Home ଜିଲ୍ଲା ପରିକ୍ରମା ୨୦୯ ଲିଟର ଚୋରା ମଦ ଜବତ ମାମଲା : ଫେରାର ଅଭିଯୁକ୍ତକୁ ଜେଲ୍ ପଠାଇଲା ଅଦାଲତ

୨୦୯ ଲିଟର ଚୋରା ମଦ ଜବତ ମାମଲା : ଫେରାର ଅଭିଯୁକ୍ତକୁ ଜେଲ୍ ପଠାଇଲା ଅଦାଲତ

5

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ଥାନା ଅଞ୍ଚଳରେ ଚୋରା ମଦ କାରବାର ବିରୋଧରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଗତ ୩ ମାର୍ଚ୍ଚ ୨୦୨୬ରେ ବାରିକପୁର ବଜାର ନିକଟରୁ ଜବତ ହୋଇଥିବା ୨୦୯ ଲିଟର ଦେଶୀ ଓ ବିଦେଶୀ ମଦ ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଧାମନଗର ଜେଏମଏଫସି ଅଦାଲତ ଜାମିନ ନାମଞ୍ଜୁର କରି ଜେଲ୍ ହାଜତକୁ ପଠାଇଦେଇଛନ୍ତି। ସୂଚନା ଅନୁଯାୟୀ, ଧାମନଗର ଥାନାରେ ୯୫/୨୬ ନମ୍ବରରେ ଆବକାରୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ବାରିକପୁର ନିକଟ ବରପଦୀ ପାଟଣା ଗ୍ରାମର ଭିକାରୀ ଚରଣ ଦାସଙ୍କ ପୁଅ ସତ୍ୟରଞ୍ଜନ ଦାସଙ୍କ ନାମ ଉଲ୍ଲେଖ ରହିଛି। ଗତ ୩ ମାର୍ଚ୍ଚରେ ପୋଲିସ ଚଢ଼ାଉ ସମୟରେ ଏହି କେସ ରୁଜୁ କରାଯାଇଥିଲା। ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ସୁବ୍ରଜିତ ଦାସଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ନାରାୟଣ ନାୟକ, ରଶ୍ମିତା ମଲ୍ଲିକ, ନରେନ୍ଦ୍ର ରାଉତ ଓ ସୁଜିତ ରାଉତଙ୍କ ସମେତ ପୋଲିସ ଟିମ୍ ବାରିକପୁର ବଜାର ନିକଟ ଏନଏଚ୍‌-୧୬ରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଏକ ଟ୍ରାଭେଲା ଗାଡ଼ିରେ ଚୋରାରେ ମଦ ଚାଲାଣ ହେଉଥିବା ଧରାପଡ଼ିଥିଲା। ପୋଲିସ ଗାଡ଼ିକୁ ଜବତ କରିବା ସହ ପ୍ରାୟ ୨୦୯ ଲିଟର ବିଭିନ୍ନ ବ୍ରାଣ୍ଡର ଦେଶୀ ଓ ବିଦେଶୀ ମଦ ଜବତ କରିଥିଲା। ତେବେ ଚଢ଼ାଉ ସମୟରେ ମୁଖ୍ୟ ଅଭିଯୁକ୍ତ ସତ୍ୟରଞ୍ଜନ ଦାସ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ସେ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ତଳ ଅଦାଲତରେ ଜାମିନ ଆବେଦନ କରିଥିଲେ। ଆଜି ଧାମନଗର ଜେଏମଏଫସି ଅଦାଲତରେ ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। କିନ୍ତୁ ପୂର୍ବରୁ ତାଙ୍କ ନାମରେ ରହିଥିବା ବିଭିନ୍ନ ମାମଲାକୁ ଦୃଷ୍ଟିରେ ରଖି ଅଦାଲତ ଜାମିନ ନାମଞ୍ଜୁର କରିଥିଲେ। ପରେ ତାଙ୍କୁ ଜେଲ୍ ହାଜତକୁ ପଠାଯାଇଛି। ପୋଲିସ ସୂଚନା ଅନୁଯାୟୀ, ସତ୍ୟରଞ୍ଜନଙ୍କ ନାମରେ ଚୋରା ମଦ କାରବାର ଓ ପିଟାବାଡ଼ିଆ ସମ୍ବନ୍ଧୀୟ ମୋଟ ୧୮ଟି ମାମଲା ରହିଛି। ଏହି ମାମଲାର ତଦନ୍ତ ଥାନାଧିକାରୀ ସୁବ୍ରଜିତ ଦାସ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.