Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଅଧ୍ୟକ୍ଷ ପଦବୀ ପୂରଣ ପରେ ବିବାଦ ତୁଟୁନି, କାର୍ଯ୍ୟାଳୟରେ ଝୁଲୁଛି ତାଲା

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଅଧ୍ୟକ୍ଷ ପଦବୀ ପୂରଣ ପରେ ବିବାଦ ତୁଟୁନି, କାର୍ଯ୍ୟାଳୟରେ ଝୁଲୁଛି ତାଲା

3

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ଦ୍ୱିତୀୟ ବୃହତମ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଗତ କିଛିବର୍ଷ ଧରି ବେଶ୍ ଚର୍ଚ୍ଚାରେ ରହିଆସିଛି। ଏହି ଚର୍ଚ୍ଚା ତାର ପୁରୁଣା ଖ୍ୟାତିକୁ ନୁହଁ ବରଂ କିଛିଦିନ ଧରି ଲାଗିରହିଥିବା ଅପଖ୍ୟାତିକୁ ନେଇ ଏହି ଶିକ୍ଷାନୁଷ୍ଠାନଟିର ବର୍ତମାନର ଦୁର୍ଗତି ପ୍ରତି କାହାରି ନଜର ନାହିଁ। ଜିଲାର ଜନପ୍ରତିନିଧି, ପ୍ରଶାସନ, ରାଜ୍ୟ ସରକାର, ମହାବିଦ୍ୟାଳୟ ପରିଚାଳନା କମିଟି ସମସ୍ତେ ଯେମିତି ହାତବାନ୍ଧି ବସିଯାଇଛନ୍ତି। ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନଥିବା, ଅଧ୍ୟକ୍ଷମାନଙ୍କ ପରିଚାଳନାଗତ ତ୍ରୁଟି, କ୍ୟାମ୍ପସ ଭିତରେ କୁହୁଳୁଥିବା ଅଶାନ୍ତି ଏବେ ଚରମସୀମାରେ ପହଂଚିଛି। ତେବେ ପରିସ୍ଥିତିକୁ ଅଧିକ ଜଟିଳ କରୁଛି ଅଧ୍ୟକ୍ଷ ନିଯୁକ୍ତି ନେଇ। ତେବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଗତ ୨୬ ତାରିଖରେ ଡଃ ଲଳିତ ରଞ୍ଜନ ସାହୁଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବା ପରେ ବିବାଦ ତୁଟିନି। ନୂଆ ଅଧ୍ୟକ୍ଷ ଡଃ ସାହୁ କାର୍ଯ୍ୟରେ ଯୋଗଦେଇ ବାରଓଳି ଶୁଣ୍ଢିପିଣ୍ଡା ହେଉଥିବାର ଜଣାଯାଇଛି। ପ୍ରାକ୍ତନ ଅଧ୍ୟକ୍ଷ ଡଃ ରଜତ ପ୍ରଧାନ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର ପାଇଁ ଆସୁନାହାଁନ୍ତି। ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ତାଲା ଝୁଲୁଛି, ଚାବିକାଠି ତାଙ୍କ ପାଖରେ। ଫଳରେ ନୂଆ ଅଧ୍ୟକ୍ଷ ଅନ୍ୟ ଡିପାର୍ଟମେଂଟରେ ବସି ଦାୟିତ୍ୱ ନିର୍ବାହ କରୁଛନ୍ତି। ପ୍ରକାଶଯୋଗ୍ୟ ପ୍ରାକ୍ତନ ଅଧ୍ୟକ୍ଷ ଡଃ ଦୁର୍ଗାଶଙ୍କର ଦାସଙ୍କ ଅବସର ପରେ ସରକାରୀ ନିୟମ ଅନୁଯାୟୀ ଏହି ବିଦ୍ୟାଳୟର ଜଣେ ବରିଷ୍ଠ ପ୍ରାଧ୍ୟାପକ ଡଃ ରଜତ କୁମାର ପ୍ରଧାନଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତାଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ। ତାଙ୍କ ନିଯୁକ୍ତି ନେଇ କୌଣସି କାରଣରୁ କଲେଜ କ୍ୟାମ୍ପସରେ ଛାତ୍ର ଆନ୍ଦୋଳନ ତଥା ଅଧ୍ୟାପକ-କର୍ମଚାରୀଙ୍କ ମଧ୍ୟରେ ଖୋଲାଖୋଲି ବିଦ୍ରୋହ ପ୍ରକାଶ ପାଇଲା। ଏହି ଅଚଳାବସ୍ଥାକୁ ଦୂର କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ବାଲେଶ୍ୱର ଆଂଚଳିକ ନିର୍ଦ୍ଦେଶକ ଡଃ ହେମନ୍ତ କୁମାର ଘଡାଇ ମହାବିଦ୍ୟାଳୟ ପରିଦର୍ଶନରେ ଆସି ବିଧିବଦ୍ଧ ତଦନ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଲେ। ଏହାସତ୍ୱେ ବି ଅଚଳାବସ୍ଥା ଲାଗି ରହିଲା। ମୁଷ୍ଟିମେୟ ଅଧ୍ୟାପକ ଅଧ୍ୟକ୍ଷଙ୍କ କାର୍ଯ୍ୟରେ ସହଯୋଗ କଲେନାହିଁ। ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଏ ବିଷୟ ଆସିବା ପରେ ରାଜ୍ୟର ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ତଥା ଭଦ୍ରକ ଜିଲାର ଲୋକ ପ୍ରତିନିଧି ଏହି ମହାବିଦ୍ୟାଳୟର ଜଟିଳ ପରିସ୍ଥିତିକୁ ସୁଧାରିବା ପାଇଁ ତୁରନ୍ତ ବଦଳି ଆଦେଶ କଲେ। ଏହି ମହାବିଦ୍ୟାଳୟର ଦୁଇ ଅଧ୍ୟାପକଙ୍କ ସହ ସଂପୃକ୍ତ ଅଧ୍ୟକ୍ଷଙ୍କୁ ବଦଳି କରାଯାଇଥିଲା। ବଦଳି ନିର୍ଦ୍ଦେଶନାମା ଅନୁଯାୟୀ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଡଃ ପ୍ରଧାନଙ୍କୁ ଢେଙ୍କାନାଳ ଅଟୋନମୋସ୍ କଲେଜକୁ, ଆସିଷ୍ଟାଂଟ ପ୍ରଫେସର (କେମେଷ୍ଟ୍ରି) ଡଃ ପଦ୍ମନାଭ ପତ୍ରିଙ୍କୁ ଗର୍ଭମେଂଟ ୱମେନସ୍ କଲେଜ, ଢେଙ୍କାନାଳ ଓ ଆସିଷ୍ଟାଂଟ ପ୍ରଫେସର (ଇକୋନୋମିକସ୍‌) ଅଜୟ କୁମାର ସେଠୀଙ୍କୁ ମଡେଲ୍ ଡିଗ୍ରୀ କଲେଜ, ନୟାଗଡକୁ ବଦଳି କରାଗଲା। ଦୁଇ ଆସିଷ୍ଟାଂଟ ପ୍ରଫେସର ସରକାରଙ୍କ ବଦଳି ଆଦେଶକୁ ମାନିନେଇଥିବାବେଳେ ସଂପୃକ୍ତ ଡଃ ପ୍ରଧାନ ଏହି ଆଦେଶନାମାକୁ ବେଖାତିର କରିଥିଲେ। ଫଳରେ କେଉଁଝର କଲେଜର ଆସୋସିଏଟ୍ ପ୍ରଫେସର (ଜିଓଲୋଜି) ଲଳିତ ରଞ୍ଜନ ସାହୁଙ୍କୁ ଭଦ୍ରକ କଲେଜର ଅଧ୍ୟକ୍ଷ ଭାବେ ବଦଳି କରାଯାଇଥିଲେ ମଧ୍ୟ ଶ୍ରୀ ସାହୁ କାର୍ଯ୍ୟରେ ଯୋଗ ଦେଇପାରିଲେ ନାହିଁ। ଫଳରେ କଲେଜର ଅଚଳାବସ୍ଥା ସୃଷ୍ଟି ହେଲା। ପରବର୍ତୀ ସମୟରେ ଏଭଳି ଅଚଳାବସ୍ଥା ସ୍ଥିତିକୁ ଦୃଷ୍ଟିରେ ରଖି ଡଃ ପ୍ରଧାନଙ୍କୁ ଗତ ୧୯ ତାରିଖରେ ସରକାରଙ୍କ ରିଜିଓନାଲ ଡାଇରେକ୍ଟର ବାଲେଶ୍ୱର ଡଃ ଘଡାଇ ସେଂଟ୍ରାଲି ରିଲିଫ୍ କରି ସରକାରଙ୍କୁ ରିପୋର୍ଟ ଦେଲେ ଓ କେଉଁଝରରୁ ବଦଳି ହୋଇଆସିଥିବା ଶ୍ରୀ ସାହୁଙ୍କୁ କାର୍ଯ୍ୟରେ ଯୋଗଦାନ କରାଇଥିଲେ। ଏହାବ୍ୟତୀତ ପୂର୍ବତନ ଅଧ୍ୟକ୍ଷ ଡଃ ପ୍ରଧାନଙ୍କୁ ୭ଦିନ ମଧ୍ୟରେ ପ୍ରିନ୍ସିପାଲ ଅଫିସର ଚାବି ସବୁ ଡକ୍ୟୁମେଂଟ ଦେବାକୁ ଚିଠି କରିବା ସରକାରଙ୍କୁ ରିପୋର୍ଟ ଦେଇଥିଲେ। ଏହାମଧ୍ୟରେ ପୂର୍ବତନ ଅଧ୍ୟକ୍ଷ ଡଃ ପ୍ରଧାନ ସରକାରଙ୍କ ବଦଳି ଆଦେଶ ବିରୁଦ୍ଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ, ଯାହାର ନଂ ଡବ୍ଲ୍ୟୁ.ପି. (ସି)୧୬୨୪୨/୨୦୨୬ ଅଟେ। ଡଃ ପ୍ରଧାନଙ୍କ ଆବେଦନକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗ୍ରହଣ କରି ଏହି ବଦଳି ଆଦେଶର ପୁନଃ ବିଚାର କରିବା ପାଇଁ ତାଙ୍କୁ ଶିକ୍ଷା ବିଭାଗକୁ ଏକ ରିପ୍ରିଜେନଟେସନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଓ ୬ ସପ୍ତାହ ପାଇଁ ସରକାରଙ୍କ ବଦଳି ଆଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଏବେ ପରିସ୍ଥିତି ଅସମ୍ଭାଳ। ମହାବିଦ୍ୟାଳୟ ଯୁକ୍ତ ତିନି ପରୀକ୍ଷା ଚାଲିଛି, ଆଗକୁ ଯୁକ୍ତ ଦୁଇ ଓ ଯୁକ୍ତ ତିନିର ନାମଲେଖା ଆରମ୍ଭ ହେବ। ଏଭଳି ଅଚଳାବସ୍ଥାରେ ଭବିଷ୍ୟତକୁ ନେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସହରର ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ଚିନ୍ତା ପ୍ରକଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.