Home ଜିଲ୍ଲା ପରିକ୍ରମା ଟ୍ରକ୍ ଓ ଟିପ୍ପର ମାଲିକ ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟର ପ୍ରବେଶ ପଥ ଅବରୋଧ, ଆନ୍ଦୋଳନକାରୀଙ୍କୁ...

ଟ୍ରକ୍ ଓ ଟିପ୍ପର ମାଲିକ ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟର ପ୍ରବେଶ ପଥ ଅବରୋଧ, ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ପୁଲିସ୍ ନାକେଦମ୍‌

10

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଶାସନର ପ୍ରତିଶ୍ରୁତି ପରେ ନ୍ୟାୟ ନମିଳିବାରୁ ଟ୍ରକ୍ ଓ ଟିପ୍ପର ମାଲିକ ସଂଘ ଆଜି ଜିଲାପାଳଙ୍କ ପ୍ରବେଶ ପଥରେ ବାଟ ଓଗାଳି ବସି ଧାରଣା ଦେଇଥିଲେ। ଫଳରେ କିଛି ସମୟପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସଫଳତା ହାସଲ କରିପାରିନଥିଲେ। ଆନ୍ଦୋଳନକାରୀଙ୍କୁ ଜିଲାପାଳଙ୍କ ମୁଖ୍ୟ ପ୍ରବେଶ ପଥରୁ ହଟାଇପାରିନଥିଲେ। ଏମାନଙ୍କ ଅଭିଯୋଗ ହେଲା ଧାମରା ପୋର୍ଟ ଦ୍ୱାରା ପରିଚାଳିତ କୋଇଲା ପରିବହନରେ ଭଦ୍ରକ ଜିଲା ଟ୍ରକ୍ ଓ ଟିପ୍ପର ମାଲିକମାନଙ୍କୁ ଦୀର୍ଘ ଏକବର୍ଷ ଧରି ଅଣଦେଖା କରାଯାଉଛି। ମୁଖ୍ୟ ଦାବି ମଧ୍ୟରେ ଏହି ପରିବହନ କାର୍ଯ୍ୟର ନବେ ଭାଗ ଧାମରାସ୍ଥିତ ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କ ଦ୍ୱାରା କବଳିତ ହୋଇଥିବାବେଳେ ଭଦ୍ରକ ଜିଲାର ମୂଳ ବାସନ୍ଦା ଗାଡି ମାଲିକମାନେ ଏଥିରୁ ବଂଚିତ ହେଉଛନ୍ତି। ବିଗତ ଦିନରେ ଆନ୍ଦୋଳନକାରୀ ଗାଡି ମାଲିକ ସଂଘ ‘ରେଳରୋକ’, ‘ଜାତୀୟ ରାଜପଥରେ ଧାମରା ଗାଡିଗୁଡିକର ଚକବନ୍ଦ ଆନ୍ଦୋଳନ’ ଶାନ୍ତିପୂର୍ଣ୍ଣ ଭାବେ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇପାରିନାହିଁ। ଇତିମଧ୍ୟରେ ଭଦ୍ରକ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଉପଜିଲାପାଳ ଓ ସାଂସଦଙ୍କୁ ନେଇ ଟ୍ରକ୍ ଓ ଟିପ୍ପର ମାଲିକ ସଂଘର କର୍ମକର୍ତାଙ୍କ ଏକ ବୈଠକ ହୋଇଥିଲେ ମଧ୍ୟ ଏଯାବତ୍ ଆନ୍ଦୋଳନକାରୀ ସଂଘକୁ କାର୍ଯ୍ୟ ଦିଆଯାଇନାହିଁ। ଉପଜିଲାପାଳଙ୍କର ଏକ ଚିଠି (ଯାହାଦ୍ୱାରା ପରିବହନ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ) ଉପରେ ଧାମରା କର୍ତୃପକ୍ଷ ଏପର୍ଯ୍ୟନ୍ତ ଉତର ଦେଇନାହାଁନ୍ତି। ତେଣୁ ଆଜି ରାଜ୍ୟ ସଭା ସଦସ୍ୟ ମନମୋହନ ସାମଲଙ୍କ ହସ୍ତକ୍ଷେପ ଫଳରେ ଆସନ୍ତା ଜୁନ୍ ପ୍ରଥମ ସପ୍ତାହରେ ଶ୍ରୀ ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସ୍ଥିରୀକୃତ ହେବା ପରେ ଆନ୍ଦୋଳନକାରୀମାନେ ଅନଶନ ଓ ବିକ୍ଷୋଭ ପ୍ରତ୍ୟାହାର କରିଥିଲେ। ଏହି ଅନଶନରେ ସଂଘର ସଭାପତି ଶୁଭେନ୍ଦୁ ରାୟ ମହାପାତ୍ର, ସଂପାଦକ ଜ୍ୟୋତିପ୍ରକାଶ ମହାନ୍ତି, ଉପସଭାପତି ପ୍ରଫୁଲ୍ଲ ପୃଷ୍ଟି, ସହ ସଂପାଦକ ଚନ୍ଦନ ନାୟକ, କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ପରିଜା, ରଜତ ପତି, ତାଳଧ୍ୱଜ ବେହୁରା, ଅଶୋକ ବାରିକ, ପ୍ରହ୍ଲାଦ ମହାକୁଡ, ରଂଜନ ବାରିକ ଓ ସୁନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.