ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଅକ୍ଟୋବର ୨୫ ରେ ହୋଇଥିବା ଦାନା ବାତ୍ୟାରେ ଚାନ୍ଦବାଲି ବ୍ଲକ ରେ ବ୍ୟାପକ କ୍ଷତି ହୋଇଥିଲା।ଏହି ପରିସ୍ଥିତିରେ ଚାନ୍ଦବାଲି ବ୍ଲକରେ ଥିବା ୩୬ଟି ପଂଚାୟତରେ ସର୍ଭେ କରାଯାଇ ଥିବା ବେଳେ ଚାଷୀ ମାନଙ୍କର ନାମ ଗ୍ରାମ ମଧ୍ୟ ସରକାରଙ୍କ ଅବଗତି ନିମନ୍ତ ଜଣାଯାଇଥିଲା। ପରେ ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କୁ କ୍ଷତିପୂରଣ ମଧ୍ୟ ମିଳିଥିବା ବେଳେ ସମସ୍ତ ଚାଷୀ କୂଳ ଆଜି ପର୍ଯ୍ୟନ୍ତ ଏହି କ୍ଷୟକ୍ଷତି ପାଇ ନଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏଭଳି ପରିସ୍ଥିତିରେ ଚାନ୍ଦବାଲି ବ୍ଲକର ୩୬ଟି ପଂଚାୟତକୁ ବାତ୍ୟା ଆକଳନ ଅନୁଯାଇ ରାଜ୍ୟ ସରକାରଙ୍କ ବାତ୍ୟା ପ୍ରଶମନ ବିଭାଗ ତରଫରୁ ଉନ୍ନତି କରଣ ତଥା କ୍ଷୟକ୍ଷତି କୁ ପୂରଣ କରିବା ପାଇଁ ୨୦ କୋଟି ଟଙ୍କା ଅନୁଦାନ ଆସିଥିଲା। ମାତ୍ର ଏହି ଅନୁଦାନ ଆସିବା ପରେ ଚାନ୍ଦବାଲି ପଂଚାୟତ ସମିତିରେ ଶାସକ ଦଳ ଏବଂ ବିଜୁ ଜନତା ଦଳ ମଧ୍ୟରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଗଲା। ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ଦଖଲ ରେ ଥିବା ବେଳେ ପଂଚାୟତ ସମିତି ରେ ମଧ୍ୟ ବିଜେଡି ରାଜ ଚଳି ଆସୁଥିଲା। ଦାନା ବାତ୍ୟା ପାଇଁ ଆସିଥିବା କ୍ଷୟକ୍ଷତିକୁ ନେଇ ଆରମ୍ଭ ହୋଇଥିଲା ରାଜନୀତି। ଶାସକ ଦଳ ଦାନା ବାତ୍ୟାରେ ଆସିଥିବା ଅର୍ଥରାଶିକୁ ନେଇ ପଂଚାୟତ ଗୁଡିକରେ କାମ କରିବେ ବୋଲି ଆଶା ବାନ୍ଧି ବସିଥିଲେ ଏବଂ ଏଥିପାଇଁ ସମସ୍ତ କାର୍ଯ୍ୟକ୍ରମ ପଂଚାୟତ ସ୍ତରରେ ସ୍ତିରୀକୃତ ହୋଇଥିଲା। ମାତ୍ର ବିଜେଡି ର କିଛି ତଥାକଥିତ ନେତା ଏହା କରିବାକୁ ଦେଲେ ନାହିଁ । ଦାନା ବାତ୍ୟା କ୍ଷୟକ୍ଷତି ପାଇଁ ଆସିଥିବା ଅନୁଦାନ ରାଶିକୁ ନେଇ ବିଜେଡି ଏବଂ ବିଜେପି ମଧ୍ୟରେ ଟଣା ଓଟରା ଚାଲିଲା। ବିଜେଡି ନେତା ଏହି ଅନୁଦାନ ରାଶିରେ କାର୍ଯ୍ୟ କରିବାକୁ ଚାହୁଁଥିବା ବେଳେ ବିଜେପି ନେତା ମଧ୍ୟ ଏହି କାର୍ଯ୍ୟ କରିବାକୁ ଆଗଭର ହେବା ସହ କାର୍ଯ୍ୟାଦେଶ ମଧ୍ୟ ପାଇଥିଲେ। ବିଜେଡି ନେତା ଏହି ଅନୁଦାନ ରାଶିକୁ ନେଇ କାର୍ଯ୍ୟ କରିବାରୁ ବିରତ ହେବାରୁ ସେମାନେ ଗତ ଡିସେମ୍ବର ମାସରେ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ଏକ କେସ ରୁଜୁ କରିବା ସହ ଏହି ଅନୁଦାନ ରାଶିରେ କୌଣସି କାର୍ଯ୍ୟ ହୋଇ ପାରିବ ନାହିଁ ବୋଲି ରୋକ ଲଗାଇଥିଲେ। ଇତି ମଧ୍ୟରେ ଦୀର୍ଘ ୬ ମାସ ବିତିଯାଇଥିଲେ ମଧ୍ୟ ଏହି ଅନୁଦାନ ରାଶିରେ କୌଣସି ମରାମତି ଅଥବା ନୂତନ କାର୍ଯ୍ୟ ହୋଇ ପାରିଲା ନାହିଁ। ରାଜ୍ୟ ସରକାରଙ୍କ ବାତ୍ୟା ପ୍ରଶମନ ବିଭାଗ ର ନୀତି ଅନୁଯାଇ ଆସିଥିବା ଅନୁଦାନ ରାଶିରେ ୪୫ ଦିନ ମଧ୍ୟରେ କାର୍ଯ୍ୟ କରିବାର ନିୟମ ଅଛି ନଚେତ ଏହି ଅନୁଦାନ ରାଶି ପୁନଶ୍ଚ ସଂପୃକ୍ତ ବିଭାଗକୁ ଫେରିଯିବାର ନିୟମ ଅଛି ବୋଲି ଚର୍ଚା ଚାଲିଛି। ଦୀର୍ଘ ୬ ମାସ ହେବ ଏହି ୨୦ କୋଟି ଟଙ୍କାର ଭାଗ୍ୟ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ଥିବା ବେଳେ ଆଗାମୀ ଦିନରେ ଆସିଥିବା ୨୦ କୋଟି ଟଙ୍କା ଫେରିଯିବ ବୋଲି ସୂଚନା ମିଳୁଛି।ଏହାକୁ ନେଇ ପୁନଶ୍ଚ ଏକ ରିଟ ପିଟିସନ ଦାଖଲ ମଧ୍ୟ ହୋଇଥିବା ଏକ ସୂତ୍ରରୁ ସୂଚନା ମଧ୍ୟ ମିଳିଛି ଫଳରେ ୨୦କୋଟି ଟଙ୍କା ର ଅନୁଦାନ ପାଇଁ କେସ ଉପରେ କେସ । ୨ଟି ରାଜନୈତିକ ଦଳ ମଧ୍ୟରେ ତୁ ତୁ ମେଁ ମେଁ ହୋଇ ଚାଲିଥିବା ବେଳେ ଦୀର୍ଘ ୧ ବର୍ଷ ହେବ ଚାନ୍ଦବାଲି ପଂଚାୟତ ସମିତି ଅଧୀନରେ ଥିବା ୩୬ଟି ପଂଚାୟତରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ମଧ୍ୟ ସଂପୂର୍ଣ ବନ୍ଦ ହୋଇ ଯାଇଛି। ଏହାର ଏକମାତ୍ର କାରଣ ସାଜିଛି ରାଜନୈତିକ ଶତ୍ରୁତା। ତୁରନ୍ତ ଏହାର ସୁସମାଧାନ ନହେଲେ ଚାନ୍ଦବାଲି ବାସୀ ପଂଚାୟତ ନିର୍ବାଚନରେ ଏହାର ଉଚିତ ଜବାବ ଦେବେ ବୋଲି ମଧ୍ୟ ଚର୍ଚା ଚାଲିଛି। ଏଠାରେ ଉଲ୍ଲେଖଯୋଗ୍ୟ ଚାନ୍ଦବାଲି ପଂଚାୟତ ସମିତି ଅଧିନରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ମରାମତି ପାଇଁ ଆସିଥିବା ଅନୁଦାନ କୁ ନେଇ ମଧ୍ୟ ରାଜନୀତି ସରଗରମ ହୋଇ ପଡିଥିବା ବେଳେ କେବଳ ହାତ ଗଣତି ୪-୫ଟି ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ କାର୍ଯ୍ୟ ସଂପୂର୍ଣ ବନ୍ଦ ଅଛି ଫଳରେ ଗୋଟିଏ ରାଜନୈତିକ ଦଳ ଅନୁଦାନ ରାଶି ଆଣୁଥିବା ବେଳେ ଅନ୍ୟ ଏକ ରାଜନୈତିକ ଦଳ ଏହାର ଫାଇଦା ନେବାରେ ବ୍ୟସ୍ଥ ମାତ୍ର ଏଭଳି ବିବାଦୀୟ ସ୍ଥିତିରେ ଉନ୍ନତି ମୂଳକ କାର୍ଯ୍ୟ ସଂପୂର୍ଣ ଠପ ହୋଇ ଯାଇଛି।ପ୍ରଶାସନିକ ସ୍ତରରେ ଏହାର ସୁସମାଧାନ ହେବା ଜରୁରୀ ହୋଇ ପଡିଛି। ଅନ୍ୟ ପକ୍ଷରେ ଏହାକୁ ନେଇ ଉଚ୍ଚ ନ୍ୟାୟାଳୟରେ କେସ ଚାଲିଥିବା ବେଳେ କୌଣସି ପ୍ରତିକ୍ରିୟା ମିଳିବା ସମ୍ଭବ ହୋଇ ପାରି ନଥିଲା।








