Home ଜିଲ୍ଲା ପରିକ୍ରମା ବୋଡ଼କ -ଓରାଳି ରାସ୍ତା ଶୋଚନୀୟ, ହଟ୍ଟନଗର ପାଖରେ ରାସ୍ତା ବିଛିନ୍ନ, ଭୋଗୁଛନ୍ତି ଦୁର୍ଦ୍ଦଶା ଲୋକେ

ବୋଡ଼କ -ଓରାଳି ରାସ୍ତା ଶୋଚନୀୟ, ହଟ୍ଟନଗର ପାଖରେ ରାସ୍ତା ବିଛିନ୍ନ, ଭୋଗୁଛନ୍ତି ଦୁର୍ଦ୍ଦଶା ଲୋକେ

39

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ତିହିଡ଼ି ବ୍ଲକର ବୋଡ଼କ-ଓରାଳି ରାସ୍ତା ଶୋଚନୀୟ ହୋଇପଡ଼ିଛି। ରାସ୍ତାର ମରାମତି ହୋଇ ପାରୁନଥିବାରୁ ଲୋକମାନଙ୍କର ଯାତାୟରେ ବାଧା ଉପୁଜିବା ସହ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହି ରାସ୍ତା ବର୍ଷବର୍ଷ ଧରି ଶୋଚନୀୟ ହୋଇପଡ଼ିଥିଲେ ବି ଏଥିପ୍ରତି ବିଭାଗ ଦୃଷ୍ଟି ନଦେବା ପରିତାପର ବିଷୟ ହୋଇଛି। ତେବେ ଏ ସମ୍ପର୍କରେ ସ୍ଥାନୀୟ ଅଧିବାସୀ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ରାସ୍ତା ନିର୍ମାଣ ନିମନ୍ତେ ଅନୁଦାନ ପାଇଁ ସରକାରଙ୍କୁ ଜଣାଇବାକୁ ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଉଚ୍ଚ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ବୋଡ଼କ -ଓରାଳି ରାସ୍ତା ତିହିଡି଼ ସହ ଧାମନଗରକୁ ସଂଯୋଗ କରୁଛି। ରାସ୍ତାରେ ପ୍ରତିଦିନ ଶତାଧିକ ଛାତ୍ରୀଛାତ୍ର ଅସୁରାଳି କଲେଜକୁ ଯାତାୟତ କରିଥାନ୍ତି। ଏହାଛଡ଼ା ଶୈବ ପୀଠ ଆରଡ଼ିକୁ ମଧ୍ୟ ଲୋକମାନେ ଏହି ରାସ୍ତାରେ ଯାଇଥାନ୍ତି। ରାସ୍ତା ରେବ ନଈ କୂଳେକୂଳେ ଯାଇଥିବା ବେଳେ ଓରାଳି, ହଟ୍ଟନଗର ସମେତ ବିଭିନ୍ନ ଗ୍ରାମର ଲୋକେ ରାସ୍ତା ଉପରେ ଯାତାୟତ ପାଇଁ ନିର୍ଭର କରିଥାନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହି ରାସ୍ତା ନିର୍ମାଣ ହୋଇଥିଲା। ତେବେ ବିଭାଗ ପକ୍ଷରୁ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତାଟି ବିପଦସଙ୍କୁଳ ହୋଇପଡ଼ିଛି । ହଟ୍ଟନଗର ପାଖରେ ରାସ୍ତା ବିଛିନ୍ନ ହୋଇ ନଦୀ ସ୍ତରକୁ ଚାଲିଆସିଛି। ଯାହାଫଳରେ ବର୍ଷା ହେଲେ ରାସ୍ତା ଉପରେ ପାଣିର ସ୍ରୋତ ଛୁଟି ଯୋଗାଯୋଗ ବିଛିନ୍ନ ହୋଇଯାଉଛି । ଆଗକୁ ବର୍ଷାଦିନ ଆସୁଥିବାରୁ ପରିସ୍ଥିତି ଜଟିଳ ହେବାର ସମ୍ଭାବନା ଥିବାରୁ ଏହା ସ୍ଥାନୀୟ ଅଧିବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ତେବେ ଅଂଚଳବାସୀ ବିଭିନ୍ନ ସମୟରେ ବିଭାଗୀୟ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ମଧ୍ୟ କୌଣସି ସୁଫଳ ପାଇନଥିଲେ। ପରେ ସେମାନେ ମନ୍ତ୍ରୀ ସୁରଜଙ୍କ ନିକଟରେ ଏନେଇ ଅଭିଯୋଗ କରିବାରୁ ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିଥିବା ଜଣାଯାଇଛି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀ କୃତିବାସ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇ ରାସ୍ତା ପାଇଁ ଅର୍ଥ ମଂଜୁର କରିବାକୁ ପ୍ରସ୍ଥାବ ଦେବାକୁ ପରାମର୍ଶ ଦେଇଛନ୍ତି।
ଏ ସମ୍ପର୍କରେ ସମିତିସଭ୍ୟ ଜୟପ୍ରକାଶ ମଲିକ କୁହନ୍ତି- ଏହି ରାସ୍ତାଟି ଆମ ଅଂଚଳବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଖଣ୍ଡଳମଣି ପୀଠ, ଦପାନାୟକାଣୀ ପୀଠ ସମେତ ଅସୁରାଳି କଲେଜକୁ ଏହି ରାସ୍ତା ଛୁଇଁଛି। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ, ଛାତ୍ରଛାତ୍ରୀଙ୍କ ସମେତ ଧାମନଗର ଓ ତିହିଡ଼ି ବ୍ଲକର ଲୋକ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଇରିଗେସନ ବିଭାଗ ପକ୍ଷରୁ ରେବ ନଦୀ କୂଳରେ ପଥର ପ୍ୟାକିଂ କରିବା ସମୟରେ ଉକ୍ତ ରାସ୍ତାକୁ ଖୋଳି ଦିଆଯାଇଥିବାରୁ ରାସ୍ତାର ଏପରି ଦୂରବସ୍ଥା ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିର୍ମାଣ ଉପରେ ତୁରନ୍ତ ଗୁରୁତ୍ୱ ନଦେଲେ ଆଗକୁ ସମସ୍ୟା ଗୁରୁତର ହେବ।
ବରିଷ୍ଠ ବିଜେପି ନେତା ପ୍ରମୋଦ ଦାସ କୁହନ୍ତି- ବୋଡ଼କ ଓରାଳି ରାସ୍ତାଟି ବିଭିନ୍ନ ସମୟରେ ମରାମତି କରାଯାଉଛି। ବିଶେଷକରି ନିର୍ବାଚନ ପୂର୍ବରୁ ଏହା କରାଯାଇଥିଲା। ପୁଣି ରାସ୍ତାଟି ଖରାପ ହୋଇଯାଇଛି। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି ଖୁବ୍ ଶୀଘ୍ର ଏହାର ମରାମତି କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.