ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୋମବାର ମଧ୍ୟାହ୍ନରେ ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ଏହି ଜିଲ୍ଲା ଦେଇ ଯାଇଥିବା ବୈତରଣୀ, ସାଳନ୍ଦୀ, କପାଳୀ ଓ ରେବ ନଦୀରେ ବନ୍ୟା ଜଳ ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି । ବିଶେଷ କରି ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ତଳିଆ ଅଚଂଳ ଗୁଡିକରେ ଥିବା ଗ୍ରାମବାସୀ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବଢି ପାଣି ଯୋଗୁ ଅନେକ ଗାଁରେ ପାଣି ପଶିଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବନ୍ତ ବ୍ଲକର ନିଳୋକ ଓ ହାଟଡିହି ବ୍ଲକର ଡଅଁର ପଚାଂୟତ ମଝିରେ ଥିବା ରେବ ନଦୀର ଓଳମ ପୋଲ ଉପରେ ଚାରି ଫୁଟ ଉଚ୍ଚରେ ପାଣି ଚାଲି ଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବନ୍ତର ନିଳୋକ, ଓଳମ, ପଦାକଣା, ପଧାନପଡା, ହାଟଡିହିର ସରଳା, ରାଧାନଗରପାଟଣା, ଡଅଁର, ଶାଳଣିଆ ଆଦି ଗ୍ରାମର ଲୋକେ ଏହି ପୋଲ ଉପରେ ନିର୍ଭର କରି ଚଳୁଥିବା ବେଳେ ଲଗାଣ ବର୍ଷାର ବଢି ପାଣି ଦାଉ ସାଜିଛି । ନିଳୋକ ପଚାଂୟତର ସାହାଡାପଲ୍ଲୀ-ତାଳବାଙ୍କ ରାସ୍ତାରେ ପାଣି ଲହଡି ଭାଙ୍ଗୁଛି । କାଦବରାଙ୍ଗ ଆଡିଆ ଗ୍ରାମ ଉନ୍ନୟନ ରାସ୍ତାର ବନ୍ତଳା ପୋଲ ଓ ବାଙ୍କତିରା ଦାସ ସାହି ରାସ୍ତାରେ ଦୁଇ ଫୁଟ୍ ଉଚ୍ଚତାରେ ପାଣି ପ୍ରଭାବିତ ହେଉଥିବାରୁ କାଦବରାଙ୍ଗ, ପଦି, ଆଡିଆ, କୁଆଁରନ୍ଦା, ବାଙ୍କତିରା ଆଦି ଗ୍ରାମର ଲୋକେ ନିକଟସ୍ଥ କାଦବରାଙ୍ଗ ବଜାରକୁ ଯା ଆସ କରି ପାରୁ ନାହାନ୍ତି । ସେହିପରି ବିଟିପୁର ପଚାଂୟତ ୭ ନମ୍ବର ୱାର୍ଡର ସେଠୀ ସାହିଟି ଲଗାଣ ବର୍ଷାରେ ପାଣି ଘେରରେ ରହିଛି । ନିଷ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ଗ୍ରାମର ବଳିଆ ସେଠୀ, ପଚାଂନନ ସେଠୀ, ପାଗଳ ସେଠୀ, ମଙ୍ଗଧର ସେଠୀ, ଲକ୍ଷ୍ମୀଧର ସାହୁ, ନିର୍ମଳ ସେଠୀ, ଅନୁସୟା ସେଠୀ, ବିବେକା ନନ୍ଦ ସେଠୀଙ୍କ ଘରେ ପାଣି ପଶିଛି । ଖବର ପାଇ ବିଟିପୁର ସରପଚଂ ପ୍ରତିନିଧି ସପନ ସିଂହ, ବିଜେପିନେତା ଅଶୋକ ପରିଡା, ଅନିରୁଦ୍ଧ ସିଂହ,ବାବୁରାମ ବେହେରା ପ୍ରମୁଖ ଜେସିବି ମେସିନ୍ ସାହାଯ୍ୟରେ ନୟନଜୋରୀ ସଫା କରିବା ପରେ ଜଳ ସ୍ତର କମିବାରେ ଲାଗିଛି । ହେଲେ ସ୍ଥାୟୀ ପ୍ରତିକାର ନେଇ ଗ୍ରାମର ଅନୁସୟା ସେଠୀ ଦାବି କରିଛନ୍ତି । ରାମଚନ୍ଦ୍ରପୁର ପଚାୟଂତର ପାନପଦୀ,ରାମଚନ୍ଦ୍ରପୁର ଓ ଗୋବିନ୍ଦପୁର ଗ୍ରାମରେ କପାଳୀ ନଦୀର ବଢି ପାଣିରେ ଭରତ ଜେନା, ଅଶୋକ ମୁଖୀ, ଶରତ ଜେନା, ଲକ୍ଷ୍ମୀଧର ଜେନା, ସାବିତ୍ରୀ ମାଝୀଙ୍କ ଘର ବ୍ୟାପକ କ୍ଷତି ଘଟିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ବାରିକଙ୍କ କଚ୍ଚା ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ପୂର୍ବତନ ସରପଚଂ ପୂର୍ଣ୍ଣଚନ୍ଦ୍ର ରାଉତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହୟତା ଯୋଗାଇଦେବା ସଙ୍ଗେ ସଙ୍ଗେ ପୂର୍ଣ୍ଣଚନ୍ଦ୍ର ବାରିକଙ୍କୁ ଆବାସ ଗୃହ ଯୋଗାଇ ଦେବାକୁ ଦାବି କରିଛନ୍ତି । ମୋଟାମୋଟି ଭାବେ ଲଗାଣ ବର୍ଷା ଜାରି ରହିଥିବାରୁ ଲୋକେ ଘରୁ ବାହାରି ପାରୁ ନଥିବା ବେଳେ ଚାଷ ଜମି ଜଳମଗ୍ନ ହୋଇ ବ୍ୟାପକ କ୍ଷତି ଘଟିଥିବା ବେଳେ ରାସ୍ତା ଧୋଇଯାଇ ଖାଲ ଖମାରେ ପରିଣତ ହୋଇଛି ।
Home ଜିଲ୍ଲା ପରିକ୍ରମା ଲଗାଣ ବର୍ଷାରେ ଅନେକ ଗାଁ ଜଳବନ୍ଦୀ, ଓଳମ-ଡଅଁର, କାଦବରାଙ୍ଗ-ବନ୍ତଳା ଯୋଗାଯୋଗ ବିଚ୍ଛିନ୍ନ, ପାଣି ଘେରରେ ବିଟିପୁରର...








