ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରିଲସ ହିରୋଙ୍କ ଆତ୍ମହତ୍ୟା । ଗଛରେ ଗାମୁଛା ବାନ୍ଧି କେନାଲ କୂଳରେ ଆତ୍ମହତ୍ୟା କରିଛନ୍ତି ଯୁବକ । ଆତ୍ମହତ୍ୟା କରିଥିବା ଯୁବକ ହେଲେ ଭଦ୍ରକ ଗ୍ରାମାଂଚଳ ଥାନା ଅଧିନ ବାଣିତିଆ ଗାଁର ନାରାୟଣ ପାଠକ । ସେ ଓ ତାଙ୍କ ସ୍ତ୍ରୀ ବିଭିନ୍ନ ସମୟରେ ଗାଁର ସାମାଜିକ ସ୍ଥିତି ଓ ପରିବେଶକୁ ନେଇ ରିଲସ କରନ୍ତି । ସେଥିପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ରହିଥାନ୍ତି । ତେବେ ତାଙ୍କ ସ୍ତ୍ରୀ ନିଜ ବାପ ଘରକୁ ଯାଇଥିଲା ବେଳେ ନାରାୟଣ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ସେ ଗତକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାହା ସହିତ ମୋବାଇଲରେ କଥା ହେଉଥିଲେ । ହଠାତ୍ ଆଜି ସକାଳୁ ଚରମ୍ପା କେନାଲର ବାଣିତିଆ ନିକଟରେ ତାଙ୍କ ମୃତଦେହ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ଭଦ୍ରକ ଗ୍ରାମାଂଚଳ ପୋଲିସକୁ ଖବର ଦେବା ପରେ ପୋଲିସ ସେଠାରେ ପହଂଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଏକ ଦୁଖଦଃ ପରିସ୍ଥିତି ସୃଷ୍ଟି କରିଛି । ତେବେ ନାରାୟଣ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ତାହା ସନ୍ଦେହ ସୃଷ୍ଟି କରିଛି।








