ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ପଂଚାୟତ ସେମିତି କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ସଫଳତାର ୨ ବର୍ଷ ପୂର୍ତି ଅବସରରେ “ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଭବ୍ୟ ସମାରୋହରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମନ୍ତ୍ରୀ ଶ୍ରୀ ସୂରଜ ଗତ ୨ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଅଭୂତପୂର୍ବ ସଫଳତା ଏବଂ କେନ୍ଦ୍ରର ମୋଦି ସରକାରଙ୍କ ୧୨ ବର୍ଷର ଜନକଲ୍ୟାଣ ଓ ବିକାଶମୂଳକ କାର୍ଯ୍ୟ ସଂପର୍କରେ ଲୋକମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଏଥିସହ ସେ ଧାମନଗର ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ଓ ଭିତିଭୂମିର ବିକାଶ ଲାଗି ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଯୋଜନାର ଏକ ଚିଠା ପ୍ରଦାନ କରିଥିଲେ। ମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଉଦତ୍କମ ଓ ଦୃଢ଼ ନେତୃତ୍ୱ ଯୋଗୁଁ ଆଗାମୀ ଦିନରେ ଧାମନଗର ବିକାଶର ସର୍ବୋଚ୍ଚ ଶୀର୍ଷରେ ପହଂଚିବ ବୋଲି ଏହି ଅବସରରେ ମତପ୍ରକାଶ ପାଇଛି। ଗତ ୨ ବର୍ଷ ମଧ୍ୟରେ ନିଆଯାଇଥିବା ବଳିଷ୍ଠ ପଦକ୍ଷେପ ଯୋଗୁଁ ଧାମନଗରକୁ ବନ୍ୟା ଦାଉରୁ ଏକ ପ୍ରକାର ରକ୍ଷା କରାଯାଇ ପାରିଛି ବୋଲି ମନ୍ତ୍ରୀ କହିଥିଲେ। କ୍ରୀଡ଼ା କ୍ଷେତ୍ରରେ ସ୍ଥାନୀୟ ପ୍ରତିଭାଙ୍କୁ ଆଗକୁ ଆଣିବା ପାଇଁ ବ୍ଲକରେ ବ୍ୟାପକ କ୍ରୀଡ଼ା ଭିତିଭୂମି ନିର୍ମାଣ ହେଉଥିବା ସେ ପ୍ରକାଶ କରିଥିଲେ। ଏଥି ସହ ମନ୍ତ୍ରୀ ଶ୍ରୀ ସୂରଜ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ କାର୍ଯ୍୍ୟାଦେଶ ଏବଂ ସହାୟତା ରାଶିର ଚେକ୍ ପ୍ରଦାନ କରିଥିଲେ। ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ମୃତ୍ୟୁକାଳୀନ ସହାୟତା ବାବଦକୁ ବିଷ୍ଣୁ ଚରଣ ନନ୍ଦୀଙ୍କୁ ୩ ଲକ୍ଷ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ କନ୍ୟା ବିବାହ ସହାୟତା ବାବଦରେ ଲକ୍ଷ୍ମୀଧର ଜେନା ଓ ସେକ୍ ସାବାଜାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଧାମନଗର ବିଡିଓ ବନବିହାରୀ ଦିନ୍ଦା କାର୍ଯ୍ୟକ୍ରମ କୁ ସଂଚାଳନା କରିଥିଲେ।
Home ଜିଲ୍ଲା ପରିକ୍ରମା ଧାମନଗରରେ ‘ବିକାଶର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମ, ଧାମନଗରର ଭିଲିଭୂମି ବିକାଶକୁ ମନ୍ତ୍ରୀଙ୍କ ପ୍ରାଧାନ୍ୟ








