Home ଜିଲ୍ଲା ପରିକ୍ରମା ଚାଷ ଦେଇଛି ଚାଷୀକୁ ପରିଚୟ, ଗମେଇ କୂଳରେ ହସୁଛି କେରଳର ପାମ୍‌ଅଏଲ କ୍ଷେତ

ଚାଷ ଦେଇଛି ଚାଷୀକୁ ପରିଚୟ, ଗମେଇ କୂଳରେ ହସୁଛି କେରଳର ପାମ୍‌ଅଏଲ କ୍ଷେତ

8

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାମଅଏଲ ଚାଷର ରାଜ୍ୟ କହିଲେ କେରଳକୁ ବୁଝାଉଥିଲା। ବହୁ ପରିମାଣରେ ଏହି ଚାଷ କେରଳରେ ହେଉଥିଲା। ଏହିି ନାମିଦାମୀ ଚାଷ ଏବେ ଗାଁରେ ହେଉଛି। ଗମେଇ ନଈକୂଳରେ ହସୁଛି କେରଳର ପାମଅଏଲ ବଗିଚା। ନଈକୂଳିଆ ଚାଷ ଜମିରେ ପାମଅଏଲ ଚାଷକରି କେରଳର ଚାଷୀକୁ ପଛରେ ପକାଇ ଦେଇଛନ୍ତି ଚୁଡାମଣି ଗାଁର ଚାଷୀ ଶଙ୍କର୍ଷଣ ମଲ୍ଲି। ଚାଷରୁ ଭଲ ରୋଜଗାର ହେଉଥିବା ବେଳେ ଜଣେ ଆଗଧାଡିର ଚାଷୀଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ପାମଅଏଲ ସହ ବିଭିନ୍ନ ଚାଷ ତାଙ୍କୁ ପରିଚୟ ଦେଇଥିବା ବେଳେ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। ବୟସ ୭୨ ଚାଷୀ ଶଙ୍କର୍ଷଣଙ୍କୁ। ସେ ସମୟରେ ଦଶମ ଶ୍ରେଣୀଯାଏ ପାଢିଥିଲେ। ପରିବାରର ଅଭାବ ଅନାଟନ ପାଇଁ ପାଠପଢାରେ ଡୋରି ବନ୍ଧା ଯାଇଥିଲା। କିଛି ରୋଜଗାର କରିବା ଆଶାରେ କଲିକତା ଯାଇ କାମ କରୁଥିଲେ। ଝୁଟମିଲରେ କିଛିଦିନ କାମ କରିଥିଲେ। କାମ କରିବାର ପାରିଶ୍ରମିକ ତାଙ୍କୁ ସନ୍ତୁଷ୍ଟ କରିନଥିଲା। ସେହିକାମ ଛାଡି ଦୁଧଭାରୀ(କ୍ଷୀର ଭାର) କାମ କରୁଥିଲେ। ମାସିକ ଯାହା ପାରିଶ୍ରମିକ ମିଳୁଥିଲା ସେଥିରେ ନିଜର ଖର୍ଚ୍ଚସହ ପରିବାର ଚଳାଇବା ତାଙ୍କପାଇଁ କଷ୍ଟକର ହେଉଥିଲା। ଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନଥିବାରୁ ଗାଁକୁ ଫେରିଆସିଥିଲେ। ଗାଁରେ ପରର ମୂଲମଜୁରୀ ଲାଗିବାସହ ନିଜର ଯାହା ଜମିଥିଲା ସେଥିରେ ଧାନ ଚାଷକଲେ। ଧାନ ଚାଷରୁ ବିଶେଷ ଲାଭ ହେଉନଥିଲେ। ଖରିଫରେ ଧାନସହ ରବିରେ ବିଭିନ୍ନ ପନିପରିବା ଚାଷକଲେ। ଏହି ଚାଷରୁ ଲାଭ ମିଳିବାପରେ ଆଉ ପଛକୁ ଫେରିନଥିଲେ ଶଙ୍କର୍ଷଣ। ନିଜରଥିବା ସ୍ୱଳ୍ପଜମି ସହିତ ଗମେଇନଈ ପାଖରେ ପଡୋଶୀଙ୍କ ଜମିକୁ ନେଇ ଚାଷକଲେ। ପ୍ରାୟ ତିନିଏକରରୁ ଉର୍ଦ୍ଧ ଜମିକୁ ଘେରାବାଡିକରି ଚାଷ କରୁଛନ୍ତି। ରବିଋତୁରେ ପନିପରିବା ସହିତ ମୁଗ, ବିରି, ସୂର୍ଯ୍ୟମୁଖୀ, ମକ୍କା ଚାଷକରନ୍ତି। ତା’ସହିତ କଦଳି, ଆମ୍ବ, ନଡିଆ, ପେପସିଗମ ଆଦି ଚାଷକରୁଛନ୍ତି। ୮ ବର୍ଷ ତଳୁ ପାମଅଏଲ ଚାଷ ଆରମ୍ଭ କରିଥିବା କହିଛନ୍ତି ଶଙ୍କର୍ଷଣ। ପନିପରିବା କରୁଥିବା ଜମିର ହୁଡାରେ ପ୍ରଥମେ ୧୦୦ ଟି ପାମଅଏଲ ଗଛ ଲଗାଇଥିଲେ। ଏବେ ବାଡିରେ ପାମଅଏଲ ଗଛ ସଂଖ୍ୟା ୨୫୦ ରହିଛି। ପ୍ରଥମେ ବର୍ଷ ୨୦ କ୍ୱିଂଟାଲ ମଞ୍ଜି ବିକିଥିଲେ, ୮୦୦/୧୦୦୦ଟଙ୍କା କ୍ୱିଂଟାଲରେ। ଏଥର ଫାର୍ମରେ ପାମଅଏଲ ଭଲ ଫଳ ଫଳିଛି। ଭଲ ଦୁଇପଇସା ହାତକୁ ଆସିବ ବୋଲି ଆଶା କରିଛନ୍ତି ଶଙ୍କର୍ଷଣ। ୭୨ ବର୍ଷର ଶଙ୍କର୍ଷଣ ନିଜେ କ୍ଷେତରେ ହାଡଭଙ୍ଗା ପରିଶ୍ରମ କରିବା ସହିତ ମଜୁରୀ ପକାଉଛନ୍ତି। ଗମେଇ ନଈ କୂଳ ପାମ ଅଏଲ ବଗିଚା ପାଲଟିଛି। ଚାଷରୁ ଯଥେଷ୍ଟ ସେ ଲାଭବାନ ହେବାସହ ଆତ୍ମସନ୍ତୋଷ ପାଉଥିବା କହିଛନ୍ତି। ବାହାରେ ଖଟିବାକୁ ଯାଇ ମିଳୁଥିବା ମଜୁରୀଠାରୁ ଯଥେଷ୍ଟ ରୋଜଗାର କରିପାରୁଥିବା କହିଛନ୍ତି। ତା’ସହିତ ଅନ୍ୟ ପାଇଁ ମୂଲ ଯୋଗାଇ ଦେଇପାରୁଛନ୍ତି। ଜଣେ ଆଗଧାଡିର ଚାଷୀଭାବେ ଆଉ ସଫଳ ଚାଷୀଭାବେ ତାକୁ ବିଭିନ୍ନ ଅନୁଷ୍ଠାନ ସମ୍ମାନୀତ କରିଛି। ଆଜିର ଯୁବପିଢୀଙ୍କ ପାଇଁ ଶଙ୍କର୍ଷଣଙ୍କ ପରାମର୍ଶ; ବିଦେଶ ନଯାଇ ଚାଷକର। ବିଦେଶଠାରୁ ଅଧିକ ରୋଜଗାର ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.