Home ଜିଲ୍ଲା ପରିକ୍ରମା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ଆଭାସି ବୈଠକ

ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ଆଭାସି ବୈଠକ

2

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭାରତୀୟ ଜନସଂଘର ପ୍ରତିଷ୍ଠାତା, ବିଶିଷ୍ଟ ଶିକ୍ଷାବିତ୍‌, ରାଷ୍ଟ୍ରନାୟକ ଏବଂ ଦେଶର ଏକତା ଓ ଅଖଣ୍ଡତାର ଦୃଢ଼ ପ୍ରହରୀ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ଆଜି ଏକ ଆଭାସି (ଭର୍ଚୁଆଲ) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୀବନାଦର୍ଶ, ଦେଶପ୍ରେମ, ତ୍ୟାଗ ଏବଂ ଜାତୀୟ ଏକତା ପ୍ରତି ତାଙ୍କର ଅବଦାନ ଉପରେ ବିସ୍ତୃତ ଆଲୋକପାତ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶିତାଶୁ ଶେଖର ମହାପାତ୍ର, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ଭଗବାନ ପଣ୍ଡାଙ୍କ ସମେତ ଜିଲ୍ଲା ଓ ରାଜ୍ୟସ୍ତରୀୟ ପଦାଧିକାରୀ, ସମସ୍ତ ମଣ୍ଡଳ ସଭାପତି, ବୁଥ ସଭାପତି, ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ବକ୍ତାମାନେ କହିଥିଲେ ଯେ, ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଭାରତର ଏକତା, ଅଖଣ୍ଡତା ଏବଂ ରାଷ୍ଟ୍ରବାଦର ଏକ ସଶକ୍ତ ପ୍ରତୀକ ଥିଲେ। ୧୯୦୧ ମସିହା ଜୁଲାଇ ୬ ତାରିଖରେ କୋଲକାତାରେ ଜନ୍ମଗ୍ରହଣ କରିଥିବା ଶ୍ୟାମାପ୍ରସାଦ ଅଳ୍ପ ବୟସରୁ ନିଜର ଅସାଧାରଣ ମେଧା ଓ ନେତୃତ୍ୱ କ୍ଷମତା ପାଇଁ ପରିଚିତ ହୋଇଥିଲେ। ସେ କୋଲକାତା ବିଶ୍ୱବିଦ୍ୟାଳୟର ସବୁଠାରୁ କନିଷ୍ଠ କୁଳପତି ଭାବେ ଦାୟିତ୍ୱ ତୁଲାଇଥିଲେ ଏବଂ ଶିକ୍ଷା କ୍ଷେତ୍ରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ନେଇଥିଲେ। ସ୍ୱାଧୀନତା ପରେ ସେ ଦେଶର ପ୍ରଥମ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଶିଳ୍ପ ଓ ଯୋଗାଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। କିନ୍ତୁ ଦେଶହିତ ଓ ନିଜର ଆଦର୍ଶକୁ ସର୍ବୋପରି ରଖି ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପରବର୍ତୀ ସମୟରେ ୧୯୫୧ ମସିହାରେ ସେ ଭାରତୀୟ ଜନସଂଘ ପ୍ରତିଷ୍ଠା କରି ଜାତୀୟ ରାଜନୀତିରେ ଏକ ନୂତନ ଅଧ୍ୟାୟର ସୂଚନା କରିଥିଲେ। ବୈଠକରେ ବକ୍ତାମାନେ ବିଶେଷ ଭାବରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ। ଦେଶରେ “ଏକ ଦେଶରେ ଦୁଇ ବିଧାନ, ଦୁଇ ପ୍ରଧାନ ଓ ଦୁଇ ନିଶାନ ଚାଲିବ ନାହିଁ” ଭଳି ଦୃଢ଼ ସଂକଳ୍ପ ନେଇ ସେ ଜାତୀୟ ଏକତା ପାଇଁ ସଂଗ୍ରାମ କରିଥିଲେ। ଜମ୍ମୁ-କାଶ୍ମୀରରେ ପ୍ରବେଶ କରିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ୧୯୫୩ ମସିହା ଜୁନ ୨୩ ତାରିଖରେ କାରାବାସ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିଲା। ତାଙ୍କର ଏହି ବଳିଦାନକୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ସର୍ବୋଚ୍ଚ ତ୍ୟାଗ ଭାବେ ସ୍ମରଣ କରାଯାଏ। ଉପସ୍ଥିତ ବକ୍ତାମାନେ କହିଥିଲେ ଯେ, ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୀବନ ଓ ଆଦର୍ଶ ଆଜିର ଯୁବପିଢ଼ି ପାଇଁ ଏକ ପ୍ରେରଣାର ଉତ୍ସ। ତାଙ୍କର ରାଷ୍ଟ୍ରପ୍ରେମ, ନିଷ୍ଠା, ସେବା ଓ ବଳିଦାନର ଆଦର୍ଶକୁ ଅନୁସରଣ କରି ଦେଶ ଓ ସମାଜର ବିକାଶ ଦିଗରେ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା। ଶେଷରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଅମର ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ସ୍ମୃତିକୁ ଚିରସ୍ମରଣୀୟ ରଖିବା ସହ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭୂମିକା ନିର୍ବାହ କରିବାକୁ ସମସ୍ତେ ସଂକଳ୍ପ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.