Home ଜିଲ୍ଲା ପରିକ୍ରମା ବନ୍ୟା ଛାଡ଼ିବା ପରେ ପୁଣି ସାଳନ୍ଦୀରେ ବନ୍ୟା ଆଶଙ୍କା,ଜଳବନ୍ଦୀ ଗାଁ, ଚିନ୍ତାରେ ଚାଷୀ; ତୁରନ୍ତ ପ୍ରତିକାର...

ବନ୍ୟା ଛାଡ଼ିବା ପରେ ପୁଣି ସାଳନ୍ଦୀରେ ବନ୍ୟା ଆଶଙ୍କା,ଜଳବନ୍ଦୀ ଗାଁ, ଚିନ୍ତାରେ ଚାଷୀ; ତୁରନ୍ତ ପ୍ରତିକାର ବ୍ୟବସ୍ଥା ପାଇଁ ପ୍ରଶାସନକୁ ନିବେଦନ

3

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଗତ ବନ୍ୟାର ଭୟାବହତାରୁ ଲୋକେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରିନଥିବା ବେଳେ ପୁଣି ସାଳନ୍ଦୀ ନଦୀରେ ଜଳସ୍ତର ବୃଦ୍ଧି ଅଂଚଳବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ନଦୀରେ ପୁଣି ପାଣି ବଢ଼ିବା ଯୋଗୁଁ ବିଭିନ୍ନ ଗାଁ ଜଳବନ୍ଧୀ ହେବା ସହ ଅନେକ ସ୍ଥାନରେ ରାସ୍ତାଘାଟ ଉପରେ ପାଣି ଚାଲୁଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାମାଂଚଳରେ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହେବା ସହ ସାଧାରଣ ଲୋକଙ୍କ ମନରେ ପୁଣି ବନ୍ୟା ଭୟ ସୃଷ୍ଟି ହୋଇଛି। ଏ ସମ୍ପର୍କରେ କଟସାହିର ପୂର୍ବତନ ସରପଂଚ ତଥା ଭଦ୍ରକ-ବାଲେଶ୍ୱର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ରଘୁନାଥ ଲେଙ୍କା ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ଗତ ବନ୍ୟାରେ ଅଂଚଳର ଲୋକେ ବହୁ କ୍ଷତି ସହିଛନ୍ତି। ବନ୍ୟା ପାଣି ଧୀରେ ଧୀରେ ଛାଡ଼ିବା ପରେ ଲୋକେ ସ୍ୱାଭାବିକ ଜୀବନକୁ ଫେରିବା ନେଇ ଆଶା କରିଥିଲେ। ବିଶେଷକରି ଚାଷୀମାନେ ବନ୍ୟାରେ କ୍ଷତିଗ୍ରସ୍ତ ଚାଷଜମିକୁ ପୁଣି ସଜାଡ଼ି ଅବଶିଷ୍ଟ ସମୟରେ ଚାଷ କରି କିଛି ଆୟ କରିବା ନେଇ ଆଶା ବାନ୍ଧିଥିଲେ। ହେଲେ ପୁଣି ସାଳନ୍ଦୀରେ ପାଣି ବଢ଼ିବା ଯୋଗୁଁ ସେହି ଆଶା ମଧ୍ୟ ମଉଳିବାକୁ ବସିଛି। ଗତ ବନ୍ୟାରେ ଅନେକ ଚାଷଜମି ଜଳମଗ୍ନ ହୋଇଥିଲା। ବହୁ ପନିପରିବା ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଥିବା ବେଳେ ଚାଷୀମାନେ ବ୍ୟାପକ ଆର୍ôଥକ କ୍ଷତି ସହିଥିଲେ। ବନ୍ୟା ପାଣି ଛାଡ଼ିବା ପରେ ଜମିରୁ ପାଣି ନିଷ୍କାସିତ ହୋଇ ଚାଷ କାର୍ଯ୍ୟ ସ୍ୱାଭାବିକ ହେବ ବୋଲି ଚାଷୀମାନେ ଆଶା ରଖିଥିଲେ। କିନ୍ତୁ ପୁଣି ଜମିରେ ପାଣି ପଶିବା ଫଳରେ ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଚାଷୀଙ୍କ କହିବା ଅନୁଯାୟୀ, ଲଗାତାର ଜଳମଗ୍ନ ରହିଲେ ଜମି ପ୍ରସ୍ତୁତ କରିବା ଓ ନୂଆ କରି ଚାଷ କରିବା କଷ୍ଟକର ହୋଇପଡ଼ିବ। ଫଳରେ ଚଳିତ ବର୍ଷ ଆଉ ଚାଷ କରିବାର ସୁଯୋଗ ମିଳିବ କି ନାହିଁ, ସେନେଇ ଚାଷୀକୁଳ ମଧ୍ୟରେ ଗଭୀର ନିରାଶା ଦେଖାଦେଇଛି। ଚାଷ ଉପରେ ନିର୍ଭରଶୀଳ ପରିବାରଗୁଡ଼ିକ ପାଇଁ ଏହା ଏକ ବଡ଼ ଆର୍ôଥକ ସଙ୍କଟର କାରଣ ହୋଇପାରେ। କେବଳ ଚାଷୀ ନୁହନ୍ତି, ପୁଣି ବନ୍ୟା ହେଲେ ଗ୍ରାମାଞ୍ଚଳର ସାଧାରଣ ଲୋକମାନେ ମଧ୍ୟ ଏହାର ପ୍ରଭାବରେ ପଡ଼ିବେ। ରାସ୍ତାଘାଟ ଜଳମଗ୍ନ ହେଲେ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହେବା ସହ ଦୈନନ୍ଦିନ ଜୀବନଯାପନ ମଧ୍ୟ ପ୍ରଭାବିତ ହେବ। ଗରିବ, ଦିନମଜୁରିଆ ଓ ଚାଷ ଉପରେ ନିର୍ଭରଶୀଳ ପରିବାରଗୁଡ଼ିକ ଏଭଳି ପରିସ୍ଥିତିରେ ସବୁଠାରୁ ଅଧିକ ଅସୁବିଧାରେ ପଡ଼ିବାର ଆଶଙ୍କା ରହିଛି। ରଘୁନାଥ ଲେଙ୍କା କହିଛନ୍ତି ଯେ, ବନ୍ୟା ପରିସ୍ଥିତି ଯଦି ପୁଣି ଗମ୍ଭୀର ରୂପ ନିଏ, ତେବେ ଏହା ଏକ ବଡ଼ ବିପର୍ଯ୍ୟୟର ରୂପ ନେଇପାରେ। ତେଣୁ ପରିସ୍ଥିତି ଗମ୍ଭୀର ହେବା ପୂର୍ବରୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ନେବା ଜରୁରୀ। ବିଶେଷକରି ଜଳବନ୍ଧୀ ଗାଁଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା, ଜଳ ନିଷ୍କାସନର ବ୍ୟବସ୍ଥା କରିବା ଏବଂ ଲୋକଙ୍କ ନିକଟରେ ଆବଶ୍ୟକ ସହାୟତା ତୁରନ୍ତ ପହଂଚାଇବା ଆବଶ୍ୟକ। ସେହିପରି ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଫସଲ କ୍ଷୟକ୍ଷତିର ଯଥାର୍ଥ ଆକଳନ କରି ସରକାରୀ ନିୟମ ଅନୁଯାୟୀ ସହାୟତା ପ୍ରଦାନ, ଆବଶ୍ୟକ ସ୍ଥାନରେ ରିଲିଫ୍ ସାମଗ୍ରୀ ଯୋଗାଣ ଏବଂ ଜଳବନ୍ଧୀ ଅଂଚଳରେ ଜନସାଧାରଣଙ୍କ ସୁବିଧା ପାଇଁ ପ୍ରଶାସନିକ ଟିମ୍ ନିୟୋଜିତ କରିବାକୁ ମଧ୍ୟ ଦାବି ହୋଇଛି। ପୁଣି ଏକ ବଡ଼ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ ବିଭାଗଗୁଡ଼ିକ ତତ୍ପର ହୋଇ ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବା ଉଚିତ ବୋଲି ରଘୁନାଥ ଲେଙ୍କା ନିବେଦନ କରିଛନ୍ତି। ଲୋକଙ୍କ ଜୀବନ, ଜୀବିକା ଓ ଚାଷବାସର ସୁରକ୍ଷାକୁ ପ୍ରାଥମିକତା ଦେଇ ତୁରନ୍ତ ସହାୟତା ଓ ପ୍ରତିକାର ବ୍ୟବସ୍ଥା କରାଗଲେ ବନ୍ୟାଜନିତ କ୍ଷତିକୁ ଅନେକାଂଶରେ ରୋକାଯାଇପାରିବ ବୋଲି ସେ ମତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.