ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ପଂଚାୟତ ସମିତିରେ ଉନ୍ନୟନମୂଳକ କାର୍ଯ୍ୟର ସୁପରିଚାଳନା କରିବା ନିମନ୍ତେ ବୁଧବାର ଜାରି ହୋଇଥିବା ସରକାରୀ ଆଦେଶ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ଦ୍ୱାରା ଜାରି କାର୍ଯ୍ୟଓଳୟ ଆଦେଶ ସଂଖ୍ୟା ୨୫୭୨, ତାରିଖ ୦୩/୦୬/୨୦୨୬ ଅନୁଯାୟୀ ବ୍ଲକର ଆସିଷ୍ଟାଂଟ ଇଞ୍ଜିନିୟର (ଏଇ) ବିନୋଦିନି ଯେନା ଏବଂ ଜୁନିୟର ଇଞ୍ଜିନିୟର ପ୍ରଭାତ ବେହେରା (ଜେଇ)ଙ୍କ ମଧ୍ୟରେ ପଂଚାୟତ ଦାୟିତ୍ୱର ଆଂଶିକ ପରିବର୍ତନ କରାଯାଇଛି। ମାତ୍ର ଏହି ଦାୟିତ୍ୱ ବଂଟନର ଅସ୍ୱାଭାବିକ ଶୈଳୀ ପ୍ରଶାସନିକ ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାରୀ ସୂଚନା ଅନୁଯାୟୀ , ଦୀର୍ଘ ଦିନର ଅଭିଜ୍ଞତା ଓ ଉଚ୍ଚ ଯୋଗ୍ୟତା ସମ୍ପନ୍ନ ଆସିଷ୍ଟାଂଟ ଇଞ୍ଜିନିୟର ବିନୋଦିନୀ ଯେନା ଙ୍କ ଦାୟିତ୍ୱକୁ ସଙ୍କୁଚିତ କରାଯାଇଛି। ପୂର୍ବରୁ ସେ ଭଗବାନପୁର ଓ ଗଢ଼ିଆଳି ଭଳି ଦୁଇଟି ପଂଚାୟତ ଦାୟିତ୍ୱରେ ଥିବା ବେଳେ ନୂତନ ଆଦେଶରେ ତାଙ୍କ ହାତରୁ ଗଢ଼ିଆଳି ପଂଚାୟତକୁ କାଢ଼ି ନିଆଯାଇ କେବଳ ଭଗବାନପୁର ଦାୟିତ୍ୱରେ ସୀମିତ ରଖାଯାଇଛି। ଅପରପକ୍ଷରେ, ଜୁନିୟର ଇଞ୍ଜିନିୟର ପ୍ରଭାତ କୁମାର ବେହେରାଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଗଢ଼ିଆଳି ପଂଚାୟତର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଶ୍ରୀ ବେହେରା ପୂର୍ବରୁ ଅର୍ଜୁନପୁର, ଅସୁରାଳି, ଧୂଷୁରୀ, ଗୋବିନ୍ଦପୁର, ହସନାବାଦ, ରଇପୁର ଏବଂ ବୟାଙ୍ଗଡିହ ଭଳି ୭ ଟି ଗୁରୁତ୍ୱପୂର୍ଣ୍ଣ ପଞ୍ଚାୟତର କାର୍ଯ୍ୟ ବୁଝୁଥିଲେ। ବର୍ତମାନ ଏହି ନୂତନ ସଂଶୋଧନ ପରେ ତାଙ୍କ ଅଧୀନରେ ପଂଚାୟତ ସଂଖ୍ୟା ୮ କୁ ବୃଦ୍ଧି ପାଇଛି। ଜଣେ ବରିଷ୍ଠ ଆସିଷ୍ଟାଂଟ ଇଞ୍ଜିନିୟର ସରକାରୀ ରାଜ କୋଷରୁ ଦରମା ପାଉଥିବା ବେଳେ ତାଙ୍କୁ ମାତ୍ର ଗୋଟିଏ ପଂଚାୟତ ଦାଇତ୍ୱ ଦେଇ ବସେଇ ରଖିବା ଏବଂ ଜଣେ ଜେଇ ଙ୍କୁ ୮ ଟି ପଂଚାୟତର ବିପୁଳ କାର୍ଯ୍ୟଭାର ଟେକିଦେବା ପଛର ରହସ୍ୟ କଣ ବୋଲି ତାହା ସାଧାରଣରେ ଆଲୋଚନା ହେଉଛି। ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ଜେଇ ଜଣକ ନିଜ ଅଧୀନରେ ବେସରକାରୀ ଭାବେ ଜଣେ ପିଲା ରଖି ନିଜ କାର୍ଯ୍ୟ କରାଉଥିବା ବେଳେ ବ୍ଲକ କର୍ତୃପକ୍ଷ ତାଙ୍କୁ ସୁହାଇଲା ଭଳି ପଦକ୍ଷେପ ନେଉଛନ୍ତି ବୋଲି କୁହାଯାଉଛି।ସେହିପରି ଯଦି ଜଣେ ଅଧିକାରୀ ବେସରକାରୀ ଲୋକଙ୍କ ଜରିଆରେ ସରକାରୀ କାମ ନିୟନ୍ତ୍ରଣ କରିବେ ତାହେଲେ ବ୍ଲକରେ ଏତେ ସଂଖ୍ୟକ ଯନ୍ତ୍ରୀ ପଦବୀର ଆବଶ୍ୟକତା କାହିଁକି ଏବଂ ଏହା ଦ୍ୱାରା ସରକାରୀ ଅର୍ଥର ଅପବ୍ୟୟ ହେଉନାହିଁ କି ବୋଲି ପ୍ରଶ୍ନ ଉଠିଛି। ଏହି ଅଦଳବଦଳ ପଛରେ ବ୍ଲକ ପ୍ରଶାସନ ଓ ସମ୍ପୃକ୍ତ ଯନ୍ତ୍ରୀଙ୍କ ମଧ୍ୟରେ କୌଣସି ଆଭ୍ୟନ୍ତରୀଣ ସ୍ୱାର୍ଥ ଓ ଆର୍ôଥକ ମଧୁଚନ୍ଦ୍ରିକା ରହିଥିବା ନେଇ ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କ ହାତରେ ୮ ଟି ପଂଚାୟତ ରହିଲେ ଉନ୍ନୟନମୂଳକ କାର୍ଯ୍ୟର ମାନ ହ୍ରାସ ପାଇବା ସହ ଦୁର୍ନୀତି ବଢ଼ିବା ଆଶଙ୍କା ଥିବାରୁ, ଜିଲାପାଳ ଓ ଉପରିସ୍ଥ ଅଧିକାରୀ ଏଥିରେ ହସ୍ତକ୍ଷେପ କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ଧାମନଗର ବିଡ଼ିଓ ବନ ବିହାରୀ ଦିନ୍ଦା ଙ୍କୁ ପଚାରିବାରୁ ସେ କହିଛନ୍ତି ଏହା ଆମର ଇଂଟରନାଲ ବିଷୟ ।କିଏ କେଉଁ ପଞ୍ଚାୟତ ଦାୟିତ୍ୱରେ ରହିବେ ତାହା ଆମେ ଡିସିସନ ନେବୁ ।ସେ କଥା କଣ ଲୋକଙ୍କୁ ପଚାରି ଆମେ ଡିସିସନ ନେବୁ ବୋଲି ଓଲଟି ପ୍ରଶ୍ନ କରି ଯାହାର ଅଭିଯୋଗ ଅଛି ସେ ଆମକୁ ଜଣାନ୍ତୁ ବୋଲି ବିଡ଼ିଓ ଉତର ରଖିଛନ୍ତି। ତେବେ ଏପରି ମନ୍ତବ୍ୟ ରେ କାରଣ କଣ ହୋଇ ପାରେ।ଏପଟେ ଜେ ଇ ମାନେ ଅଧିକାଂଶ ସମୟରେ ପଞ୍ଚାୟତ କୁ ନ ଯାଇ ଭଦ୍ରକ କିମ୍ବା ଘରେ ରହୁଥିବା ବେଳେ ସେମାନେ ଜଣେ ଜଣେ ଦଲାଲ ରଖୁଛନ୍ତି ସେମାନେ କାମ ପାଖକୁ ଯାଇ ଠିକାଦାର ସହ ସାମିଲ ହୋଇ ବଟି ନେଇ ଯାଉଛନ୍ତି। ଏ ଦିଗରେ ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।
Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକ କର୍ତୃପକ୍ଷଙ୍କ ବିଚିତ୍ର ନିୟମ, ଆସିସଷ୍ଟାଣ୍ଡ ଇଞ୍ଜିନିୟରଙ୍କୁ ଗୋଟିଏ ପଂଚାୟତ ଦାୟିତ୍ୱ ଏବଂ ଜୁନିୟର...







