ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜ୍ଞାନସମ୍ମତ ପାଠ୍ୟକ୍ରମ ଭିତିକ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନ ହେବା ଯାଏଁ ଗତ ବର୍ଷ ବହିରେ ଶିକ୍ଷାଦାନ ପାଇଁ ନୋଟିସ୍ ଜାରି କରିବା, ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ପ୍ରସ୍ତୁତ ଅବୈଜ୍ଞାନିକ ପାଠ୍ୟକ୍ରମ ଓ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା, ଗଣ ଶିକ୍ଷା ମନ୍ତ୍ରୀ ସମେତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶନରେ ସଂପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା, ଇଂରାଜୀ ଭାଷାକୁ ଇଚ୍ଛାଧିନ ନୁହେଁ ବାଧ୍ୟତାମୂଳକ କରିବା, ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି ୨୦୨୦କୁ ସଂପୂର୍ଣ୍ଣ ବାତିଲ କରିବା ଦାବିରେ ଆଜି ଏଆଇଡିଏସଓ ପକ୍ଷରୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ସଙ୍ଗଠନ ରାଜ୍ୟ କମିଟି ସଭ୍ୟ ଆଜମଲ ହୁସେନ, କାଜଲ ମଲ୍ଲିକ, ଅଜିଜ ଫାତିମା, ଲିପ୍ସା ମଲ୍ଲିକ ଅଭିଭାବକ ସୁରମା ସାମଲ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ଥିଲେ । ଏଠାରେ ସୂଚନାଯୋଗ୍ୟ ଚଳିତ ବର୍ଷ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛପାଯାଇଥିବା ସମସ୍ତ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ଥିବା ଲୋକଲୋଚନକୁ ଆସିଛି । ଏହା ଫଳରେ ରାଜ୍ୟର ଛାତ୍ର, ଶିକ୍ଷକ, ଅଭିଭାବକ ଓ ଶିକ୍ଷାପ୍ରେମୀ ଜନଗଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ନୂତନ ଜାତୀୟ ଶିକ୍ଷାନୀତି ପ୍ରଚଳନ କରିବା ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ଧ୍ୱଂସମୁଖୀ କରାଯାଇଥିବା ବେଳେ ଅତ୍ୟନ୍ତ ବେପରୁଆ ଭାବେ ଏହି ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯାଇଛି । ଯେଉଁ ୨୬୦୦ରୁ ଅଧିକ ଭୁଲ ବାହାରିଛି ସେଗୁଡ଼ିକ ମୁଖ୍ୟତଃ ତଥ୍ୟ ଭିତିକ । ମାତ୍ର ପାଠ୍ୟକ୍ରମରେ ଅନେକ ଅବୈଜ୍ଞାନିକ, ଅଯୌକ୍ତିକ ତଥା ମନଗଢ଼ା କାହାଣୀକୁ ଭର୍ତି କରାଯାଇ ପାଠ୍ୟକ୍ରମର ଏକ ମୌଳିକ ଭିତିଗତ ପରିବର୍ତନ କରାଯାଇଛି । ଏହାଦ୍ୱାରା ଛାତ୍ରଛାତ୍ରୀମାନେ କେବଳ ତଥ୍ୟଗତ ଭାବେ ଭୁଲ ଶିକ୍ଷା ପାଇବେ ନାହିଁ ଆହୁରି ମଧ୍ୟ ବିକୃତ ଶିକ୍ଷା ପାଇବେ, ଯଦ୍ୱାରାକି ସେମାନଙ୍କର ଚିନ୍ତା କରିବାର କ୍ଷମତା ମଧ୍ୟ ଭୟଙ୍କର ଭାବେ ବାଧାପ୍ରାପ୍ତ ହେବ । ଫଳରେ ଏହି ଭୁଲ ଶିକ୍ଷା ଗ୍ରହଣ କରି ରାଜ୍ୟର ଲକ୍ଷ ଲକ୍ଷ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଯେ ଅନ୍ଧକାରମୟ ହେବ କେବଳ ସେତିକି ନୁହେଁ ସେମାନେ ଅନ୍ଧତା, କୂପମଣ୍ଡୁକତାର ମଧ୍ୟ ଶୀକାର ହେବେ । ଅସଲରେ ଏହି ପାଠ୍ୟ ପୁସ୍ତକ ପରିବର୍ତନ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବା ପାଇଁ ଏକ ସୁଦୂର ପ୍ରସାରୀ ଷଡ଼ଯନ୍ତ୍ର ଏବଂ ବିଜ୍ଞାନ ସମ୍ମତ ଶିକ୍ଷା ଠାରୁ ଭବିଷ୍ୟତ ପିଢ଼ିକୁ ଦୂରେଇ ରଖିବା ପାଇଁ ଏକ ହୀନ ଚକ୍ରାନ୍ତ ବୋଲି ଏଆଇଡିଏସଓ ପକ୍ଷରୁ ଅଭିଯୋଗ କରାଯାଇଛି । ସରକାର ଅବିଳମ୍ବେ ଏହି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ପ୍ରତ୍ୟାହାର କରି ଛାତ୍ରଛାତ୍ରୀମାନଙ୍କୁ ନୂତନ ପାଠ୍ୟପୁସ୍ତକ ପ୍ରଦାନ ନ କଲେ ଆଗାମୀ ଦିନରେ ଦୃଢ଼ ଛାତ୍ର ଆନ୍ଦୋଳନ ସଂଗଠିତ କରାଯିବ ବୋଲି ଏଆଇଡିଏସଓ ପକ୍ଷରୁ ଚେତାବନୀ ଦିଆଯାଇଛି ।
Home ଜିଲ୍ଲା ପରିକ୍ରମା ବିଜ୍ଞାନସମ୍ମତ ପାଠ୍ୟକ୍ରମ ଭିତିକ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନ ହେବା ଯାଏଁ ଗତ ବର୍ଷ ବହିରେ...








