ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବେଆଇନ୍ ଭାବେ ବ୍ରାଉନସୁଗାର କାରବାର କରୁଥିବା ଦୁଇ ଜଣ ଯୁବକଙ୍କୁ ବନ୍ତ ପୋଲିସ୍ କାବୁ କରିବା ସହ ସେମାନଙ୍କ ନିକଟରୁ ଏକ ପ୍ୟାକେଟ୍ ରେ ଥିବା ୧୦ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବଦ୍ କରିଛି । ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷରୁ ଉର୍ଦ୍ଧ ହେବ । ନିଶା କାରବାରରେ ସଂପୃକ୍ତ ଯୁବକ ଦ୍ୱୟ ଟିଲୋ କଟାଂପଡାର କମଳା ଦାସଙ୍କ ପୁଅ ଚନ୍ଦନ (୨୦) ଏବଂ ଅଡାଳପଙ୍କର ପ୍ରଶାନ୍ତ କୁମାର ପଣ୍ଡାଙ୍କ ପୁଅ ପ୍ରଶନ୍ନଜିତ୍ ପଣ୍ଡା(୩୧) ବୋଲି ଜଣା ପଡିଛି । ପ୍ରକାଶଯେ କୌଣସି ସୁତ୍ରରୁ ଖବରପାଇ ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି ପୋଲିସ୍ ଦଳ ସହ ସ୍ଥାନୀୟ କେନାଲ ଛକ ଠାରେ ଜଗି ରହିଥିଲେ । ଦିବା ୧୧ ଘଟିକାରେ ଏକ ବାଇକ୍ ଯୋଗେ ଦୁଇଜଣ ଯୁବକ ଯାଉଥିବା ବେଳେ ପୋଲିସ ତାଙ୍କୁ ଅଟକାଇ ଥିଲା । ହେଲେ ସେମାନେ ଚକମା ଦେଖାଇ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ କାବୁ କରାଯାଇଥିଲା । ପରେ ମାଜିଷ୍ଟ୍ରେଟ ପ୍ରଶନ୍ନ କୁମାର ମହାନ୍ତିଙ୍କ ଉପସ୍ଥିତରେ ବ୍ରାଉନସୁଗାର ସହ ବ୍ୟବହୃତ ବାଇକକୁ ଜବଦ୍ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୋଲିସ୍ ନିଶା କାରବାରର ଚେର ଏବଂ ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ବାବଦରେ ଅଧିକ ତଦନ୍ତ ଚଳାଇଛି । ପ୍ରକାଶଥାଉକି ଏଠାରେ କିଛିମାସ ପୂର୍ବେ ଥାନାଧିକାରୀ ଶ୍ରୀ ମହାନ୍ତି କାର୍ଯ୍ୟଭାର ଗ୍ରହଣ କରିବା ପରେ ଥାନା ଅଧିନରେ ଥିବା ବିଭିନ୍ନ ବେଆଇନ୍ ଚୋରା କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସୁଛନ୍ତି । ବେଆଇନ୍ ବାଲି, ଗୋଚାଲାଣ, ଚୋରାରେ ଦେଶୀ ବିଦେଶୀ ମଦ ବିକ୍ରୀ ଉପରେ ଚଢାଉ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ଅଚଂଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି ।








