ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡ଼ିଶାର ଶେଷ ସ୍ୱାଧୀନ ରାଜା ଗଜପତି ମୁକୁନ୍ଦଦେବଙ୍କ ବୀରତ୍ୱ ଓ ଆତ୍ମବଳିଦାନର ମୂକସାକ୍ଷୀ ଐତିହାସିକ ଗୋହିରାଟିକିରି ପୀଠ ଆଜି ବି ବିକାଶ ପାଇଁ ଚାତକ ଭଳି ଚାହିଁ ରହିଛି। ଗତ ବର୍ଷ ଜୁନ୍ ୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭଦ୍ରକ ସହର ଉପକଣ୍ଠ ରାହାଞ୍ଜ ନିକଟ ରମ୍ଭିଳାଠାରେ ଆୟୋଜିତ ଏକ ଭବ୍ୟ ସଭାରେ ପ୍ରାୟ ୧୦ କୋଟି ଟଙ୍କାର ମୁକୁନ୍ଦଦେବ ସ୍ମାରକୀ ପାର୍କ ଓ ସୁବିଧା କେନ୍ଦ୍ରର ଶିଳାନ୍ୟାସ କରିଥିଲେ। ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବାର ପ୍ରତିଶ୍ରୁତି ମଧ୍ୟ ମିଳିଥିଲା। ହେଲେ ଆଜି ଏହି ପ୍ରତିଶ୍ରୁତିର ବର୍ଷେ ପୂରିଥିଲେ ମଧ୍ୟ କାମ ୧୦ ପ୍ରତିଶତ ବି ଆଗେଇ ପାରିନାହିଁ। ସରକାରୀ ଆଡ଼ମ୍ବର ମଧ୍ୟରେ ଶିଳାନ୍ୟାସ ଶେଷ ହେଲା ସତ, କିନ୍ତୁ ବାସ୍ତବ ପ୍ରକଳ୍ପ ଏବେ ବି କାଗଜପତ୍ର ଓ ମନ୍ଥର ନୀତି ମଧ୍ୟରେ ଛନ୍ଦି ହୋଇ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ ପରେ ଗତ ନଭେମ୍ବର ୨୨ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ପୀଠ ପରିଦର୍ଶନ କରି ଦୋବଲ କାଳୀପଡ଼ିଆ ସଭାରେ ଆଉ ୭ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ। ପର୍ଯ୍ୟଟନ ବିଭାଗ ପକ୍ଷରୁ ୨.୪୬ କୋଟିରେ ସେନାପତିଆ ପୋଖରୀର ଉନ୍ନତିକରଣ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୫ କୋଟି ଟଙ୍କା ବ୍ୟୟରେ ଗବେଷଣା କେନ୍ଦ୍ର ଓ ଆର୍ଟ ଗ୍ୟାଲେରୀ ନିର୍ମାଣର ଯୋଜନା ରହିଥିଲା। ବର୍ଷକ ଭିତରେ ପ୍ରାୟ ୧୭ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା ହୋଇଥିବା ବେଳେ ମିଳିଥିବା ସୂଚନା ମୁତାବକ, ଏଯାଏଁ ମାତ୍ର ୬ କୋଟି ଟଙ୍କାର ମଞ୍ଜୁରୀ ମିଳିଛି ଏବଂ କେବଳ ୫.୮୬ କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଛି। ଚଳିତ ମାର୍ଚ୍ଚ ମାସରୁ ଯେନତେନ ପ୍ରକାରେ କାମ ଆରମ୍ଭ ହୋଇଥିଲେ ବି ଏହାର ଗତି ଅତ୍ୟନ୍ତ ନୈରାଶ୍ୟଜନକ। ପ୍ରକଳ୍ପର ପ୍ରସ୍ତାବ ଅନୁସାରେ ପୀଠରେ ଏକ ନୂତନ ପାଠାଗାର ନିର୍ମାଣ ହେବାର ଥିଲା। କିନ୍ତୁ ପ୍ରଶାସନ ପକ୍ଷରୁ ଏବେ ପୀଠରେ ଥିବା ଏକମାତ୍ର କଲ୍ୟାଣ ମଣ୍ଡପକୁ ପାଠାଗାରରେ ରୂପାନ୍ତରିତ କରିବାକୁ ସ୍ଥାନୀୟ ପ୍ରଶାସନ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ମୁସ୍ତଫାପୁର ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଧାମନଗର ବ୍ଲକ ଉପାଧ୍ୟକ୍ଷ ତଥା ସ୍ଥାନୀୟ ସମିତି ସଭ୍ୟ ଜଗବନ୍ଧୁ ପ୍ରଧାନ କହିଛନ୍ତି, କଲ୍ୟାଣ ମଣ୍ଡପଟି ଗ୍ରାମବାସୀଙ୍କ ବିଭିନ୍ନ ସାମାଜିକ କାର୍ଯ୍ୟରେ ବ୍ୟବହାର ହେଉଛି। ଏହାକୁ ନଷ୍ଟ ନ କରି ନୂଆ ପାଠାଗାର ନିର୍ମାଣ କରାଯାଉ। ୨୮ ନଭେମ୍ବର ୨୦୧୬ରେ ତତ୍କାଳୀନ ରାଜ୍ୟ ସରକାର ଗୋହିରାଟିକିରିକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେଇଥିଲେ। ହେଲେ ୮ ବର୍ଷ ପରେ ବି ଏଠାରେ ଆଖିଦୃଶିଆ ପରିବର୍ତନ ହୋଇନାହିଁ। ପର୍ଯ୍ୟଟକଙ୍କ ପାଇଁ ରହଣି ସ୍ଥଳ, ବିଶ୍ରାମ ଗୃହ, ଶୌଚାଳୟ କିମ୍ବା ପାନୀୟ ଜଳର ସୁବିଧା ନାହିଁ। ବଣଭୋଜି ପାଇଁ ପିଣ୍ଡିଟିଏ ସୁଦ୍ଧା ନିର୍ମାଣ କରାଯାଇନାହିଁ। ପୀଠକୁ ସଂଯୋଗ କରୁଥିବା ଦୋବଲ ବଜାରରୁ ଗୋବିନ୍ଦାଗଡ଼ିଆ ଗେଙ୍ଗୁଟି ନଦୀବନ୍ଧ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଧାମନଗର ଦକ୍ଷିଣବାଡ଼ ଛକରୁ ଭଣ୍ଡାରିପୋଖରୀ ବ୍ଲକର କୁରିଗାଁ ହୋଇ ଆସିଥିବା କଂକ୍ରିଟ ରାସ୍ତାଟି ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି।ଓଡ଼ିଶା ଇତିହାସରେ ଗୋହିରାଟିକିରି ଏକ ସ୍ମରଣୀୟ ତଥା ସମ୍ବେଦନଶୀଳ ସ୍ଥାନ। ୧୫୬୮ ମସିହାରେ ଏହିଠାରେ ହିଁ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବ ଏବଂ ବଙ୍ଗର ସୁଲତାନଙ୍କ ମଧ୍ୟରେ ଶେଷ ଐତିହାସିକ ଯୁଦ୍ଧ ହୋଇଥିଲା, ଯେଉଁଠାରେ ଓଡ଼ିଶା ତାର ସ୍ୱାଧୀନତା ହରାଇଥିଲା। ଏହି ଐତିହାସିକ ପୀଠର ସୁରକ୍ଷା ଓ ବିକାଶ ଓଡ଼ିଆ ଅସ୍ମିତାର ପ୍ରତୀକ। ୟୁନେସ୍କୋ ପ୍ରତିନିଧି ଦଳ ମଧ୍ୟ ଏହି ପୀଠର ଗୁରୁତ୍ୱ ଅନୁଧ୍ୟାନ କରିସାରିଛନ୍ତି। ଏଭଳି ସ୍ଥିତିରେ ସରକାର ଓ ପ୍ରଶାସନ କେବଳ ଭାଷଣ ଓ ଶିଳାନ୍ୟାସରେ ସୀମିତ ନ ରହି ତୁରନ୍ତ ବାସ୍ତବ କାର୍ଯ୍ୟ ଶେଷ କରିବାକୁ ଅଂଚଳବାସୀ ଦାବି କରିଛନ୍ତି।
Home ଜିଲ୍ଲା ପରିକ୍ରମା ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସକୁ ବର୍ଷେ ,ଶେଷ ସ୍ୱାଧୀନ ରାଜାଙ୍କ ପୀଠରେ ଉନ୍ନତି ଧିମାଉଛି, ପ୍ରତିଶ୍ରୁତି ପୂରଣ ହେଉନି








