Home ଜିଲ୍ଲା ପରିକ୍ରମା ଧାମନଗର ମେଡିକାଲକୁ ସମୟରେ ଆସୁନାହାନ୍ତି ଡାକ୍ତର, ଘଂଟା ଘଂଟା ଅପେକ୍ଷାରେ ରୋଗୀ

ଧାମନଗର ମେଡିକାଲକୁ ସମୟରେ ଆସୁନାହାନ୍ତି ଡାକ୍ତର, ଘଂଟା ଘଂଟା ଅପେକ୍ଷାରେ ରୋଗୀ

8

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ଅବ୍ୟବସ୍ଥା ଏବେ ଚରମ ସୀମାକୁ ପହଂଚିଛି। ଡାକ୍ତରମାନେ ସମୟରେ ମେଡିକାଲକୁ ନ ଆସୁଥିବାରୁ ରୋଗୀମାନେ ଘଂଟା ଘଂଟା ଧରି ଓପିଡିରେ ଅପେକ୍ଷା କରି ହଇରାଣ ହେଉଛନ୍ତି। ମେଡିକାଲ ବୋର୍ଡରେ ସକାଳ ୮ଟାରୁ ଦିନ ୧୨ଟା ଓ ସନ୍ଧ୍ୟା ୪ଟାରୁ ୬ଟା ପର୍ଯ୍ୟନ୍ତ ଆଉଟଡୋର ସମୟ ଉଲ୍ଲେଖ ଥିଲେ ମଧ୍ୟ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ରହିଛି। ଶୁକ୍ରବାର ସକାଳ ପ୍ରାୟ ୯ଟା ୩୦ ପର୍ଯ୍ୟନ୍ତ ରୋଗୀମାନେ ଅପେକ୍ଷା କରିଥିଲେ ମଧ୍ୟ ମେଡିକାଲରେ ଜଣେ ଡାକ୍ତରଙ୍କୁ ଛାଡ଼ି ଅନ୍ୟ କୌଣସି ଡାକ୍ତରଙ୍କ ଦେଖା ମିଳିନଥିଲା। ଫଳରେ ପ୍ରାୟ ୧୦୦ରୁ ଅଧିକ ରୋଗୀ ଲମ୍ବା ଲାଇନରେ ଛିଡ଼ା ହୋଇ ରହିଥିବା ବେଳେ କିଛି ରୋଗୀ ତଳେ ବସି ନିଜ ଡ଼ାକ୍ତରଙ୍କୁ ଅପେକ୍ଷା କରୁଥିଲେ। ବୃଦ୍ଧ, ମହିଳା ଓ ଶିଶୁ ମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି। ସକାଳ ୧୦ଟା ସୁଦ୍ଧା ଆଉଟଡୋର ରେଜିଷ୍ଟରରେ ୪୧୫ ନମ୍ବର ସିରିଏଲ ଚାଲିଥିବା ବେଳେ ପ୍ରତିଦିନ ପ୍ରାୟ ୫୦୦ରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଧାମନଗର ମେଡିକାଲକୁ ଆସୁଥିବା ସୂଚନା ମିଳିଛି। ଏତେ ଅଧିକ ରୋଗୀ ସଂଖ୍ୟା ସତ୍ୱେ ପର୍ଯ୍ୟାପ୍ତ ଡାକ୍ତର ଉପସ୍ଥିତ ନ ଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ୩୧ଟି ପଂଚାୟତର ଜନସାଧାରଣ ନିର୍ଭର କରୁଥିବା ବେଳେ ନିକଟସ୍ଥ ଭଣ୍ଡାରୀ ପୋଖରୀ ବ୍ଲକର ୨ରୁ ୩ଟି ପଂଚାୟତର ଲୋକମାନେ ମଧ୍ୟ ଏହି ମେଡିକାଲ ଉପରେ ନିର୍ଭରଶୀଳ ଅଛନ୍ତି। ଏହିପରି ସ୍ଥିତିରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଡିୟୁଟି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ସରକାରୀ ନିୟମ ଅନୁଯାୟୀ ପ୍ରତ୍ୟେକ ଡାକ୍ତରଙ୍କୁ ଦିନକୁ ୮ ଘଂଟା ଡିୟୁଟି କରିବା ସହ ମେଡିକାଲରେ ସବୁବେଳେ ଜଣେ ଇମାର୍ଜେନ୍ସି ଡାକ୍ତର ଉପସ୍ଥିତ ରହିବା ଆବଶ୍ୟକ। କିନ୍ତୁ ଏଠାରେ ଜଣେ ଡାକ୍ତର ୨୪ ଘଂଟା ପାଇଁ ଡିୟୁଟି କରୁଥିବା ଦେଖିବାକୁ ମିଳୁଛି। ଏଭଳି ବ୍ୟବସ୍ଥା ହେବାରୁ ସେମାନଙ୍କୁ ସପ୍ତାହକୁ କେବଳ ୨ ଦିନ ମେଡିକାଲ ଆସିବାକୁ ପଡୁଛି। ୮ ଘଂଟିଆ ଡିୟୁଟି ବ୍ୟବସ୍ଥା ରହିଲେ ପ୍ରତ୍ୟେକ ବିଭାଗର ଡାକ୍ତରଙ୍କୁ ଦେଖାଇବା ପାଇଁ ରୋଗୀମାନେ ସୁଯୋଗ ପାଇପାରିବେ। ହେଲେ ଡିୟୁଟି ରେଜିଷ୍ଟରରେ ୮ ଘଂଟିଆ ଡିୟୁଟି ଦର୍ଶାଯାଉଥିବା ବେଳେ ବାକି ସମୟରେ ଡାକ୍ତରମାନେ ବାହାର ଘରୋଇ କ୍ଲିନିକରେ ରୋଗୀ ଦେଖୁଥିବା ଅଭିଯୋଗ ହେଉଛି। ଫଳରେ ସରକାରୀ ମେଡିକାଲକୁ ଆସୁଥିବା ରୋଗୀମାନେ ସମୟରେ ଡାକ୍ତରଙ୍କୁ ପାଉନଥିବା ବେଳେ ସଧାରଣ ଥଣ୍ଡା, ଜ୍ୱର, କାଶ ପାଇଁ ଘଂଟା ଘଂଟା ଧରି ଅପେକ୍ଷା କରି ହଇରାଣ ହେଉଛନ୍ତି। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଘଟଣାର ତଦନ୍ତ କରି ଡିୟୁଟି ବ୍ୟବସ୍ଥାକୁ ସ୍ୱଚ୍ଛ ଓ ନିୟମିତ କରିବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.