Home ଜିଲ୍ଲା ପରିକ୍ରମା ଧାମନଗରରେ ‘ବିଧାୟକ ମେଧା ସମ୍ମାନ-୨୦୨୬’ ପ୍ରଦାନ, ଶିକ୍ଷାର ବିକାଶ ପାଇଁ ଗୋଷ୍ଠୀଗତ ଭାଗିଦାରୀ ଉପରେ ମନ୍ତ୍ରୀଙ୍କ...

ଧାମନଗରରେ ‘ବିଧାୟକ ମେଧା ସମ୍ମାନ-୨୦୨୬’ ପ୍ରଦାନ, ଶିକ୍ଷାର ବିକାଶ ପାଇଁ ଗୋଷ୍ଠୀଗତ ଭାଗିଦାରୀ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

4

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ମହାବିଦ୍ୟାଳୟ ସମ୍ମିଳନୀ ଗୃହରେ ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ବ୍ୟକ୍ତିଗତ ଉଦ୍ୟମ ଓ ହାତ ପାଣ୍ଠି ଅନୁଦାନରେ ପ୍ରଥମ ଥର ପାଇଁ ଏକ ଅଭିନବ ପ୍ରୟାସ ସ୍ୱରୂପ ‘ବିଧାୟକ ମେଧା ସମ୍ମାନ-୨୦୨୬’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକମାନଙ୍କ ସହଯୋଗ ଓ ବଳିଷ୍ଠ ନେତୃତ୍ୱ ଯୋଗୁଁ ମାତ୍ର ୬ ମାସ ମଧ୍ୟରେ ଅଂଚଳର ଶିକ୍ଷା କ୍ଷେତ୍ରରେ ଏକ ବିରାଟ ପରିବର୍ତନ ଦେଖିବାକୁ ମିଳିଛି। ଶିକ୍ଷାର ଉତରୋତର ବିକାଶ ଲାଗି ମନ୍ତ୍ରୀ ଏହି ଅବସରରେ ଗୋଷ୍ଠୀଗତ ଭାଗିଦାରୀକୁ ପ୍ରୋତ୍ସାହନ ଦେବାକୁ ଆହ୍ୱାନ ଦେଇଛନ୍ତି। ଏଥିସହ ଆଗାମୀ ଦିନରେ ସ୍କୁଲ କ୍ୟାମ୍ପସ ଗୁଡ଼ିକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ମୋଟ ୧୩ ଜଣ ଇ୧ ଗ୍ରେଡ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି। ଏଥିସହିତ ଦେଶବନ୍ଧୁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁରଭି ରାଜ୍ୟସ୍ତରୀୟ ପୁରସ୍କାରପ୍ରାପ୍ତ ସୌମ୍ୟରଞ୍ଜନ ସାମଲ ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗିତାର କୃତୀ ଛାତ୍ର ତିହିଡ଼ି ଦୋଳସାହି ରାମନାରାୟଣ ଉଚ୍ଚ ବିଦ୍ୟାଳୟର ଚନ୍ଦନ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଚଳିତ ବର୍ଷ ସମସ୍ତ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରି ମହତାବ ନଗର ସ୍ଥିତ ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟ ‘ବେଷ୍ଟ ପରଫର୍ମିଂ ସ୍କୁଲ’ ବା ସର୍ବଶ୍ରେଷ୍ଠ ବିଦ୍ୟାଳୟ ଭାବେ ପୁରସ୍କୃତ ହୋଇଛି।ନିଜ ବିଦ୍ୟାଳୟରୁ ସର୍ବାଧିକ ଛାତ୍ରଛାତ୍ରୀ ଏ୧ ଗ୍ରେଡ୍ ହାସଲ କରି ସୁନାମ ଆଣିଥିବାରୁ ଶହୀଦନଗର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟତମା ପାଣିଗ୍ରାହୀ ଏବଂ ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୁପ୍ତେଶ୍ୱର ସିଂହଙ୍କୁ ୧୦ ହଜାର ଟଙ୍କାର ସମ୍ମାନଜନକ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ, ବିଦ୍ୟାଳୟରେ ଡ୍ରପ୍‌ଆଉଟ୍ ହ୍ରାସ କରିବାରେ ଉଲ୍ଲେଖନୀୟ ସଫଳତା ପାଇଁ ଇନ୍ଦ୍ରଗୋବିନ୍ଦ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଏହାର ଅଧ୍ୟକ୍ଷ ଖଗେଶ୍ୱର ଜେନାଙ୍କୁ ‘ଡ୍ରପ୍ ଆଉଟ୍ ରିଡକ୍ସନ୍ ଆୱାର୍ଡ’ ପ୍ରଦାନ କରାଯାଇଛି। ସମ୍ମାନ ପ୍ରଦାନ ଉତ୍ସବରେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଜିଲ୍ଲା ଶିକ୍ଷାଧୀକାରୀ ଜଗବନ୍ଧୁ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଉପରେ ଆଲୋକପାତ କରିଥିଲେ। ଏଥିସହ ପ୍ରତିଷ୍ଠିତ ଶିକ୍ଷାବିତ୍ ରଘୁନାଥ ପଣ୍ଡା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି କୃତୀ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ବ୍ଳକ ଶିକ୍ଷାଅଧିକାରୀ ପ୍ରଫୁଲ୍ଲ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଧାମନଗରର ଏହି ଅଭିନବ ଶିକ୍ଷା କ୍ରାନ୍ତି ଆଗାମୀ ଦିନରେ ସମଗ୍ର ରାଜ୍ୟ ପାଇଁ ଏକ ମଡେଲ ସାଜିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.