Home ଜିଲ୍ଲା ପରିକ୍ରମା ସଫଳ ନାଟ୍ୟକାର କେବେ ପୁରସ୍କାରକୁ ଅପେକ୍ଷା କରିନଥାଏ, ନାଟ୍ୟକାର ବାଦଲ ସିକ୍‌ଦାରଙ୍କ ‘ଅଭିନନ୍ଦନିକା’ ଲୋକାର୍ପଣ ଉତ୍ସବ

ସଫଳ ନାଟ୍ୟକାର କେବେ ପୁରସ୍କାରକୁ ଅପେକ୍ଷା କରିନଥାଏ, ନାଟ୍ୟକାର ବାଦଲ ସିକ୍‌ଦାରଙ୍କ ‘ଅଭିନନ୍ଦନିକା’ ଲୋକାର୍ପଣ ଉତ୍ସବ

19

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ପୁରସ୍କାର ସୃଜନଶୀଳ ସ୍ରଷ୍ଟାର ପ୍ରକୃତ ପରିଚୟ ନୁହେଁ। ବାଦଲ ସିକ୍‌ଦାରଙ୍କ ଭଳି ଜଣେ ସଫଳ ନାଟ୍ୟକାର କେବେ ପୁରସ୍କାରକୁ ଅପେକ୍ଷା କରିନଥାନ୍ତି। ଦିନରାତି କଳାକୁ ନେଇ ବଂଚିଥିବା ମଣିଷଟିଏ ବୁଝିଥାଏ ଦୁଃଖର ରଙ୍ଗ କଣ, ଲୁହର ସ୍ୱାଦ କିପରି, ଆନନ୍ଦର କାରୁକାର୍ଯ୍ୟ କେତେ। ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇ ସେ କେବଳ ଭଦ୍ରକ ମାଟିକୁ ଗୌରବାନ୍ୱିତ କରିନାହାଁନ୍ତି, ସାରା ରାଜ୍ୟକୁ ଧନ୍ୟ କରିଛନ୍ତି ବୋଲି ‘ଅଭିନନ୍ଦନିକା’ ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ଭଦ୍ରକର ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷା ସଂସ୍ଥା ମାକ୍ରୋୱେବ୍ ଟେକ୍ନୋଲୋଜି ପକ୍ଷରୁ ଆୟୋଜିତ ପୂଜ୍ୟପୂଜା ଆସର ତଥା ଅଭିନନ୍ଦନିକା ଲୋକାର୍ପଣ ଉତ୍ସବ ଆଜି ସନ୍ଧ୍ୟାରେ ସହୀଦ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ମୋଗଲ ତାମସାକୁ ଭଦ୍ରକରୁ ଆନ୍ତର୍ଜାତିକ ସ୍ତରରେ ପହଂଚାଇଥିବା ଗୁରୁ ବାଦଲ ସିକ୍‌ଦାରକୁ ଏହି ଉତ୍ସବରେ ସମ୍ବର୍ଦ୍ଧନା କରାଯାଇଥିଲା। କଥାକାର ପବିତ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ମନୋଜ ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟିକ ଡଃ ଶଶଧର ଦାସ, ଡଃ ବ୍ରଜମୋହନ ମିଶ୍ର, ନାଟ୍ୟକାର ଓ ନିର୍ଦ୍ଦେଶକ ଦୀନବନ୍ଧୁ ଦାସ, ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ନାଟ୍ୟକାର ଡଃ ସୁଧାଂଶୁ ନାୟକ, ରୋଟାରିଆନ ତଥା ସାମ୍ବାଦିକ ଅତିଶ ବେହେରା ପ୍ରମୁଖ ଅତିଥିମାନେ ଯୋଗଦେଇ ନାଟକ, ନାଟ୍ୟ ସାହିତ୍ୟ କଳା ଉପରେ ବିଶେଷ ଚର୍ଚ୍ଚା କରିବା ସହ ଉତର ଓଡ଼ିଶାର ପ୍ରଥମ ଉପେନ୍ଦ୍ର ଭଞ୍ଜ ସମ୍ମାନ ଲାଭ କରିଥିବା ଶ୍ରୀ ସିକଦାରଙ୍କ ନାଟ୍ୟପ୍ରଜ୍ଞା ଜୀବନ ସଂଘର୍ଷ, ଉଜ୍ଜ୍ୱଳ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ନାଟ୍ୟ ସାହିତ୍ୟ ପ୍ରେମୀଙ୍କ ଗହଣରେ ମାକ୍ରୋୱେବ୍ ଟେକ୍ନୋଲୋଜି ପକ୍ଷରୁ ନାଟ୍ୟକାର ଶ୍ରୀ ସିକଦାରଙ୍କ ଜୀବନୀ ଉପରେ ଆଧାରିତ ଏକ ପୁସ୍ତିକା ‘ଅଭିନନ୍ଦନିକା’ ଲୋକାର୍ପିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟକାର ଅଟଳ ବିହାରୀ ନାୟକ, କବି ବିଜୟ ବହଳି, ପ୍ରାଧ୍ୟାପକ କମଳା ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ଜଗନ୍ନାଥ କର ବେଦପାଠ କରିଥିବାବେଳେ ରୁଦ୍ରମାଧବ ବାରିକ ସ୍ୱାଗତ ସଂଗୀତ ଓ ମନୋଜ ପଣ୍ଡା ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ସ୍ୱାଗତ ଭାଷଣ ଗିରିଶ ମିଶ୍ର ଦେଇଥିବାବେଳେ ମାକ୍ରୋୱେବ୍ ଟେକ୍ନୋଲୋଜିର ନିର୍ଦ୍ଦେଶକ ମନୋଜ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.