ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଭାଟପଡ଼ା ପଂଚାୟତ ଅଧୀନ ମିର୍ଜାପୁର ପାତ୍ରସାହି ଗ୍ରାମରୁ ଶୁକ୍ରବାର ପୋଲିସ ଜଣେ ଯୁବକର ମୃତ ଦେହ ଜବତ କରିଛି । ଯୁବକଙ୍କ ମୃତ୍ୟୁ ସନ୍ଦେହ ଜନକ ବୋଲି କୁହାଯାଉଛି।ମୃତ ଯୁବକଙ୍କ ନାଁ ଭରତ ଚନ୍ଦ୍ର ଦାସ ଓ ତାଙ୍କ ଘର ତିହିଡି଼ ଥାନା ଅଧୀନ ତାଳପଦା ଗ୍ରାମରେ ବୋଲି ଜଣାଯାଇଛି । ଭରତ ତିହିଡି଼ରେ କେବୁଲ କାର୍ଯ୍ୟକରୁଥିଲେ । ସେ ପାତ୍ରସାହିରେ ଘରଭଡ଼ା ନେଇ ରହୁଥିଲେ । ତେବେ ଶୁକ୍ରବାର ଅପରାହ୍ନରେ ପୋଲିସ କୌଣସି ସୂତ୍ରରୁ ଭରତଙ୍କ ମୃତ୍ୟୁ ଖବର ପାଇ ଶୁକ୍ରବାର ଘଟଣାସ୍ଥଳରେ ପହଂଚି ଯୁବକଙ୍କ ମୃତଦେହକୁ ଜବତ କରିଛି । ଯୁବକଙ୍କ ବେକରେ ଚିହ୍ନ ଥିବାବେଳେ ତାଙ୍କ ମୃତଦେହ ଦ୍ୱାରର କବାଟ ସେପାଖରେ ତଳେ ପଡ଼ିଥିବା ଜଣାଯିବାରୁ ଯୁବକଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରାଯାଉଛି । ପୋଲିସ ସେହି ଘରକୁ ସିଲ କରି ମୃତଦେହକୁ ଜଗି ରହିଥିବା ଜଣାଯାଇଛି । ତେବେ ଶନିବାର ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ରହସ୍ୟ ଉନ୍ମୋଚିତ ହେବ ବୋଲି ଆଇଆଇସି ଲୋପାମୁଦ୍ରା ନାୟକ କହିଛନ୍ତି ।








