Home ଜିଲ୍ଲା ପରିକ୍ରମା ଓଡ଼ିଶାର ପ୍ରଥମ ମଡେଲ୍ ସୌର ଗ୍ରାମ ଭାବେ ନଦିଗାଁ ଘୋଷିତ

ଓଡ଼ିଶାର ପ୍ରଥମ ମଡେଲ୍ ସୌର ଗ୍ରାମ ଭାବେ ନଦିଗାଁ ଘୋଷିତ

7

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ବିଜୁଳି ଯୋଜନା ଅନ୍ତର୍ଗତ ମଡେଲ ସୌର ଗ୍ରାମ (ଏମଏସଚି) କାର୍ଯ୍ୟକ୍ରମ ଅବସରରେ ,ଗୁରୁବାର ଧାମନଗର ପଂଚାୟତ ସମିତି କାର୍ଯ୍ୟାଳୟଠାରେ ଏକ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧାମନଗର ନିର୍ବାଚନ ମଣ୍ଡଳୀର ନଦିଗାଁ କୁ ଓଡ଼ିଶାର ପ୍ରଥମ ମଡେଲ ସୌର ଗ୍ରାମ ଭାବେ ଘୋଷଣା କରିଥିଲେ।ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେଂଦ୍ର ସାମଲ, ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ, ନଦିଗାଁ ସରପଂଚ ଶ୍ରୀମତୀ ଝରଣା ମାଝୀ, ଟିପିଏନ୍‌ଓଡିଏଲ୍‌ର ମୁଖ୍ୟ ଯନ୍ତ୍ରୀ (ସୋଲାରାଇଜେସନ୍‌) ରାଜୀବ ନାୟକ, ଅଧୀକ୍ଷଣ ଯନ୍ତ୍ରୀ ଭୂପେନ୍ଦ୍ର ନାଥ ସାହୁ ଏବଂ ଓରେଡା ଲିମିଟେଡ୍‌ର ସହକାରୀ ନିର୍ଦ୍ଦେଶକ (ବୈଷୟିକ) ଅସୀମା ଅରୁଣିମା ପ୍ରମୁଖ ଉପସ୍ଥିତ ଥିଲେ।ମଡେଲ୍ ସୌର ଗ୍ରାମ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାର ଏକ ପ୍ରମୁଖ ପଦକ୍ଷେପ, ଯାହାର ଲକ୍ଷ୍ୟ ସୌର ଶକ୍ତି ଆଧାରିତ ଗ୍ରାମୀଣ ବିକାଶକୁ ପ୍ରୋତ୍ସାହିତ କରିବା। ଏହା ମାଧ୍ୟମରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଆଦର୍ଶ ସୌର ଗ୍ରାମ ଗଢ଼ି ତୋଳାଯିବ।ଏହି ଯୋଜନାର କାର୍ଯ୍ୟାନ୍ୱୟନ ଓ ତଦାରଖ ପାଇଁ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଥିଲା। ଗତ ତିନି ମାସ ଧରି ଭଦ୍ରକ ଜିଲ୍ଲାର ୫,୦୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୧୨ଟି ଗ୍ରାମରେ ସୌର ପ୍ରକଳ୍ପ ସ୍ଥାପନ ସମ୍ପର୍କିତ ଆକଳନ କରାଯାଇଥିଲା।ଏଥିରେ ନଦିଗାଁ ଗ୍ରାମ ୧୧୯ କିଲୋୱାଟ୍ ସୌର କ୍ଷମତା ସ୍ଥାପନ କରି ପ୍ରଥମ ସ୍ଥାନ ଅଧିକାର କରିଛି।ଏହି ସଫଳତା ଆଧାରରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ଓ ଅନୁଦାନ ସହାୟତାରେ ଗ୍ରାମର ବିଭିନ୍ନ ସାର୍ବଜନୀନ ସ୍ଥାନରେ ସୌର ଭିତିକ ପ୍ରକଳ୍ପ ସ୍ଥାପନ କରାଯିବ। ଗ୍ରାମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓରେଡା ଲିମିଟେଡ୍ ମାଧ୍ୟମରେ ସୌର ଷ୍ଟ୍ରିଟ୍ ଲାଇଟ୍‌, ସୌର ଜଳ ଯୋଗାଣ ବ୍ୟବସ୍ଥା, ସୌର ଶୀତତାପ ନିୟନ୍ତ୍ରିତ ସଂରକ୍ଷଣ କୋଠରୀ ସହ ଅନ୍ୟାନ୍ୟ ସୌରଚାଳିତ ଭିତିଭୂମି ପ୍ରକଳ୍ପ ସ୍ଥାପନ କରାଯିବ।ନଦିଗାଁ ଗ୍ରାମରେ ଟଖଇ ମଡେଲ୍ ସୋଲାରାଇଜେସନ୍ ପାଇଁ ମୋଟ ୧୯୫ଟି ପରିବାର ଯୋଗ୍ୟ ଥିବାବେଳେ ୧୧୫ଟି ପରିବାରରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଅବଶିଷ୍ଟ ୮୦ଟି ପରିବାରକୁ ଶୀଘ୍ର ସୋଲାରାଇଜେସନ୍ ସମ୍ପନ୍ନ କରିବାକୁ ମାନ୍ୟବର ମନ୍ତ୍ରୀ ସରପଂଚଙ୍କ ଉପସ୍ଥିତିରେ ଉତ୍ସାହିତ କରିଛନ୍ତି। ସୋଲାରାଇଜେସନ୍‌କୁ ଅଧିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଟିପିଏନ୍‌ଓଡିଏଲ୍ ପକ୍ଷରୁ ଧାମନଗର ବ୍ଲକ୍ କାର୍ଯ୍ୟାଳୟରେ ଏକ ସ୍ପଟ୍ ରେଜିଷ୍ଟ୍ରେସନ୍ ଡେସ୍କ ମଧ୍ୟ ଖୋଲାଯାଇଥିଲା, ଯେଉଁଠାରେ ଲୋକମାନେ ସିଧାସଳଖ ପଞ୍ଜୀକରଣ କରି ଯୋଜନାର ସୁବିଧା ପାଇପାରିବେ କାର୍ଯ୍ୟକ୍ରମରେ ଜନପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ ଓ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.