Home ଜିଲ୍ଲା ପରିକ୍ରମା ଭଦ୍ରକ ବ୍ଲକ୍ ଉପସଭାପତି ଓ ସରପଂଚ ଜିଲାପାଳଙ୍କୁ ଭେଟିଲେ,ସାଳନ୍ଦୀ ଓ ନାଳିଆ ନଦୀବନ୍ଧ ଗୁଡିକର ରକ୍ଷଣାବେକ୍ଷଣ...

ଭଦ୍ରକ ବ୍ଲକ୍ ଉପସଭାପତି ଓ ସରପଂଚ ଜିଲାପାଳଙ୍କୁ ଭେଟିଲେ,ସାଳନ୍ଦୀ ଓ ନାଳିଆ ନଦୀବନ୍ଧ ଗୁଡିକର ରକ୍ଷଣାବେକ୍ଷଣ ଅଭାବରୁ ମନୁଷ୍ୟକୃତ ବନ୍ୟା ସୃଷ୍ଟି ଅଭିଯୋଗ

4

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଳନ୍ଦୀ ଓ ନାଳିଆ ନଦୀବନ୍ଧ ଗୁଡିକର ରକ୍ଷଣାବେକ୍ଷଣ ଅଭାବରୁ ଏବେ ମନୁଷ୍ୟକୃତ ବନ୍ୟା ସୃଷ୍ଟି ହୋଇଥିବାର ଭଦ୍ରକ ପଂଚାୟତ ସମିତିର ଉପସଭାପତି ମୁକୁନ୍ଦଦେବ ସାମଲଙ୍କ ସହ ବିଭିନ୍ନ ପଂଚାୟତର ସରପଂଚ ମାନେ ଆଜି ଜିଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ବନ୍ୟା ପ୍ରଭାବିତ ଅଂଚଳର ଏହି ଅସନ୍ତୁଷ୍ଟ ନେତାମାନଙ୍କ ଅଭିଯୋଗ ହେଲା ସାଳନ୍ଦୀ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ଦୂରଦୃଷ୍ଟିର ଅଭାବ ଓ ଅପରିଣାମଦର୍ଶୀ କାର୍ଯ୍ୟ ଯୋଗୁଁ ସାଳନ୍ଦୀ ଓ ନାଳିଆ ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ବର୍ଷାଋତୁ ପୂର୍ବରୁ ନଦୀବନ୍ଧ ଗୁଡିକୁ ସୁଦୃଢୀକରଣ କରାନଯିବା, ନଦୀଜଳର ସୁପରିଚାଳନା କରିବାରେ ବିଫଳ ହେବା ଯୋଗୁଁ ବନ୍ୟାଜଳ ପ୍ରବାହରେ ନଦୀବନ୍ଧ ଗୁଡିକ ଧସିଯାଇ ଗ୍ରାମାଂଚଳରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ବହୁ ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଯାହାଫଳରେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇପଡିଥିବାବେଳେ ବହୁ ବାସଗୃହ ଜଳବନ୍ଦୀ ହୋଇପଡିଛି ଓ ଗ୍ରାମାଂଚଳର ରାସ୍ତା ବିଛିନ୍ନ ହୋଇଯାଇଛି। ଏହାବ୍ୟତୀତ ବ୍ଲକ୍ ପ୍ରଶାସନ ପକ୍ଷରୁ ଠିକ୍ ସମୟରେ ବିପନ୍ନ ଲୋକଙ୍କୁ ରିଲିଫ୍ ସାମଗ୍ରୀ, ରନ୍ଧା ଖାଦ୍ୟ ବନ୍ୟା ପ୍ରଭାବିତ ଗାଁମାନଙ୍କରେ ପହଂଚିପାରିନାହିଁ। ଶତାଧିକ ଲୋକ ଖାଦ୍ୟ, ପାନୀୟଜଳ ଓ ଅସ୍ଥାୟୀ ଆଶ୍ରୟରୁ ବଂଚିତ ହୋଇପଡିଛନ୍ତି। ଏଭଳି ପରିସ୍ଥିତିରେ ଜିଲା ପ୍ରଶାସନ ନିକଟରେ କେତେକ ଦାବି ଉପସ୍ଥାପନ କରିଛନ୍ତି। ଅର୍ଣ୍ଣପାଳ, ବିଷ୍ଣୁପୁରବିନ୍ଧା, ହରିପୁର, କୋରକୋରା, ଗେଲପୁର, ବେତରା, ବହୁଦରଡା, କାଉପୁର, ଦୈସିଂ, ଖଣ୍ଡତଡା ଓ କେଦାରପୁର ଗ୍ରାମପଂଚାୟତ ଗୁଡିକରେ ତୁରନ୍ତ ରିଲିଫ୍ ସାମଗ୍ରୀ ଯୋଗାଇଦେବା ସହ ରନ୍ଧା ଖାଦ୍ୟ ଦେବାକୁ ଦାବି କରିଛନ୍ତି। ସେହିପରି ନଦୀବନ୍ଧରେ ହୋଇଥିବା ଘାଇଗୁଡିକ ଓ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାଗୁଡିକର ଯିବାଆସିବା ପାଇଁ ତୁରନ୍ତ ମରାମତି କରିବାକୁ ଦାବି ହୋଇଛି। ବନ୍ୟାରେ ନଷ୍ଟ ହୋଇଥିବା ଚାଷଜମି ଗୁଡିକୁ ତୁରନ୍ତ ସର୍ଭେ କରି ଚାଷୀଙ୍କୁ ଉପଯୁକ୍ତ ଆର୍ଥିକ ସହାୟତା ଯୋଗାଇଦେବାର ନିବେଦନ କରାଯାଇଛି। ଏହାବ୍ୟତୀତ ସାଳନ୍ଦୀ ଜଳସେଚନ ବିଭାଗ କର୍ତୃପକ୍ଷ ଓ ନଦୀବନ୍ଧ ଦାୟିତ୍ୱରେ ଥିବା ଠିକାଦାରଙ୍କ ନିମ୍ନମାନର କାମକୁ ତଦନ୍ତ କରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଏହି ଦାବିପତ୍ର ପ୍ରଦାନ କାଳରେ ଓଲଙ୍ଗ ସରପଂଚ ଅକ୍ଷୟ ପ୍ରସାଦ ମହାନ୍ତି, ଦଇସିଂ ସରପଂଚ ସୁଚିସ୍ମିତା ଜେନା, ପରସିଙ୍ଗା ସରପଂଚ ଅନୁସୟା ସେଠୀ, ଏରେଇ ସରପଂଚ ଉର୍ମିଳା ଜେନା, ବିଷ୍ଣୁପୁରବିନ୍ଧାର ପି.ଏସ. ମେମ୍ବର ବଟକୃଷ୍ଣ ଜେନା, ବିଷ୍ଣୁପୁରବିନ୍ଧା ସରପଂଚ ପଦ୍ମାବତୀ ପୃଷ୍ଟି, କେଦାରପୁର ସରପଂଚ ନମିତା ନାୟକ, ସରପଂଚ ନିରୋଦ ଚନ୍ଦ୍ର ରାଉତ, ବାସନ୍ତୀ ଜେନା, ମହମ୍ମଦ ପରହାତ ଆଲାମ ଖା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.