Home ଜିଲ୍ଲା ପରିକ୍ରମା ନିର୍ମାଣ ପରେ ଧସିଲା ଗେଙ୍ଗୁଟି ନଦୀବନ୍ଧ, କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ମିଳୁନି...

ନିର୍ମାଣ ପରେ ଧସିଲା ଗେଙ୍ଗୁଟି ନଦୀବନ୍ଧ, କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ମିଳୁନି ସ୍ଥାୟୀ ସମାଧାନ

5

ଭଦ୍ରକ, ୪ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଜଳସମ୍ପଦ ବିଭାଗ ଅଧୀନ ଦଳାଙ୍ଗ ପଂଚାୟତର ରାମେଶ୍ୱରପୁର ମଳିକସାହି ନିକଟ ଗେଙ୍ଗୁଟି ନଦୀର ଦକ୍ଷିଣ ପାର୍ଶ୍ୱ ବନ୍ଧ ପୁଣି ଧସିଯାଇଛି। ଗତ ଦୁଇ ଦିନର ଲଗାଣ ବର୍ଷା ପରେ ବନ୍ଧରେ ପ୍ରାୟ ୫୦ ଫୁଟ ଲମ୍ବର ଫାଟ ସୃଷ୍ଟି ହେବା ସହ କିଛି ଅଂଶ ନଦୀଗର୍ଭକୁ ଧସିଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି। ଗତ ୧୦ ବର୍ଷ ମଧ୍ୟରେ ଏହି ସ୍ଥାନରେ ୧୫ରୁ ଅଧିକ ଥର ବନ୍ଧ ଧସିଥିବାରୁ ଲୋକଙ୍କ ଚିନ୍ତା ବଢ଼ିଛି। ବାରମ୍ବାର ବନ୍ଧ ଧସୁଥିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ଚଳିତ ବର୍ଷ ବନ୍ଧ ସୁରକ୍ଷା ପାଇଁ ନଦୀ ଭିତର ପାର୍ଶ୍ୱରେ କଂକ୍ରିଟ ୱାଲ ନିର୍ମାଣ ଓ ପଥର ପିଚିଂ କାମ ଆରମ୍ଭ କରାଯାଇଥିଲା। ମାତ୍ର ପ୍ରାୟ ଦୁଇ ଫୁଟ ଉଚ୍ଚତାର କଂକ୍ରିଟ ୱାଲ ନିର୍ମାଣ ସହ ଅଳ୍ପ ପରିମାଣରେ ପଥର ବିଛାଯାଇଥିବାରୁ ବନ୍ଧର ଚାପ ସମ୍ଭାଳି ପାରୁନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବନ୍ଧର ଉଚ୍ଚତା ଅନୁଯାୟୀ ସୁଦୃଢ଼ କଂକ୍ରିଟ ୱାଲ ନିର୍ମାଣ କରାଯାଇଥାନ୍ତା, ତେବେ ଏଭଳି ପରିସ୍ଥିତି ସୃଷ୍ଟି ହୁଅନ୍ତା ନାହିଁ।ପୁର୍ବଥର ବନ୍ଧ ଧସିଥିବାରୁ ଏଠାରେ ବନ୍ଧ କମ ଉଚ୍ଚତା ରହିଛି। ଏଥିସହ କାର୍ଯ୍ୟର ମାନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ପଥର ପିଚିଂ ସ୍ଥାନରେ ମାଟି ଭର୍ତି କରାଯାଇଥିବାରୁ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି। ନିର୍ଦ୍ଧାରିତ ସମୟରେ କାମ ଶେଷ ନହେବାରୁ ବର୍ଷା ପୂର୍ବରୁ ପ୍ରକଳ୍ପ ଅଧାରେ ଅଟକି ରହିଥିଲା। ବର୍ତମାନ ସେହି ସ୍ଥାନରେ ପୁଣି ବନ୍ଧରେ ଫାଟ ସୃଷ୍ଟି ହୋଇ କିଛି ଅଂଶ ନଦୀ ଗର୍ଭ କୁ ଧସିଯାଇଛି ।ଏହି ସ୍ଥାନର ଭୌଗୋଳିକ ଗଠନ ଏବଂ ରାମେଶ୍ୱରପୁର-କରଦା ଗେଙ୍ଗୁଟି ପୋଲର ଆବଟମେଂଟ ୱାଲ ଯୋଗୁଁ ନଦୀର ପ୍ରଖର ସ୍ରୋତ ସିଧାସଳଖ ବନ୍ଧ ଉପରେ ଚାପ ସୃଷ୍ଟି କରୁଛି। ପ୍ରବାହ ପଥ ସଂକୀର୍ଣ୍ଣ ହୋଇଯାଇଥିବାରୁ ଜଳସ୍ରୋତ ବାରମ୍ବାର ଦିଗ ପରିବର୍ତନ କରି ମଳିକ ସାହି ନିକଟ ବନ୍ଧରେ ମାଡ଼ ହେଉଛି, ଯାହା ଧସିବା ର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏନେଇ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସଂଜୀବ ସାମଲଙ୍କୁ ପଚାରିବାରୁ କୁହନ୍ତି ଏହି ଘଟଣା ତଦନ୍ତ କରିବି ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.