ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦଇପୁର ପଞ୍ଚାୟତର ବାବୁରୀ ଗାଁରେ ଆଞ୍ଚଳିକ ମଞ୍ଚ ଏବଂ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହଯୋଗରେ ଚଳିତ ବର୍ଷର ରଜ ମହୋତ୍ସବ ବହୁ ଆଡମ୍ବର, ଉତ୍ସାହ ଓ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ତିନି ଦିନ ଧରି ଚାଲିଥିବା ଏହି ଉତ୍ସବରେ ଗ୍ରାମବାସୀଙ୍କ ବ୍ୟାପକ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।ଏହି ଅବସରରେ ରଜ ପର୍ବର ପାରମ୍ପରିକତାକୁ ଉଜାଗର କରିବା ଲକ୍ଷ୍ୟରେ ବିଭିନ୍ନ ସାଂସ୍କୃତିକ, କ୍ରୀଡ଼ା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନୃତ୍ୟ, ସଙ୍ଗୀତ, ଭଜନ ପରିବେଷଣ, ଝୋଟି ପ୍ରତିଯୋଗିତା, ପୁଚି ଖେଳ, ରଜ ଦୋଳି ଏବଂ ଅନ୍ୟାନ୍ୟ ସୃଜନଶୀଳ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। ଗ୍ରାମର ଯୁବକ, ଯୁବତୀ, ମହିଳା ଓ ବରିଷ୍ଠ ନାଗରିକମାନେ ଉତ୍ସାହର ସହ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଉତ୍ସବର ଶେଷ ଦିନରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର, ଶୀଳ, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା। ଅତିଥିମାନେ ରଜ ପର୍ବ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ଏକ ଅମୂଲ୍ୟ ନିଦର୍ଶନ ବୋଲି କହିବା ସହ ଏଭଳି କାର୍ଯ୍ୟକ୍ରମ ଗ୍ରାମାଞ୍ଚଳରେ ସାମାଜିକ ସମ୍ପ୍ରୀତି, ଭାଇଚାରା ଓ ସାଂସ୍କୃତିକ ଚେତନାକୁ ଆହୁରି ସୁଦୃଢ଼ କରୁଥିବା ମତ ପ୍ରକାଶ କରିଥିଲେ।ସନ୍ତୋଷୀ ମାଆ ମନ୍ଦିରର ପୂଜକ ରାକେଶ କୁମାର ପଣ୍ଡାଙ୍କ ମାର୍ଗଦର୍ଶନରେ ସଂଘମିତ୍ରା ବିଶ୍ୱାଳ, ସସ୍ମିତା ବେହେରା, ଅର୍ପିତା ବାରିକ, ଭାଗ୍ୟବତୀ ଖୁଣ୍ଟିଆ, ଗୌରୀ ରାଣୀ ପତି, ମିନତି ଧଳ, ଲକ୍ଷ୍ମୀପ୍ରିୟା ଦାସ, ମୀରାରାଣୀ ସେଠୀ, ମିନତି ବାରିକ, ସ୍ୱପ୍ନାରାଣୀ ଦାସ, ମାନସୀ ଧଳ, ସିଆରପି ଓ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମିଳିତ ଭାବେ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।ଶେଷରେ ଆୟୋଜକମାନେ ସମସ୍ତ ଅତିଥି, ପ୍ରତିଯୋଗୀ ଓ ଗ୍ରାମବାସୀଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ଏହି ସୁନ୍ଦର ରଜ ମହୋତ୍ସବ ଗାଁରେ ଆନନ୍ଦ, ଉତ୍ସାହ ଓ ସାମାଜିକ ଏକତାର ବାର୍ତ୍ତା ବହନ କରିଥିବା ପ୍ରକାଶ କରିଥିଲେ।







