Home ଜିଲ୍ଲା ପରିକ୍ରମା ଯାତନାର ନିଦାଘରେ କୃଷ୍ଣଚୂଡ଼ା ପ୍ରେମ ଓ ପ୍ରକୃତିର ଶ୍ରେଷ୍ଠ ଅଳଙ୍କାର, ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଂଚ...

ଯାତନାର ନିଦାଘରେ କୃଷ୍ଣଚୂଡ଼ା ପ୍ରେମ ଓ ପ୍ରକୃତିର ଶ୍ରେଷ୍ଠ ଅଳଙ୍କାର, ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଂଚ ପକ୍ଷରୁ କୃଷ୍ଣଚୂଡ଼ାର ହସ କାର୍ଯ୍ୟକ୍ରମ

11

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧୂଳି ଧୂସରିତ ବୈଶାଖର ଛାତିରେ ଯେବେ ଉଙ୍କିମାରେ କୃଷ୍ଣଚୂଡ଼ାର ହସ, ସେତେବେଳେ ଯନ୍ତ୍ରଣାର ପାଉଁଶ ତଳୁ ଜନ୍ମନିଏ ଜୀବନର ନୂଆ ବିଶ୍ୱାସ। ପ୍ରକୃତିର ଶାଶ୍ୱତ ରୂପ ଏବଂ ମାନବୀୟ ସମ୍ପର୍କର ସୂକ୍ଷ୍ମତା ମଧ୍ୟରେ କୃଷ୍ଣଚୂଡ଼ା ଏକ ସେତୁ ସଦୃଶ ଓ ଏହା ମଣିଷର ଯାତନା ନିଦାଘରେ ପ୍ରେମର ଶ୍ରେଷ୍ଠ ଅଳଙ୍କାର ବିଛେଇଦିଏ ବୋଲି ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଂଚ ପକ୍ଷରୁ ଆୟୋଜିତ ‘କୃଷ୍ଣଚୂଡ଼ାର ହସ’ ସାରସ୍ୱତ ଗ୍ରୀଷ୍ମ ଆଲୋଚନା ଓ କବିତା ପାଠୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମଂଚର ଉପଦେଷ୍ଟା ଅଧ୍ୟାପକ ଡ. ବିଶ୍ୱରଂଜନ ଦାସଙ୍କ ପୌରୋହିତ୍ୟରେ ସ୍ଥାନୀୟ ବ୍ରିଗେଡ୍ ସୈନିକ ସ୍କୁଲ୍ ପରିସରରେ ଅନୁଷ୍ଠିତ ‘କୃଷ୍ଣଚୂଡ଼ାର ହସ’ ଶୀର୍ଷକ ସାରସ୍ୱତ ଗ୍ରୀଷ୍ମ ଆଲୋଚନା ଓ କବିତା ପାଠୋତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ. ଅଭୟ କୁମାର ଦାସ ଯୋଗଦେଇ ପ୍ରକୃତି ଓ ମାନବୀୟ ପ୍ରେମ ମଧ୍ୟରେ କୃଷ୍ଣଚୂଡ଼ା ରଙ୍ଗ ଗଭୀର ଜୀବନଦର୍ଶନର ସଙ୍କେତ ବହନ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଘଟଗାଁ ବ୍ଲକ ଅତିରିକ୍ତ ଉନ୍ନୟନ ଅଧିକାରୀ କବି ଚିତରଞ୍ଜନ ନାୟକ ଯୋଗଦେଇ ବିଶ୍ୱ ସାହିତ୍ୟର ପ୍ରେକ୍ଷାପଟରେ ବିମଳ ରସାନନ୍ଦର ଅନ୍ୱେଷା ଉଭୟ ସୃଜନ ଜଗତରେ ଓ କୃଷ୍ଣଚୂଡ଼ାର ରଙ୍ଗୀନ ଆଭାରେ ଫୁଟି ଉଠିଥାଏ ବୋଲି କହିଥିଲେ। ମଂଚର ଆବାହକ ଗାଳ୍ପିକ କୈଳାସ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କବି ବିଶ୍ୱଜିତ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଶିଷ୍ଟ ଉର୍ଦ୍ଧୁକବି ମୁସ୍ତାକ ଗହ୍ୱରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଯୁବକବି ନିରଞ୍ଜନ ବାରିକ, କବିଶ୍ରୀ ଗୋଲକ ପ୍ରସାଦ ବୈୟାରୀ, ସେନାଧିକାରୀ କବି ବିଶ୍ୱନାଥ ନାୟକ, ଶିଶୁ ସାହିତ୍ୟିକ କଳ୍ପତରୁ ସେଠୀ, କବି ପି. ହୃଷୀକେଶ, ନରହରି ନାୟକ,ନୀଳମାଧବ ସେନାପତି,ସୁବାସ ଚନ୍ଦ୍ର ଦାଶ, ଜୟନ୍ତ କୁମାର ମହାନ୍ତି, ବିଜୟ କୁମାର ବେହେରା ,ଆଶୁତୋଷ କରଣ, ବୈକୁଣ୍ଠନାଥ ଓଝା, ମୁକୁନ୍ଦଦେବ ନାୟକ, ବସନ୍ତ କୁମାର ଦାସ, ପୀତାମ୍ବର ସେଠୀ, ବିପ୍ଳବ ରଞ୍ଜନ ପତି, ଅଧିବକ୍ତା ପ୍ରଦୀପ କୁମାର ମହାନ୍ତି, ରଞ୍ଜନ କୁମାର ନାୟକ, ମନୋରଞ୍ଜନ ମୁଦୁଲି, ଶେଖ୍ ଅବଦୁଲ୍ ଦୟାନ୍‌, ସୁବାସ ମହାନ୍ତି, ରୁବିଲତା ଦାସ,ଜ୍ଞାନରଞ୍ଜନ ନାୟକ,ହରିହର ମଳିକ ପ୍ରମୁଖ କବି ସ୍ୱରଚିତ କବିତାପାଠ କରିଥିଲେ। ଶିକ୍ଷୟିତ୍ରୀ ବିଶ୍ୱମୈତ୍ରୀ ନାୟକ ବେଦପାଠ ଓ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ମଂଚର ସଂଯୋଜକ ଯୁବକବି ବିସ୍ମୟ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ନୀଳାମ୍ବର ସେଠୀ ଓ ମଂଚର ଅନ୍ୟମାନେ କାର୍ଯ୍ୟକ୍ରମ ପରିଚଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.