ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ରୁଟିପୂର୍ଣ୍ଣ ରିପୋର୍ଟ ଅଭିଯୋଗରେ ଗତକାଲି ମଧ୍ୟରାତ୍ରୀରୁ ଏକ ପରିବାର ଭଦ୍ରକ ସହରର ଚାନ୍ଦବାଲି ବାଇପାସସ୍ଥିତ ଓମ୍ ଶାନ୍ତି ନାମକ ଏକ ଘରୋଇ ଅଲଟ୍ରା ସାଉଣ୍ଡ କ୍ଲିନିକ ସମୁଖରେ ଧାରଣା ପରେ ଆଜି ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ଟାୟାର ଜାଳି ରାସ୍ତାରୋକ ହୋଇଥିଲା। ପରବର୍ତୀ ସମୟରେ ଭଦ୍ରକ ସହରାଂଚଳ ଥାନା ପୁଲିସ୍ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରି ତଦନ୍ତ ଆରମ୍ଭ କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି। ଏଠାରେ ସୂଚନାଯୋଗ୍ୟ ଭଦ୍ରକ ବାଇପାସରେ ଥିବା ଉପରୋକ୍ତ ଅଲଟ୍ରା ସାଉଣ୍ଡ କ୍ଲିନିକ୍ଟିରେ ବିଗତ ଦିନରେ ବହୁବାର ଏହିଭଳି ତ୍ରୁଟିପୂର୍ଣ୍ଣ ରିପୋର୍ଟ ଯୋଗୁଁ ଅଭାବନୀୟ ପରିସ୍ଥିତି ଉପୁଜି ମାମଲା ଥାନାରେ ପହଂଚିଥିଲା। ତେବେ ଏହି ଅଲଟ୍ରା ସାଉଣ୍ଡ ବିରୁଦ୍ଧରେ ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଜିଲା ପ୍ରଶାସନ ସହ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ବହୁବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ କାହା ସ୍ୱାର୍ଥରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ବିଶିଷ୍ଟ ଆଇନ୍ଜୀବୀ ଦିବ୍ୟସିଂହ ନାୟକ ପ୍ରଶ୍ନ କରିଛନ୍ତି। ଆଜିର ଘଟଣାରେ ଭଦ୍ରକ ତିହିଡି ଥାନା ଅଧୀନସ୍ଥ ଦୋଳସାହି ରାଢଙ୍ଗ ଅଂଚଳର ପ୍ରଫୁଲ୍ଲ ଗିରି ଡାକ୍ତରଙ୍କ ପରାମର୍ଶ କ୍ରମେ ବାଇପାସସ୍ଥିତ ଓମ୍ ଶାନ୍ତି ଅଲଟ୍ରା ସାଉଣ୍ଡକୁ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ୨୫ ତାରିଖ ଦିନ ଅଲଟ୍ରା ସାଉଣ୍ଡ କରିବାକୁ ଆସିଥିଲେ। ତେବେ ସଂପୃକ୍ତ କ୍ଲିନିକ୍ ଗର୍ଭସ୍ଥ ଶିଶୁଟି ଭଲ ଅଛି ବୋଲି କହିଥିଲେ। କିନ୍ତୁ ୨୬ ତାରିଖ ଦିନ ତାଙ୍କ ପତ୍ନୀଙ୍କର ପେଟ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଡାକ୍ତରଙ୍କୁ ଦେଖାଇବା ପରେ ସେ ତୁରନ୍ତ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବା ପାଇଁ କହିଥିଲେ। ଫଳରେ ପ୍ରଫୁଲ୍ଲ ଜିଲା ମୁଖ୍ୟ ଚିକିତ୍ସାଳୟରେ ପତ୍ନୀଙ୍କୁ ଆଣିବା ପରେ ସେଠାରେ ତାଙ୍କର ଏକ ମୃତଶିଶୁ ଜନ୍ମ ହୋଇଥିଲା। ଡାକ୍ତର ତାଙ୍କୁ ପିଲାଟି ୩ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ନେଇ କହିଥିଲେ। ଏହି ଘଟଣାରେ ଯଦି ପିଲାଟି ମା’ ପେଟରେ ପୂର୍ବରୁ ମୃତ୍ୟୁବରଣ କରିଛି, ତେବେ ଅଲଟ୍ରା ସାଉଣ୍ଡ ରିପୋର୍ଟରେ ସେ ବଂଚିଛି ବୋଲି କେମିତି ସଂପୃକ୍ତ କ୍ଲିନିକ୍ ରିପୋର୍ଟ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ପ୍ରଫୁଲ୍ଲ। ଏହି ଘଟଣାରେ ପରିବାର ଲୋକେ ମୃତ ଶିଶୁକୁ ନେଇ ସଂପୃକ୍ତ ଅଲଟ୍ରା ସାଉଣ୍ଡ କ୍ଲିନିକ୍ ସମ୍ମୁଖରେ ଗତକାଲି ବିଳମ୍ବିତ ରାତିରୁ ଧାରଣା ଦେଇଥିବାବେଳେ ଆଜି ଭଦ୍ରକ ଚାନ୍ଦବାଲି ରାଜପଥ ବାଇପାସ ଠାରେ ଅବରୋଧ କରିଥିଲେ ଉତ୍ୟକ୍ତ ଲୋକେ।








