ଭଦ୍ରକ, ୧୭ା୫ ( ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ସରକାରଙ୍କ ଗ୍ରାମୀଣ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଧାମନଗର ନିର୍ବାଚନ ମଣ୍ଡଳୀ ରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ଅଧିକ ଡାକ୍ତର ମଧ୍ୟ ନିଯୁକ୍ତି କରିଚନ୍ତି ମାତ୍ର କିଛି ଡାକ୍ତର ଙ୍କ ମନମୁଖୀ ରେ ଧାମନଗର ଅଂଚଳ ରେ ଚାଲିଚି ସ୍ୱାସ୍ଥ୍ୟ ସେବା। ରବିବାର ଦିନ ବ୍ଲକର ଏକାଧିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ପଡ଼ିବା କାରଣରୁ ରୋଗୀମାନେ ଚିକିତ୍ସା ନପାଇ ହନ୍ତସନ୍ତ ହୋଇ ଫେରିଛନ୍ତି। ସୋହଡ଼ା ପଂଚାୟତ ବାଲିପଡ଼ା ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆଜି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ମୁଖ୍ୟ ଫାଟକରେ ଚାବି ପଡ଼ିଥିବା ବେଳେ ରୋଗୀ ଆସି ଦୀର୍ଘ ସମୟ ଅପେକ୍ଷା କରିବା ପରେ ନିରାଶ ହୋଇ ଫେରିଥିଲେ। ଏଠାରେ ଦାୟିତ୍ୱରେ ଥିବା ଏମବିବିଏସ ଡାକ୍ତର ଆସିନଥିବା ବେଳେ, ଅନ୍ୟ ଜଣେ ଆୟୁଷ ଡାକ୍ତର ମଧ୍ୟ ଅନୁପସ୍ଥିତ ଥିଲେ। ଦୁଇ ଡାକ୍ତର ନଥିବାରୁ ଫାର୍ମାସିଷ୍ଟ ବା ଷ୍ଟାଫ୍ ନର୍ସଙ୍କ ଭଳି ଅନ୍ୟ କୌଣସି କର୍ମଚାରୀ ମଧ୍ୟ ଡାକ୍ତରଖାନାକୁ ଆସିନଥିଲେ। ସେହିଭଳି ସମାନ ସ୍ଥିତି ଦେଖିବାକୁ ମିଳିଥିଲା ଦିହୁଡ଼ି ଆନନ୍ଦପୁର ପଞ୍ଚାୟତରେ। ଆନନ୍ଦପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାୟ ବର୍ଷେ ହେବ କୌଣସି ସ୍ଥାୟୀ ଏମବିବିଏସ ଡାକ୍ତର ନାହାନ୍ତି। ଜଣେ ଆୟୁଷ ଡାକ୍ତରଙ୍କ ଭରସାରେ କାମ ଚାଲିଛି। ରବିବାର ସେ ସାପ୍ତାହିକ ଛୁଟିରେ ଥିବାରୁ ସେଠାରେ ମଧ୍ୟ ମୁଖ୍ୟ ଫାଟକରେ ତାଲା ଝୁଲୁଥିଲା।ଏନେଇ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ମନ୍ମୟ ସାମନ୍ତସିଂହାରଙ୍କୁ ପଚାରିବାରୁ ସ ସେ କହିଛନ୍ତି ଯେ, “ବାଲିପଡ଼ା ପିଏଚସି ର ଡାକ୍ତର ଛୁଟିରେ ଅଛନ୍ତି ଏବଂ ଆୟୁଷ ଡାକ୍ତରଙ୍କର ରବିବାର ସାପ୍ତାହିକ ଛୁଟି। ଦୁଇ ଜଣ ଯାକ ଡାକ୍ତର ନଥିବାରୁ କାହା ଭରସାରେ ଡାକ୍ତରଖାନା ଖୋଲାଯିବ। ଯଦି ଅନ୍ୟ କୌଣସି କର୍ମଚାରୀଙ୍କ ଦ୍ୱାରା ଭୁଲ୍ ଚିକିତ୍ସା ହୁଏ, ତେବେ ପରିସ୍ଥିତି ଆହୁରି ଭୟଙ୍କର ହେବ।” ଆନନ୍ଦପୁର ପିଏଚସି ରେ ମଧ୍ୟ ଡାକ୍ତର ପଦବୀ ଖାଲି ଥିବା ଓ ଆୟୁଷ ଡାକ୍ତର ଛୁଟିରେ ଥିବାରୁ ସେଠି ମଧ୍ୟ ବନ୍ଦ ରଖାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।ସରକାରୀ ନିୟମାବଳୀ କିଛି ଅଲଗା କଥା କହୁଛି। ଭାରତ ସରକାରଙ୍କ ଇଣ୍ଡିଆନ୍ ପବ୍ଲିକ୍ ହେଲଥ୍ ଷ୍ଟାଣ୍ଡାର୍ଡସ- ୨୦୨୨ ର ଗାଇଡ୍?ଲାଇନ୍ ଅନୁଯାୟୀ, ଯଦି କୌଣସି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସୂତି ଏବଂ ଜରୁରୀକାଳୀନ ସେବା ପାଇଁ ଉଦ୍ଦିଷ୍ଟ, ତେବେ ତାହା ସପ୍ତାହର ୭ ଦିନ ଯାକ ୨୪ ଘଂଟା ଖୋଲା ରହିବା ବାଧ୍ୟତାମୂଳକ। ସାଧାରଣ ପିଏଚସି କ୍ଷେତ୍ରରେ ମଧ୍ୟ ସପ୍ତାହକୁ ୬ ଦିନ ଓପିଡି ସେବା ଯୋଗାଇ ଦିଆଯିବା ଉଚିତ। ଯଦି ମୁଖ୍ୟ ଡାକ୍ତର ଅନୁପସ୍ଥିତ ଥାଆନ୍ତି, ତେବେ ରୋଟେସନ ବ୍ୟବସ୍ଥା ବା ବିକଳ୍ପ ଡାକ୍ତରଙ୍କ ଜରିଆରେ କେନ୍ଦ୍ର ଖୋଲା ରଖିବା କଥା। ସ୍ୱାସ୍ଥ୍ୟକେନ୍ଦ୍ରର ସାମଗ୍ରିକ ପରିଚାଳନା ପାଇଁ ଗଠିତ ଜନ ଆରୋଗ୍ୟ ସମିତିର ଏହା ମୁଖ୍ୟ ଦାୟିତ୍ୱ। ଡାକ୍ତର ନଥିଲେ ମଧ୍ୟ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟ ସହାୟକ କର୍ମଚାରୀ ରହି ରୋଗୀଙ୍କୁ ପ୍ରାଥମିକ ସହାୟତା ଓ ସ୍ଥିରତା ପ୍ରଦାନ କରିବା ନିୟମ ରହିଛି। ଗ୍ରାମାଂଚଳରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଗରିବ ଓ ମଧ୍ୟବିତ ଲୋକଙ୍କ ପାଇଁ ପ୍ରାଥମିକ ଚିକିତ୍ସାର ଏକମାତ୍ର ମାଧ୍ୟମ। ଆୟୁଷ୍ମାନ ଭାରତ-ହେଲଥ୍ ଆଣ୍ଡ ୱେଲନେସ୍ ସେଂଟର ଗାଇଡ୍ଲାଇନ୍ ଅନୁଯାୟୀ, ଏଠାରେ ସାଧାରଣ ରୋଗର ଉପଚାର ସହ ମାତୃ ଓ ଶିଶୁ ମଙ୍ଗଳ, ଗର୍ଭବତୀ ମହିଳାଙ୍କ ଯାଂଚ, ସଂକ୍ରାମକ ଏବଂ ଅଣ-ସଂକ୍ରାମକ ରୋଗର ପ୍ରାରମ୍ଭିକ ସ୍କ୍ରିନିଂ ଓ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ହେବା କଥା। ତୃଣମୂଳ ସ୍ତରର ସ୍ୱାସ୍ଥ୍ୟକର୍ମୀ ଓ ଆଶା କର୍ମୀଙ୍କ ସହ ସମନ୍ୱୟ ରକ୍ଷା କରି ଏହା ସ୍ଥାନୀୟ ଅଂଚଳରେ ରୋଗ ନିୟନ୍ତ୍ରଣ କରିବା ଉଚିତ। ସ୍ୱାସ୍ଥ୍ୟ ବିଭାଗର ଉଦାସୀନତା ଯୋଗୁଁ ସାଧାରଣ ଜନତା ସେବା ପାଇବାରୁ ବଂଚିତ ହେଉଛନ୍ତି, ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଆକ୍ରୋଶ ପ୍ରକାଶ ପାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ଦାବି ହେଉଛି।
Home ଜିଲ୍ଲା ପରିକ୍ରମା ତାଲା’ ଝୁଲୁଛି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ: ରୋଗୀ ହନ୍ତସନ୍ତ, ନିୟମକୁ ଫୁ , ଧାମନଗର ଅଂଚଳରେ କେମିତି...







