Home ଜିଲ୍ଲା ପରିକ୍ରମା ବିବାଦ ଘେରରେ ଥିବା ହରିପୁର ପଂଚାୟତର ୩ଟି ୱାର୍ଡରେ ଜନଗଣନା କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋ, ଜନଗଣନାକାରୀ...

ବିବାଦ ଘେରରେ ଥିବା ହରିପୁର ପଂଚାୟତର ୩ଟି ୱାର୍ଡରେ ଜନଗଣନା କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋ, ଜନଗଣନାକାରୀ ଓ ଅଧିକାରୀମାନେ ନିରାଶରେ ଫେରୁଛନ୍ତି

5

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାର ସମସ୍ତ ବ୍ଲକ୍ ଓ ପୌରାଂଚଳରେ ଏବେ ଗୃହ ଓ ଜନଗଣନା କାର୍ଯ୍ୟ ଜୋରସୋରରେ ଚାଲିଛି। ତେବେ ଭଦ୍ରକ ବ୍ଲକ୍ ଅନ୍ତର୍ଗତ ହରିପୁର ଗ୍ରାମପଂଚାୟତର ୭, ୮ ଓ ୯ ତିନୋଟି ୱାର୍ଡର ଜନଗଣନା କାର୍ଯ୍ୟକ୍ରମକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି। ଏହି ୩ଟି ୱାର୍ଡ ପୌରପାଳିକାରେ ଅନ୍ତର୍ଭୁକ୍ତ ଥିବା କଥା ପୌର କର୍ତୃପକ୍ଷ ଦାବି କରୁଥିବାବେଳେ ବାସ୍ତବରେ ଏହି ୩ଟି ୱାର୍ଡ ଏବେବି ପଂଚାୟତ ସମିତି ଅଧୀନରେ ଥିବା ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଗତ ୧୬ ତାରିଖରୁ ପ୍ରଥମ ପର୍ଯ୍ୟାୟରେ ଗୃହ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏଁ ଏହି ୩ଟି ୱାର୍ଡରେ ଗ୍ରାମବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ଗୃହଗଣନା କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଗୃହ ଗଣନା କାର୍ଯ୍ୟରେ ନିଯୁକ୍ତ ଜନଗଣନକାରୀ ସୁପରଭାଇଜର ମାନେ ଗୃହ ଗଣନା ପାଇଁ ଲଗାତର ଭାବେ ଯାଇ ନିରାଶ ହୋଇ ଫେରୁଛନ୍ତି। ଏବଂ ଏହି ବିବାଦକୁ ନେଇ ଗତକାଲି ଭଦ୍ରକ ବିଡିଓ ଓ ଭଦ୍ରକ ଆସିଷ୍ଟାଂଟ ତହସିଲଦାର ଏହି ୩ଟି ୱାର୍ଡକୁ ଯାଇଥିଲେ। ଅନ୍ୟପକ୍ଷରେ ଆଜି ପୁଣି ଜନଗଣନା କାର୍ଯ୍ୟର ଦୁଇଜଣ ଇନଚାର୍ଜ ଅଫିସର ତଥା ଡେପୁଟି କଲେକ୍ଟର ସୁନିତା ପ୍ରଧାନ ଓ ଶ୍ୱେତାଶ୍ରୀ ମହାପାତ୍ର ବିବାଦୀୟ ଅଂଚଳକୁ ଯାଇଥିଲେ। ତେବେ ସମସ୍ୟାର ସମାଧାନ ଅଦ୍ୟାବଧି ହୋଇପାରିନାହିଁ। ଅନ୍ୟପକ୍ଷରେ ସେହି ଅଂଚଳର ଜନଗଣନା ଦାୟିତ୍ୱରେ ଥିବା ୩ ଜଣ ଜନଗଣନାକାରୀ ଆଶ୍ରମ ସ୍କୁଲର ସଂଜୀବ ପରିଡା, ଛଡାକମହଲା ୟୁଜିଏମ୍‌ଇ ସ୍କୁଲର ନବୀନ ଆରାବାନୁ, ଏନସି ହାଇସ୍କୁଲର ସେକ୍ ତମିଜୁଲ୍ଲା ଓ ସୁପରଭାଇଜର ହାଜି ମହମ୍ମଦ ଉଦ୍ଧ୍ୱୁର୍ ଗାଲସ୍‌ର୍ ହାଇସ୍କୁଲର ଶିକ୍ଷକ ଫର୍ଜନା ଗଜଲା ଆଜି ଜିଲାପାଳଙ୍କୁ ଏ ସଂପର୍କରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ୧୯୬୭ ମସିହାରୁ ଆଜିଯାଏଁ ଏହି ୩ଟି ୱାର୍ଡ ଗ୍ରାମପଂଚାୟତ ଓ ପରବର୍ତୀ ପର୍ଯ୍ୟାୟରେ ହରିପୁର ଗ୍ରାମପଂଚାୟତରେ ଅନ୍ତର୍ଭୁକ୍ତ ରହିଛି। ୧୯୬୦ ରେ ଏହି ୩ଟି ଗରଦପୁର ରାଜସ୍ୱ ଗ୍ରାମ ଦୃଷ୍ଟିକୋଣରୁ ପୌରପାଳିକାରେ ଅନ୍ତର୍ଭୁକ୍ତ ହୋଇଥିଲା। ତେବେ ଆରଟିଆଇ ମାଧ୍ୟମରେ ଜଣାଗଲା ଯେ ପୌରପାଳିକା ତାର ଜନଗଣନା ୨୦୧୧, ଭୋଟର ତାଲିକା କିମ୍ବା ସରକାରଙ୍କ କୌଣସି ଜନହିତକର ଯୋଜନାରେ ପୌରପାଳିକା କର୍ତୃପକ୍ଷ ଅଂଚଳବାସୀକୁ ଅନ୍ତର୍ଭୁକ୍ତ କରିନାହାଁନ୍ତି। ଅନ୍ୟପକ୍ଷରେ ଭଦ୍ରକ ପଂଚାୟତ ସମିତି ଏହି ୩ଟି ୱାର୍ଡକୁ ଗ୍ରାମପଂଚାୟତ ମାଧ୍ୟମରେ ସମସ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରିଅଛି। ବିବାଦ ଘେରରେ ଥିବା ଏହି ୩ଟି ୱାର୍ଡକୁ ନେଇ ଏକ ଜନସ୍ୱାସ୍ଥ୍ୟ ମାମଲା (ଡବ୍ଲ୍ୟୁପି(ସି) ୧୯୬/୧୮ ହାଇକୋର୍ଟରେ ରୁଜୁ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତତ୍‌କାଳୀନ ଜିଲାପାଳ ଏହି ୩ଟି ୱାର୍ଡ ମ୍ୟୁନସିପାଲଟି ଅଂଚଳ ବୋଲି ଦର୍ଶାଇ ନିର୍ଦ୍ଦେଶନାମା ଜାରି କରିଥିଲେ। କିନ୍ତୁ ପରବର୍ତୀ ପର୍ଯ୍ୟାୟରେ ଅର୍ଥାତ୍ ୨୦୧୯ ପୌର ନିର୍ବାଚନରେ ଏହି ୩ଟି ୱାର୍ଡର ବାସିନ୍ଦାଙ୍କୁ ପୌର ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇନଥିଲା। ସେହିପରି ୨୦୧୯ ଓ ୨୦୧୪ ସାଧାରଣ ନିର୍ବାଚନରେ ମଧ୍ୟ ପୌରପାଳିକାରେ ଅନ୍ତର୍ଭୁକ୍ତ କରାଯାଇନଥିଲା। ଏହି ୩ଟି ୱାର୍ଡର ଭୋଟରମାନେ ୨୦୧୯ ଗ୍ରାମପଂଚାୟତ ନିର୍ବାଚନ ଓ ୨୦୧୯ ଓ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ଦେଇଆସିଛନ୍ତି। ଏହି ବିବାଦର ସମାଧାନ ପାଇଁ ଭଦ୍ରକ ଜିଲାପାଳ ତହସିଲଦାର ଗରଦପୁର ରାଜସ୍ୱ ଗ୍ରାମକୁ ବିଭକ୍ତ କରି ଏକ ନୂଆ ହରିପୁର ରାଜସ୍ୱ ଗ୍ରାମ ଗଠନ ପାଇଁ ବୋର୍ଡ ଅଫ ରେଭିନ୍ୟୁକୁ ସୁପାରିଶ କରାଯାଇଥିଲା। ଗତ ତା ୦୩.୦୩.୨୫ ରିଖରେ ୧୦୯୪ ନଂ ଚିଠିରେ ଏହା ମଂଜୁର ହୋଇ ଏଡିଏମଙ୍କୁ ରାଜସ୍ୱ ଗ୍ରାମ ଗଠନ ନିମନ୍ତେ ପ୍ରକ୍ରିୟା ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଆଜିଯାଏ ଏହା ଶୀତଳ ଭଣ୍ଡାରରେ ରହିଛି। ଅନ୍ୟପକ୍ଷରେ ଏହି ୩ଟି ୱାର୍ଡର ବାସିନ୍ଦାମାନେ ଗୃହ ଓ ଜନଗଣନା କାର୍ଯ୍ୟକ୍ରମକୁ ଗରଦପୁର ରାଜସ୍ୱ ଗ୍ରାମ ମାଧ୍ୟମରେ ନକରାଇ ନୂଆ ହରିପୁର ରାଜସ୍ୱ ଗ୍ରାମ ମାଧ୍ୟମରେ କରାଇବାକୁ ଜିଲାପାଳଙ୍କ ନିକଟରେ ଦାବି କରିଥିବାର ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.