Home ଜିଲ୍ଲା ପରିକ୍ରମା ଧାମନଗରରେ ପ୍ରଳୟଙ୍କରୀ ବନ୍ୟା, ତିନିଦିନ ହେବ ୩୦ ପଂଚାୟତ ଓ ଦୁଇ ଏନ୍‌ଏସି ଜଳବନ୍ଦୀ,ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ...

ଧାମନଗରରେ ପ୍ରଳୟଙ୍କରୀ ବନ୍ୟା, ତିନିଦିନ ହେବ ୩୦ ପଂଚାୟତ ଓ ଦୁଇ ଏନ୍‌ଏସି ଜଳବନ୍ଦୀ,ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ ରାସ୍ତାରେ ୪ ଫୁଟର ବନ୍ୟାଜଳ -ଜନଜୀବନ ଅସ୍ତବ୍ୟସ୍ତ,ପ୍ରଶାସନର ଉଦ୍ଧାର କାର୍ଯ ଜାରି, ତିନି ଦିନ ହେଲା ଗୋଖାଦ୍ୟ ପହଂଚି ନାହିଁ

9

ଭଦ୍ରକ, ୩୦ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ବୈତରଣୀ ଏବଂ ଏହାର ଶାଖା ନଦୀ କୋଚିଳା, ଗେଙ୍ଗୁଟି, ରେବ, କପାଳୀ ଓ ସାଳନ୍ଦୀ ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସମ୍ପୂର୍ଣ୍ଣ ଧାମନଗର ବ୍ଲକ ଏବଂ ଧାମନଗର ଓ ଧୁଷୁରୀ ଏନ୍‌ଏସିର ବିଭିନ୍ନ ଅଂଚଳରେ ସ୍ଥିତି ଅସମ୍ଭାଳ ହୋଇପଡିଛି। ଗତ ତିନି ଦିନ ହେବ ଲଗାତାର ବନ୍ୟା ଜଳ ଜନଜୀବନକୁ ସମ୍ପୂର୍ଣ୍ଣ ସ୍ଥାଣୁ କରିଦେଇଛି। ଉପରମୁଣ୍ଡରେ ବନ୍ୟା ଜଳ କମିବାରେ ଲାଗିଥିଲେ ହେଁ, ତଳିଆ ଅଂଚଳ ଯଥା ଧୁଷୁରୀ ଓ ଅସୁରାଳୀ ଜୋନରେ ଏବେ ମଧ୍ୟ ବନ୍ୟା ସ୍ଥିତି ଅତି ଗମ୍ଭୀର ରହିଛି। ଏବେବି ୧୫୦ ଗ୍ରାମ ଜଳବନ୍ଦୀ ଓ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ୩୦ ଟି ପଂଚାୟତର ୧୫୦ଟି ଗ୍ରାମ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି। ହସନାବାଦ ଓ ଅର୍ଜୁନପୁର ପଂଚାୟତର ପ୍ରାୟ ପ୍ରତ୍ୟେକ ଘର ରେ ବନ୍ୟାଜଳ ପ୍ରବେଶ କରିବା ଫଳରେ ପରିସ୍ଥିତି ଅତ୍ୟନ୍ତ ଭୟାବହ ହୋଇପଡିଛି। ସେହିପରି ଆନନ୍ଦପୁର, ଖଡ଼ିପଦା, ଶୋହଡା, ପଧାନି, ଦୋବଲ, କରଦା, ଦଳାଙ୍ଗ, ନଦୀଗାଁ, ଭଟସାହି, ସାହାସପୁର, ବମୁକୁରା, ରଇପୁର, କୋଠାର, କାସିମପୁର, କଟସାହି, ଫତେପୁର, ଖପରପଦା, ପାଳସାହି, ଅସୁରାଳି, ଗଢ଼ିଆଳି ସମେତ ଧୁଷୁରୀ ବିଜ୍ଞାପିତ ଅଂଚଳର ବିଭିନ୍ନ ଗ୍ରାମ ଜଳବନ୍ଦୀ ହୋଇପଡିଛି। ଫଳପୁର ର ଛବିରାଣୀ ସେଠୀ ଏବଂ ବାଘୁଆରି ଗ୍ରାମର କବିତା ବେହେରା ନାମ୍ନୀ ଦୁଇ ଜଣ ଗର୍ଭବତୀ ମହିଳା ଅସୁସ୍ଥ ଥିବାରୁ, ଥାନା ଗାଡ଼ି ଓ ଉଦ୍ଧାରକାରୀ ଦଳ ସହାୟତାରେ ସେମାନଙ୍କୁ ତୁରନ୍ତ ଭଦ୍ରକ ପଠାଯାଇଥିଲା। ନଦୀଗାଁ ର ଚାଷୀ ନୀଳାମ୍ବର ସାହୁଙ୍କୁ ଗୁରୁବାର ସକାଳ ୭ ଟା ସମୟରେ ଏକ ଗଛ ଉପରୁ ଓଡ୍ରାଫ ଟିମ୍ ସୁରକ୍ଷିତ ଭାବେ ଉଦ୍ଧାର କରିଛି।ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବନ୍ୟାଂଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝୁଛନ୍ତି। ବନ୍ୟା ସମୟରେ ରିଲିଫ୍ ଓ ରନ୍ଧା ଖାଦ୍ୟ ବଂଟନରେ ସରକାରୀ ଦଳ ପକ୍ଷରୁ ପାତରଅନ୍ତର କରାଯାଇଥିବା ଅଭିଯୋଗ ହୋଇଛି। ଗତ ତିନି ଦିନ ହେବ ଗୋଖାଦ୍ୟ ମଧ୍ୟ ପହଂଚିପାରି ନାହିଁ ବୋଲି ବିଜେଡି ଅଭିଯୋଗ କରୁଚି। ବନ୍ୟାର ପ୍ରକୋପ ଏବେ ବି କମି ନଥିବାବେଳେ ଧାମନଗର ଓ ଧୁଷୁରୀ ଅଂଚଳର ବହୁ ଗ୍ରାମରେ ଏବେ ମଧ୍ୟ ବନ୍ୟା ଜଳ ଉତରଙ୍ଗିତ ହୋଇ ଲହଡି ମାରୁଛି। ଚତୁର୍ଦ୍ଦିଗରେ କେବଳ ପାଣି ଆଉ ପାଣି ଦୃଶ୍ୟମାନ ହେଉଥିବାରୁ କାନ୍ଦୁଛି ଧାମନଗର ଏବଂ ଭୟଭୀତ ହୋଇ ପଡିଛନ୍ତି ନିରୀହ ଗ୍ରାମବାସୀ। ସେହିପରି ତିଆଡ଼ିସାହିର ଜଣେ ସାପ କାମୁଡ଼ା ରୋଗୀଙ୍କୁ ମଧ୍ୟ ଉଦ୍ଧାରକାରୀ ଦଳ ସଫଳତାର ସହ ଉଦ୍ଧାର କରି ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି। ସମୟୋପଯୋଗୀ ଚିକିତ୍ସା ବ୍ୟବସ୍ଥା କରାଯାଇଥିବାରୁ ରୋଗୀଙ୍କ ଚିକିତ୍ସା ଜାରି ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଂଚଳରେ ଉଦ୍ଧାର, ସ୍ଥାନାନ୍ତରଣ, ସ୍ୱାସ୍ଥ୍ୟସେବା ଏବଂ ରିଲିଫ୍ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଉଛି। ଓଡ୍ରାଫ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପ୍ରଶାସନର ସମନ୍ୱିତ ପ୍ରୟାସରେ ପ୍ରଭାବିତ ଲୋକଙ୍କୁ ସୁରକ୍ଷା ଓ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.