Home ଜିଲ୍ଲା ପରିକ୍ରମା ପାରିବାରିକ କନ୍ଦଳକୁ ନେଇ ବାପା ହାଣିଲା ପୁଅକୁ,ବାପା ରବିନ୍ଦ୍ର ଓ ସାବତ ମା’ ମମତା ଥାନାରେ...

ପାରିବାରିକ କନ୍ଦଳକୁ ନେଇ ବାପା ହାଣିଲା ପୁଅକୁ,ବାପା ରବିନ୍ଦ୍ର ଓ ସାବତ ମା’ ମମତା ଥାନାରେ ଅଟକ

4

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଏକ ଅଭାବନୀୟ ପରିସ୍ଥିତିରେ ଜଣେ ପିତା ଘରୋଇ ଗଣ୍ଡଗୋଳକୁ ନେଇ ପ୍ରଥମ ପତ୍ନୀର ବିବାହିତ ପୁତ୍ରକୁ ଭୁଜାଲିରେ ହାଣି ହତ୍ୟା କରିଛି। ଏହି ଘଟଣାରେ ଗ୍ରାମବାସୀ ସ୍ଥାନୀୟ ହସ୍ପିଟାଲରେ ଥିବା ପିତାକୁ ଅଟକ ରଖିବା ପରେ ଭଦ୍ରକ ଗ୍ରାମାଂଚଳ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ପୁତ୍ର ହନ୍ତା ପିତାକୁ ଥାନାକୁ ଆଣି ତଦନ୍ତ ଚଳାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗ୍ରାମାଂଚଳ ଥାନା ଅଧିନସ୍ଥ କଲେଇ ପଂଚାୟତ ଚୁନିଦା କ୍ଷେତ୍ରବାସୀ ସାହି ୧୯ ନମ୍ବର ୱାର୍ଡ ନିବାସୀ ରବୀନ୍ଦ୍ର କୁମାର ସାହୁଙ୍କ ପ୍ରଥମ ପତ୍ନୀର ମୃତ୍ୟୁ ପରେ ସେ ଦ୍ୱିତୀୟ ବିବାହ କରି ରହୁଛନ୍ତି। ତାଙ୍କର ପ୍ରଥମ ପତ୍ନୀଙ୍କ ପୁତ୍ର ବିକାଶର ପ୍ରାୟ ୭ ମାସ ହେବ ବିବାହ ହୋଇଛି। ବିକାଶର ବିବାହ ପରେ ସାବତ ମା’ ମମତା ଜମିବାଡି କେନ୍ଦ୍ର କରି ପିତା ରବୀନ୍ଦ୍ରକୁ ସବୁବେଳେ ଶିଖାଇ ତା ସହ ଝଗଡା କରି ଆସୁଥିଲା। ଗତ ୩/୪ ଦିନ ତଳେ ଉକ୍ତ ବିବାଦକୁ ନେଇ କଥା ଥାନାରେ ପହଂଚି ଥିଲା। ପୋଲିସ ଉଭୟଙ୍କୁ ଡକାଇ ପୃଥକ ଭାବେ ରୋଷେଇ କରି ରହିବାକୁ କହି ଘଟଣାର ସମାଧାନ କରିଥିଲା। କିନ୍ତୁ ଆଜି ସକାଳ ପ୍ରାୟ ୮. ୪୦ ସମୟରେ ପୂର୍ବ ଘଟଣାକୁ ନେଇ ବିକାଶ ସହ ପିତା ରବୀନ୍ଦ୍ରର କଥା କଟାକଟି ହୋଇଥିଲା। ପରିସ୍ଥିତି ଏଭଳି ହୋଇଥିଲା ଯେ ପିତା ରବିନ୍ଦ୍ର ଉତ୍ୟକ୍ତ ହୋଇ ଏକ ଭୁଜାଲି ଦ୍ୱାରା ବିକାଶର ପେଟକୁ ଗଭୀର ଭାବେ କ୍ଷତାକ୍ତ କରିଥିଲା। ଫଳରେ ବିକାଶର ଅନ୍ତବୁଜୁଳା ବାହାରକୁ ବାହାରି ଆସିଥିଲା। ଏହି ବିଭତ୍ସ ଘଟଣା ଘଟିବା ସମୟରେ ସାବତ ମା’ ମମତା ଓ ବିକାଶର ପତ୍ନୀ ସ୍ମୃତିରେଖା ଉପସ୍ଥିତ ଥିଲେ। ଏବଂ ନିଜର ସ୍ୱାମୀକୁ ଶ୍ୱଶୁର ଭୁଜାଲି ଦ୍ୱାରା ଆକ୍ରମଣ ସମୟରେ ସେ ତାକୁ ବଂଚାଇବାକୁ ଯାଇ ନିଜେ ମଧ୍ୟ ଆହତ ହୋଇଥିଲା। ଏହି ଘଟଣା ଘଟିବା ପରେ ପତ୍ନୀ ସ୍ମୃତିରେଖା ଚିତ୍କାର କରି ପଡୋଶୀଙ୍କୁ ଡାକିବାରୁ ସେମାନେ ସେଠାରେ ପହଂଚି ଘର ଚଟାଣରେ ରକ୍ତାକ୍ତ ହୋଇ ଛଟପଟ ହେଉଥିବାର ଦେଖି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ମାତ୍ର ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଗୁରୁତର ଭାବେ ଅଣାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ଘଟିବା ସମୟରେ ବିକାଶର ପତ୍ନୀ ଶ୍ୱଶୁର ନିକଟରୁ ଭୁଜାଲି ଛଡାଇବା ସମୟରେ ସେ ଆହତ ହୋଇଥିବାବେଳେ ଉଭୟ ପିତା ରବିନ୍ଦ୍ର ଓ ମା ମମତା ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ରବିନ୍ଦ୍ର ଓ ମମତା ଚୁନିଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିବାବେଳେ ଉତ୍ୟକ୍ତ ଗ୍ରାମବାସୀମାନେ ସେମାନଙ୍କୁ ଏକ ଘରେ ବନ୍ଦ କରି ରଖିଥିଲେ। ପୁଲିସ୍ ଖବର ପାଇ ସେଠାରେ ପହଂଚି ରବିନ୍ଦ୍ର ଓ ତାଙ୍କ ପତ୍ନୀଙ୍କୁ ସେଠାରୁ ଉଦ୍ଧାର କରି ଥାନାରେ ଅଟକ ରଖିଛନ୍ତି। ଏହି ଘଟଣାରେ ଭଦ୍ରକ ଗ୍ରାମାଂଚଳ ଥାନାଧିକାରୀ ସୁବ୍ରତ ଦାସ ସାଇଂଟିଫିକ୍ ଟିମ୍ ସହ ତଦନ୍ତ ଜାରି ରଖିଥିବାବେଳେ କେଶ୍ ନଂ ୬୫୪/୨୬, ଦଫା ୧୦୩(୧), ୬୧(୨), ୩(୫) ମୂଳେ ଏକ ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.