ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଅସୁରାଳି ପଂଚାୟତର ଉଚପଦା ଛକଠାରୁ କାକୁଡିଗଡ଼ିଆ ଗ୍ରାମ ପର୍ଯ୍ୟନ୍ତ ରାଜ୍ୟ ବିପର୍ଯ୍ୟୟ ପାଣ୍ଠି ଅଧୀନରେ ଚାଲିଥିବା ସଡ଼କ ଉନ୍ନତିକରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ଉଠିଛି। ସରକାରଙ୍କ ଲକ୍ଷାଧିକ ଟଙ୍କା ବ୍ୟୟରେ ଚାଲୁଥିବା ଏହି ପ୍ରକଳ୍ପରେ ସୂଚନା ଫଳକ ନ ଲଗାଯିବା, ବିଭାଗୀୟ ତଦାରଖର ଅଭାବ ଏବଂ କାର୍ଯ୍ୟର ଗୁଣବତାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି। ଏନେଇ ଭିଜିଲାନ୍ସ ତଦନ୍ତ ପାଇଁ ଦାବି ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କାମ ଚାଲିଥିଲେ ମଧ୍ୟ ପ୍ରକଳ୍ପର ମୂଲ୍ୟ, କାର୍ଯ୍ୟ ଅବଧି, ଠିକାଦାରଙ୍କ ନାମ ଓ ବିଭାଗୀୟ ବିବରଣୀ ସମ୍ବଳିତ ସୂଚନା ଫଳକ ଲଗାଯାଇନାହିଁ। ଫଳରେ କାର୍ଯ୍ୟର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠିଛି। ସେହିପରି କାମର ମାନ ଓ ନିୟମ ପାଳନ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିବାକୁ ଚେଷ୍ଟା କଲେ ମଧ୍ୟ ସନ୍ତୋଷଜନକ ସୂଚନା ପାଇପାରୁ ନାହାନ୍ତି। କାମ ସମ୍ପର୍କରେ ତଥ୍ୟ ହାସଲ ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ସହ ସମ୍ପର୍କ ସ୍ଥାପନ ହୋଇପାରି ନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ପୂର୍ତ ବିଭାଗର ଏସ୍ଡିଓ ରଞ୍ଜନ ନାୟକ ଜନବଳ ଅଭାବ ଥିବା କଥା ଉଲ୍ଲେଖ କରିଥିବା ଜଣାପଡ଼ିଛି। ତେବେ ଏହି ମନ୍ତବ୍ୟର ସ୍ୱାଧୀନ ଯାଂଚ ହୋଇପାରିନାହିଁ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ସରକାରୀ ଅର୍ଥରେ ହେଉଥିବା କାର୍ଯ୍ୟରେ ସ୍ୱଚ୍ଛତା ଓ ନିୟମିତ ତଦାରଖ ରହିବା ଆବଶ୍ୟକ। ମାତ୍ର କାମ କରାଇଦେବା ପରିବର୍ତେ ଏହାର ଗୁଣବତା ଓ ଆର୍ôଥକ ବ୍ୟୟର ସଠିକ ଉପଯୋଗ ଉପରେ ବିଭାଗ ନଜର ରଖିବା ଦରକାର। ତେଣୁ ଉଚପଦା-କାକୁଡିଗଡ଼ିଆ ସଡ଼କ ପ୍ରକଳ୍ପର ସମ୍ପୂର୍ଣ୍ଣ ଭିଜିଲାନ୍ସ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଦାବି ହୋଇଛି।








