ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ପାଇଁ ପେଟ୍ରୋଲ୍ ଓ ଗ୍ୟାସ ସଂକଟ ଦେଖାଦେବା ପରେ ଏବେ ପେଟ୍ରୋଲ ସମସ୍ୟା ଦୂର ହୋଇଥିବା ବେଳେ ଇନ୍ଧନ ଗ୍ୟାସ୍ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇ ପାରିନାହିଁ । ଏହି ପରିପ୍ରେକ୍ଷୀରେ ହାଟଡିହି ବ୍ଲକ ବିଦ୍ୟାଧରପୁର ଅଚଂଳର ଇଣ୍ଡେନ ଗ୍ରାମୀଣ ଗ୍ୟାସ ବିତରକ ବନ୍ତ ବ୍ଲକ ଆଗରପଡା ଅଚଂଳର ଉପଭୋକ୍ତା ମାନଙ୍କୁ ହଇରାଣ କରି ଆସୁଥିବାର ଅଭିଯୋଗ ହୋଇଛି । ପ୍ରତିବାଦରେ ସୋମବାର ଉପଭୋକ୍ତା ମାନେ ଗ୍ୟାସ ବିତରଣ ଗାଡିକୁ ଅଟକାଇ ଥାନାରେ ଜିମା ଦେଇଥିଲେ । ଏହି ଥାନା ଅଧିନ ବରିଷ୍ଠ ନାଗରିକ ନାରାୟଣ ବଳ ଅଟୋ ରିଜର୍ଭ କରି ୧୦ କି.ମି. ଦୂର ବିଦ୍ୟାଧରପୁର ବିତରକଙ୍କ ଠାରୁ ଡିଏସି ନମ୍ବର ଆଧାରରେ ଗ୍ୟାସ୍ ଆଣିବାକୁ ଯାଇଥିଲେ । ହେଲେ ବିତରକ ତାଙ୍କୁ ଗ୍ୟାସ ଦେଇ ନଥିଲେ । ସେହିପରି ଗୀତାଞ୍ଜଳୀ ପଣ୍ଡା, ଅର୍ଜୁନ ସିଂହ, ସନ୍ଧ୍ୟାରାଣୀ ପଢିଆରୀ, ମନିଷ୍ ପଟ୍ଟନାୟକ, ଗଣେଶ ଭୋଳ, ଦୋଳ ଗୋବିନ୍ଦ ପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ସଂସ୍ଥାରେ ମାଲିକ ବହୁ ସମୟରେ ତାଙ୍କୁ ଗ୍ୟାସ୍ ନଦେଇ ହଇରାଣ ହରକତ କରି ଆସୁଛନ୍ତି । ପାଖାପାଖି ୮ ଶହ ଉପଭୋକ୍ତାଙ୍କ ଖାତା ଆଗରପଡାକୁ ପରିବର୍ତନ କରୁ ନାହାନ୍ତି । ଫଳରେ ପ୍ରତ୍ୟେକ ମାସ ନିର୍ଦ୍ଦିଷ୍ଟ ସମୟରେ ଗ୍ୟାସ ନପାଇ ଉପଭୋକ୍ତା ମାନେ ନାନା ହଇରାଣ ହରକତ ହୋଇ ଆସୁଛନ୍ତି । ପ୍ରକାଶ ଥାଉକି ପୂର୍ବରୁ ଆଗରପଡା ଅଚଂଳରେ ଗ୍ୟାସର ଏଜେନ୍ସି ନଥିବାରୁ ବିଦ୍ୟାଧର ପୁର ଅଚଂଳରୁ ଉପଭୋକ୍ତା ମାନେ ସଂଯୋଗ ନେଇଥିଲେ । ଏବେ ଅନ୍ଲାଇନ ଆବେଦନ କରିଥିଲେ ମଧ୍ୟ ବିଦ୍ୟାଧରପୁର ଏଜେନ୍ସି କାହାକୁ ଏନଓସି ଦେଉ ନାହାନ୍ତି । ଏନେଇ ବିଦ୍ୟାଧରପୁର ଇଣ୍ଡେନ୍ ଗ୍ୟାସ ସ୍ୱତାଧିକାରୀ ବିଶ୍ୱଜିତ୍ ବେହେରା କହନ୍ତି, ଅନ୍ୟ ଜିଲ୍ଲାର ଏଜେନ୍ସି ହୋଇଥିବାରୁ ଭଦ୍ରକ ଜିଲ୍ଲାର ଉପଭୋକ୍ତା ଅନଲାଇନ୍ ଟି.ଟି.ଭି ମାଧ୍ୟମରେ ଗ୍ରହଣୀୟ ନୁହେଁ, ଉପଭୋକ୍ତା ଟି.ଭି ମାଧ୍ୟମରେ ଡିଷ୍ଟ୍ରବ୍ୟୁଟର ଚୟନ କରି ପାରିବେ,ଏଥିରେ ଆମର କୌଣସି ଭୂମିକା ରହୁ ନାହିଁ ।







