୍ୟବସାୟ ସମ୍ପର୍କରେ କିଛି ନିର୍ଦ୍ଦେଶ ଦିଆଯାଉଥିବା ନେଇ ଅଭିଯୋଗ ରହିଛି। ଏହି ଅଭିଯୋଗର ସତ୍ୟତା ମଧ୍ୟ ସମ୍ପୃକ୍ତ ବିଭାଗର ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇପାରିବ। ସ୍ଥାନୀୟ ଲୋକଙ୍କ ଦାବି, ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଚୋରା ମଦ କାରବାରରେ ଯେଉଁମାନେ ପ୍ରକୃତରେ ସମ୍ପୃକ୍ତ, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯାଉ। ଯଦି ଏହି ସମସ୍ୟାର ଶୀଘ୍ର ସମାଧାନ ନହୁଏ, ତେବେ ଆଗାମୀ ଦିନରେ ଧାରଣା ଓ ଆନ୍ଦୋଳନ କରାଯିବ ବୋଲି କିଛି ସ୍ଥାନୀୟ ଲୋକ ଚେତାବନୀ ଦେଇଛନ୍ତି। ଏବେ ଦେଖିବାକୁ ବାକି ରହିଲା ଏହି ଅଭିଯୋଗ ଉପରେ ଅବକାରୀ ବିଭାଗ ଓ ଭଦ୍ରକ ପୋଲିସ୍ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।
Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାରେ ମାତିଛି ଚୋରା ମଦ ବେପାର,ଅବକାରୀ ବିଭାଗ ଓ ପୋଲିସର ଭୂମିକାକୁ ନେଇ ଉଠିଲା...







