ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକସ୍ଥିତ ଫୈଯେ ରଯା ଏଜୁକେଶନଲ ଏଣ୍ଡ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଭଦ୍ରକ ପୌରପାଳିକା ଅନ୍ତର୍ଗତ ୱାର୍ଡ଼ ନଂ – ୧୬ କନ୍ଟାବଣିଆଠାରେ ମଦ୍ରାସା ଫୈଯାନେ ଗରୀବ ନୱାଜ ପରିସର ରେ ସନ୍ଧ୍ୟା ୭ଟାରେ ଟ୍ରଷ୍ଟର ସଭାପତି ସେଖ ଗୋଲାମ ମହମ୍ମଦଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଅଛି । ଏହି ସଭାରେ ମଦ୍ରସା ଫୈଯାନେ ଉମ୍ମୁଲୱରାର ଶିକ୍ଷକ କାରୀ ଦିଲବର ହୋସେନଙ୍କ କୋରାନ ପାଠରୁ ଓ ଶେଖ ଆସିକଙ୍କ ନାତ୍ ଶରିଫରୁ ଆରମ୍ଭ ହୋଇଥିଲା । ବିଶିଷ୍ଟ କବି ଓ ଶିକ୍ଷକ ସେଖ ମୁସ୍ତାକ ଗୌହର ଏହି ସଭାକୁ ସଂଚାଳନ କରିଥିଲେ । ଟ୍ରଷ୍ଟର ସଦସ୍ୟ ସେଖ ଅବଦୁଲ ବାରି ହଜରତ ଇମାମ ହୁସୈନଙ୍କ ବିଷୟରେ ଏକ ନୀତିବାଣୀ ଉପରେ ଆଲୋକପାତ କରିବା ସହ ଆସନ୍ତା ଇଦ-ମିଲାଦୁନ-ନବୀରେ ବିନା ଡିଜେରେ ଜୁଲୁସ ଓ କାଫେଲା ବାହାର କରିବା ପାଇଁ ଅନୁରୋଧ କରିଥିଲେ । ବିଶେଷକରି ହଜରତ ପ୍ରଫେଟ ମହମ୍ମଦଙ୍କ ନାତୀ ହଜରତ ଇମାମ ହୋସେନ ଇସଲାମ ଧର୍ମ ପାଇଁ ଶହୀଦ ହୋଇଥିଲେ । ତାଙ୍କର ସେହି ବଳିଦାନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଇସଲାମୀ ମହରମ ମାସର ୧୦ ତାରିଖରେ ଭଦ୍ରକ ସହରରେ ଜୁଲୁସ ଓ କାଫେଲା ପ୍ରତି ଗାଁରୁ ବାହାରି ସହର ପରିକ୍ରମା କରିଥାଏ । ଏହି ବର୍ଷ ଯେଉଁ ବସ୍ତି ବିନା ଡିଜେରେ ଇସଲାମିକ ନୀତି ନିୟମ ଅନୁଯାୟୀ ଜୁଲୁସ ବା କାଫେଲା ବାହାର କରିଥିଲେ ସେହି ବସ୍ତିର ସରଦାରମାନଙ୍କୁ ଟ୍ରଷ୍ଟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ମୁସଲିମ ଜମାତର ଉପ-ସଭାପତି, ସମ୍ପାଦକ ଓ ମୋହରମ କମିଟିର ସଭାପତି ଓ ସମ୍ପାଦକ ଙ୍କୁ ଫୁଲ ତୋଳା, ଉତରିୟ ସହିତ ଏକ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ ଭଦ୍ରକର ଏକ ପ୍ରସିଦ୍ଧ ସଂଗଠନ ଏମ.ଏସ.ଏଫ ସଭାପତି ଶେଖ ଇମଦାଦ ଙ୍କୁ ମଧ୍ୟ ଫୁଲ ତୋଳା, ଉତରୀୟ ସହିତ ଏକ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ପୁରୁଣାବଜାର ଥାନା ଆଇ.ଆଇ.ସି ଶ୍ରୀଯୁକ୍ତ ସୁଶାନ୍ତ ସାହୁ ଏବଂ ଟାଉନ ଥାନା ଆଡିସନାଲ ଆଇ.ଆଇ.ସି ଶ୍ରୀଯୁକ୍ତ ମନୋହର ପାତ୍ର ଯୋଗଦାନ କରି ଟ୍ରଷ୍ଟର ଏହି କାର୍ଯ୍ୟକୁ ପ୍ରଶଂସିତ କରିବା ସହିତ ଉପସ୍ଥିତ ଦର୍ଶକମାନଙ୍କୁ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ମଦ୍ରାସାର ଶିକ୍ଷକ କାରୀ ୱଲିଉର ରହେମାନ, କାରୀ ଶାହା ମହମ୍ମଦ , ସେଖ ମୋହିନୁଦ୍ଦିନ, ସେଖ ଏଜାଜ ମହମ୍ମଦ, ସେକ ସାହିଦ ରଫିକ, ଅବଦୁଲ ଆବିଦ ଖାନ, ଇସ୍ତାକ ଖାନ, ମହମ୍ମଦ ଅବଦୁଲ ରହିମ, ସେଖ ଆଶିକ ପ୍ରମୁଖମାନେ ଉପସ୍ଥିତ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କରାଇଥିଲେ ।








