Home ଜିଲ୍ଲା ପରିକ୍ରମା ବୈତରଣୀରେ ବାଲି ମାଫିଆଙ୍କୁ ଲାଗିଲା ଲଗାମ, ଧାରା ୧୬୩ ଜାରୀ

ବୈତରଣୀରେ ବାଲି ମାଫିଆଙ୍କୁ ଲାଗିଲା ଲଗାମ, ଧାରା ୧୬୩ ଜାରୀ

8

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାର ବୈତରଣୀ ନଦୀରେ ବଢ଼ୁଥିବା ଅବୈଧ ବାଲି ଖନନକୁ ନେଇ ପ୍ରଶାସନ କଠୋର ପଦକ୍ଷେପ ନେଇଛି। ଉପ-ଜିଲ୍ଲା ମେଜିଷ୍ଟ୍ରେଟ୍‌ଙ୍କ ଆଦେଶ ଅନୁଯାୟୀ ବିଏନଏସ ଧାରା ୧୬୩ ଜାରୀ କରାଯାଇ ବାଲି ଉତୋଳନ ଓ ପରିବହନରେ ସଂପୂର୍ଣ୍ଣ ନିଷେଧ ଲାଗୁ ହୋଇଛି। ଖଣି ବିଭାଗର ରିପୋର୍ଟ ଅନୁସାରେ ଭଣ୍ଡାରୀପୋଖରୀ ଝୁଟଣା, ବଡ଼ ବନସ୍ତା, ବାଲିପୁର, ନେରଡ଼ା, ଟିକିରା ଓ ବାଲିପୋଖରୀ ଅଞ୍ଚଳରେ ବ୍ୟାପକ ଭାବେ ଅବୈଧ ବାଲି ଖନନ ଚାଲିଥିଲା। ମେସିନ୍ ଓ ଭାରୀ ଯାନ ବ୍ୟବହାର କରି ଚାଲୁଥିବା ଏହି କାରବାରରେ ଅସାମାଜିକ ତତ୍ୱମାନଙ୍କ ଜଡିତ ଥିବା ମଧ୍ୟ ଉଲ୍ଲେଖ ହୋଇଛି। ଏହାର ପରିଣାମରେ ଭୂଗର୍ଭ ଜଳସ୍ତର କମିବା, ନଦୀ କୂଳ ଭାଙ୍ଗିବା ସହ ପରିବେଶର ଗୁରୁତର କ୍ଷତି ଘଟୁଥିବା ସ୍ପଷ୍ଟ ହୋଇଛି। ସେପରି, ବାଲି ମାଫିଆଙ୍କ ଦାଦାଗିରି ଯୋଗୁଁ ଅଂଚଳରେ ଆଇନ ଶୃଙ୍ଖଳା ଭଙ୍ଗ ହେବାର ଆଶଙ୍କା ମଧ୍ୟ ବଢ଼ିଥିଲା। ପ୍ରଶାସନର ଆଦେଶ ଅନୁଯାୟୀ ବିନା ଅନୁମତିରେ ଏହି ସ୍ଥାନରେ ବାଲି ଉତୋଳନ, ଉଠାଣ ଓ ପରିବହନ ସଂପୂର୍ଣ୍ଣ ନିଷିଦ୍ଧ। ଟ୍ରାକ୍ଟର, ହାଇଭା, ଜେସିବି ଭଳି ଭାରୀ ଯାନର ଚଳାଚଳ ଉପରେ ରୋକ। ଉଲ୍ଲଂଘନ କଲେ କଠୋର ଆଇନ୍ ଅନୁଯାୟୀ କାର୍ଯ୍ୟବାହୀ କରାଯିବ। ଏହି ଆଦେଶକୁ କଢ଼ାକଢି ସହ କାର୍ଯ୍ୟକାରିତା କରିବା ପାଇଁ ତହସିଲଦାର ଓ ପୋଲିସକୁ ସଂଯୁକ୍ତ ଚେକିଂ ଓ ଚଢ଼ାଉ କାର୍ଯ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶ ତୁରନ୍ତ କାର୍ଯ୍ୟକାରି ହୋଇଥିବାବେଳେ, ଏହା ରଦ୍ଦ ହେବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଆଜି ଏନେଇ କନିଷ୍ଠ ଖଣି ଅଧିକାରୀ ସୌମ୍ୟ ରଞ୍ଜନ ଦିୱେଦି ପହଂଚି ସେଠାରେ ହୋଇଥିବା ଗଡା (ବାଲି ଚୋରି କରିବା ପାଇଁ ରାସ୍ତା) ର ଦୁଇଟି ସ୍ଥାନରେ କାଟି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.