Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ଶିବବିବାହ ଦର୍ଶନ ପାଇଁ ୩୦ ହଜାର ଭକ୍ତଙ୍କ ସମାଗମ,ବରାନୁଗମନ ଶୋଭାଯାତ୍ରାରେ ଦୁଲୁକିଲା ପୀଠ, ରାଜରାଜେଶ୍ୱର...

ଆଖଣ୍ଡଳମଣିଙ୍କ ଶିବବିବାହ ଦର୍ଶନ ପାଇଁ ୩୦ ହଜାର ଭକ୍ତଙ୍କ ସମାଗମ,ବରାନୁଗମନ ଶୋଭାଯାତ୍ରାରେ ଦୁଲୁକିଲା ପୀଠ, ରାଜରାଜେଶ୍ୱର ବେଶରେ ଦର୍ଶନ ଦେଲେ ବାବା

12

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ପାଇଁ ଶୁକ୍ରବାର ଉତ୍ସବମୁଖର ହୋଇ ଉଠିଥିଲା ଆରଡିପୀଠ। ଏହି ବିବାହ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲାରାରୁ ପାରମ୍ପରିକ ବାଦ୍ୟ ସହ ନୃତ୍ୟଶିଳ୍ପୀ ଯୋଗଦେଇଛନ୍ତି। ସେହିପରି ବାବାଙ୍କ ବିବାହରେ ଦେବଦମ୍ପତିଙ୍କର ଯୁଗୋଳମୂର୍ତୀ ଦର୍ଶନ ପାଇଁ ୩୦ହଜାରରୁ ଉର୍ଦ୍ଧ ଭକ୍ତଙ୍କ ଭିଡ଼ ଲାଗିଥିଲା ପୀଠରେ। ମଧ୍ୟରାତ୍ରରେ ଦେବଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବା ପରେ ଯୁଗୋଳମୂର୍ତୀଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ। ବୈଦିକ ରୀତିନୀତି ଓ ଲୋକାଚାରରେ ମାନବୀୟ ଲିଳା ଭାବେ କନ୍ୟାପିତା ବିଚିତ୍ର ପାଢୀଙ୍କ ପକ୍ଷରୁ ମଣିବାବାଙ୍କୁ ବରଣ ନିମନ୍ତେ ପାର୍ବତୀଙ୍କ ଭାଇ ଭାବେ ପବନପୁତ୍ର ହନୁମାନ ବରଧରା ରୂପେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବାହାରି ପୀଠ ଓ ମୁଖ୍ୟବଜାର ପରିକ୍ରମା କରିବା ପରେ ବରପିତା ଗଦାଧର ପାଢୀଙ୍କ ଘରେ ପହଁଚିବା ପରେ ବ୍ରାହ୍ମଣ ଓ ଜ୍ୟୋତିଷଙ୍କ ଦ୍ୱାରା ବରଣ ନୀତି କରାଯାଇଥିଲା। ଏହି ଶୋଭାଯାତ୍ରରେ ଢେଙ୍କାନାଳର ଦୁଲୁଦୁଲି ବାଦ୍ୟ ସାଙ୍ଗକୁ ରାଜସ୍ଥାନ ଅଘୋରୀ ନୃତ୍ୟ, ବ୍ରହ୍ମପୁରର ଯୋଡିଶଙ୍ଖ, କଙ୍କାଳ ନୃତ୍ୟ, କଲିକତା ମେଦିନପୁରର ମୟୁରଚୂଳିଆ ବାଦ୍ୟ, କେନ୍ଦୁଝରର କଳସ ନୃତ୍ୟ, ଦେବଗଣଙ୍କ ସହ ବିଭିନ୍ନ ଜିଲାରୁ ଆସିଥିବା ସଂକିର୍ତନ ମଣ୍ଡଳୀ, ଘଂଟବାଦ୍ୟକାର ମାନେ ଯୋଗ ଦେଇଥିଲେ। ଅପରାହ୍ଣ ୪ଟାରେ ମଣିବାବା ଓ ମାତା ପାର୍ବତୀଙ୍କୁ ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯିବା ପରେ ବରପିତା ଓ କନ୍ୟାପିତାଙ୍କ ପକ୍ଷରୁ ଦିଅଁ ମଙ୍ଗୁଳା ଓ ହଳଦୀପାଣି ନୀତି କରାଯାଇଥିଲା। ସଂଧ୍ୟା ୭ଟାରେ ଦେବଦେବ ମହାଦେବ ବର ରୂପେ ବିମାନରେ ବିଜେ କରି ବରାନୁଗମନ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରରେ ଭକ୍ତ ଓ ଭଗବାନଙ୍କର ମହାମିଳନ ହୋଇଥିଲା। ରାତ୍ର ୧ଟା ଯାଏଁ ଶୋଭାଯାତ୍ରା ଚାଲିବା ପରେ ମନ୍ଦିର ସମୁଖରେ ନିର୍ମିତ ବିବାହ ମଣ୍ଡପରେ ଦେବଦମ୍ପତିଙ୍କର ବିବାହ କାର୍ଯ୍ୟ ଲୋକାଚାରରେ ଅନୁଷ୍ଠିତ ହୋଇଥିଲା। ହଜାରହଜାର ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏଥିସହ ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ବିଜୟ କୁମାର ଦାଶଙ୍କ ତ୍ୱତାବୋଧନରେ ୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସେବା ଯୋଗାଇଥିବା ବେଳେ ପିରାହାଟର ପ୍ରଦେଶ ସେବା ସଂଗଠନ, ସତ୍ୟସାଇ ସେବା ସଂଗଠନ, ଜିଲା ରକ୍ତ ସଂଗଠନ, ଜଗାଚାକର ସଂଘ ଆଦି ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ସେବା ଯୋଗାଇ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.