ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୀମା ଟପିଗଲାଣି। ଗତବର୍ଷ (୨୦୨୫) ଜିଲାର ବିଭିନ୍ନ ଥାନା ମାନଙ୍କରେ ରୁଜୁ ହୋଇଥିବା ଅପରାଧିକ ମାମଲା ଗତ ଦୁଇବର୍ଷ ତୁଳନାରେ କମ୍ ଥିଲେ ମଧ୍ୟ ଚୋରି, ଡକାୟତି, ବଳତ୍କାର ଭଳି ଅପରାଧିକ ମାମଲାର ରିପୋର୍ଟ ଗତ ୨ ବର୍ଷ ତୁଳନାରେ ଅଧିକ ରହିଛି। ସହରାଂଚଳରୁ ଗ୍ରାମାଂଚଳ ମାନଙ୍କରେ ଚୋରି ଓ ଲୁଟ୍ ଜନସାଧାରଣଙ୍କ ନିଦ ହଜାଇ ଦେଇଛି। ଘର, ଦୋକାନ, ଅଫିସ୍, ମନ୍ଦିର ଓ ରାସ୍ତାଘାଟରେ ଲୁଟେରାମାନଙ୍କ ଉତ୍ପାତ୍ ପୁଲିସ୍ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସାଇକେଲ୍ ଓ ବାଇକ୍ ଚୋରି ନିତିଦିନିଆ ଘଟଣା ପାଲଟିଛି। ଅନ୍ୟପକ୍ଷରେ ଥାନାମାନଙ୍କରେ ଅରାଜକତା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ତେବେ ଜିଲା ପୁଲିସ୍ ମୁଖ୍ୟଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଓ କଡା ତାଗିଦ୍ ଯୋଗୁଁ କେତେକ ଅପରାଧିକ ମାମଲାର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଲୁଟ୍ ଜିନିଷ ଉଦ୍ଧାର କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଥାନା ଅଧିକାରୀମାନଙ୍କ ମନମାନି ଯୋଗୁଁ ସାଧାରଣ ଲୋକ ନ୍ୟାୟରୁ ବଂଚିତ ହୋଇଛନ୍ତି। ପରବର୍ତୀ ମୁହୁର୍ତରେ ଏସ୍ପିଙ୍କ ଦ୍ୱାରସ୍ତ ହେବାକୁ ବାଧ୍ୟ ହୋଇଛନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କ୍ଷେତ୍ରରେ ପାତର ଅନ୍ତର ନୀତି ଅବଲମ୍ବନ କରାଯାଉଥିବାରୁ ପୀଡିତ ମାନଙ୍କୁ ନ୍ୟାୟ ମିଳୁନାହିଁ। ଜିଲା ପୁଲିସ୍ ବିଭାଗର ସୂଚନା ଅନୁଯାୟୀ ଗତ ୨୦୨୫ ରେ ୭୭୮୧ ଟି ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି। ଗତ ୨୦୨୪ ରେ ୭୯୩୫ ଓ ୨୦୨୩ ରେ ୭୯୮୨ ମାମଲା ରୁଜୁ ହୋଇଥିଲା। ଗତ ୨୦୨୫ ର ସମୁଦାୟ ୭୭୮୧ ଟି ମାମଲା ମଧ୍ୟରୁ ୩୬୪୦ ଟି ମାମଲାର ଚାର୍ଜସିଟ୍ ହୋଇଛି। ୩୩୪ ଟି ମାମଲା ର ଆସାମୀ ଧରାଯାଇନାହିଁ। ଉପଯୁକ୍ତ ପ୍ରମାଣ ଅଭାବରୁ ୧୧୧ଟି ମାମଲା ଫେରାଇ ଦିଆଯାଇଛି। ୨୬୧ ଟି ମାମଲାର ଘଟଣା ନୀଚ୍ଚ ଥିବାବେଳେ ୪୮ ଟି ମାମଲାର ଅଭିଯୋଗ ମିଥ୍ୟା। ୩୩୮୭ ଟି ମାମଲାର ତଦନ୍ତ ବାକି ରହିଛି। ଏହାମଧ୍ୟରୁ ୨୪୯୭ ଟି ମାମଲା ଚାର୍ଜସିଟ୍ ହେବାର ସମ୍ଭାବନା ରହିଛି। ଗତବର୍ଷ ବାସୁଦେବପୁର ଥାନାରେ ସର୍ବାଧିକ ୮୮୯ ଟି ମାମଲା ରିପୋର୍ଟ କରାଯାଇଥିବାବେଳେ ଭଦ୍ରକ ଗ୍ରାମଂଚଳ ଥାନାରେ ୮୫୬, ଭଦ୍ରକ ସହରାଂଚଳ ଥାନାରେ ୭୭୭, ଭଣ୍ଡାରିପୋଖରୀରେ ୫୯୮ ଟି, ଧୁଷୁରୀରେ ୫୯୨, ଚାନ୍ଦବାଲିରେ ୫୨୯ ଟି ମାମଲା ରୁଜୁ ହୋଇଛି। ସେହିପରି ଧାମନଗରରେ ୪୫୬ ଟି ମାମଲା ରୁଜୁ ହୋଇଥିବାବେଳେ ତିହିଡିରେ ୪୩୦, ବାଂଶଡାରେ ୩୮୬, ପୀରହାଟରେ ୩୪୮, ସାବରଙ୍ଗରେ ୩୩୯, ନାୟକାଣୀଡିହିରେ ୩୨୭, ପୁରୁଣାବଜାରରେ ୩୧୨, ବନ୍ତରେ ୨୮୩ , ଆଗରପଡାରେ ୨୪୨, କସିଆ ମେରାଇନ୍ରେ ୧୭୧, ଚୂଡାମଣି ମେରାଇନ୍ରେ ୧୦୫, ଧାମରାରେ ୬୧ ଓ ଧାମରା ମେରାଇନ୍ରେ ୪୦ ଟି ମାମଲା ରୁଜୁ ହୋଇଛି।
Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଗମ୍ଭୀର, ବୃଦ୍ଧି ପାଉଛି ଚୋରି, ଡକାୟତି ଓ ବଳତ୍କାର...








