ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳକୁ ନେଇ ତୀବ୍ର ସମାଲୋଚନା କରାଯାଇଛି। ବିଜେଡି ନେତୃବୃନ୍ଦ ଅଭିଯୋଗ କରିଛନ୍ତି ଯେ, ଜଳସେଚନ, ନଦୀବନ୍ଧ ନିର୍ମାଣ, ମନରେଗା କାର୍ଯ୍ୟକ୍ରମ, ଆବାସ ଯୋଜନା ଓ ରେସନ କାର୍ଡ ବଂଟନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ସେମାନଙ୍କ କହିବା ଅନୁସାରେ, ଚାଷୀମାନେ ଜଳସେଚନ ସୁବିଧାରୁ ବଂଚିତ ହେଉଥିବାବେଳେ ନଦୀବନ୍ଧର ମରାମତି ଓ ସୁଦୃଢୀକରଣ କାମ ଠିକ୍ ଭାବେ ହୋଇନାହିଁ। ମନରେଗା ଯୋଜନାରେ ଘୋଟଲା ଏବଂ ଭତା ଦେବାରେ ସରକାର ଅସମର୍ଥ । ସେହିପରି ଯୋଗ୍ୟ ହିତାଧିକାରୀମାନେ ଆବାସ ଯୋଜନା ଓ ରେସନ କାର୍ଡରୁ ବଂଚିତ ହେଉଥିବା ଅଭିଯୋଗ ଉଠିଛି। ବିଜେଡି ନେତାମାନେ କହିଛନ୍ତି ଯେ, ଦୁଇ ବର୍ଷ ମଧ୍ୟରେ ସରକାର ଜନସାଧାରଣଙ୍କ ଆଶା ଓ ବିଶ୍ୱାସ ପୂରଣ କରିବାରେ ବିଫଳ ହୋଇଛନ୍ତି। ବିଭିନ୍ନ ଯୋଜନାରେ ଦୁର୍ନୀତି ଓ ଅବ୍ୟବସ୍ଥା ବଢ଼ିଥିବାରୁ ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଛନ୍ତି। ଯଦି ତୁରନ୍ତ ସମସ୍ୟାର ସମାଧାନ ନ କରାଯାଏ, ତେବେ ଆଗାମୀ ଦିନରେ ଜନଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି।








